କୁଜଙ୍ଗ ବ୍ଲକ ହଂସୁରା ପଞ୍ଚାୟତରେ କୁଜି ନେତାଙ୍କ ଗୁଣ୍ଡାରାଜ୍ : ତ୍ରାହି ତ୍ରାହି ଡାକିଲେଣି ଲୋକେ, ଚୁପ ବସିଛି ପୋଲିସ

Published By : Prameya-News7 Bureau | October 08, 2018 IST

ପାରାଦୀପ ୮|୧୦: କୁଜଙ୍ଗ ବ୍ଲକ ହଂସୁରା ପଞ୍ଚାୟତରେ କୁଜି ନେତାଙ୍କ ଗୁଣ୍ଡାରାଜ୍‌ । ଖୁଲମ୍‌ ଖୁଲ୍ଲା ଗୁଣ୍ଡାରାଜ୍‌ ଚଳାଇଛନ୍ତି ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ । ଏନେଇ ଥାନାରେ ଏକାଧିକ ମାମଲା ରୁଜୁ ହୋଇଥିବା ବେଳେ ପଲିଟିକାଲ ପ୍ରେସର ଯୋଗୁଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହେଉଛି । କିଛି କହିବା ପୂର୍ବରୁ ପ୍ରଥମେ ଆମେ ଆପଣଙ୍କୁ ଏକ ସିସିଟିଭି ଭିଜୁଆଲରେ ଥିବା ଦୃଶ୍ୟ ସମ୍ପର୍କରେ କହିବାକୁ ଚାହିଁବୁ । ତାରିଖ – ୩୦-୯-୨୦୧୮, ରବିବାର । ସମୟ – ସଂଧ୍ୟା ୭ଟା ୩୬ ମିନିଟ୍‌ ଏକ ମେଡିସିନ୍‌ ଷ୍ଟୋରକୁ ଜଣେ ଚେକ୍‌ ସାର୍ଟ ପିନ୍ଧା ବ୍ୟକ୍ତି ଆସୁଛନ୍ତି । ପ୍ରଥମେ ଆଙ୍ଗୁଠି ଦେଖାଇ ଦୋକାନୀ ପବିତ୍ର କୁମାର ସ୍ବାଇଁଙ୍କୁ କ’ଣ ସବୁ ଧମକ୍‌ ଦେଉଛନ୍ତି । ତା’ପରେ ନିଜ ପେଟ ପାଖରୁ ଗୋଟେ ଷ୍ଟିଲ୍‌ ରଡ୍‌ ବାହାର କରି ସିଧା ଆଟାକ୍‌ କରୁଛନ୍ତି । ପାଖରେ ବସିଥିବା ଲୋକ ଭୟରେ ଠିଆ ହୋଇଯାଉଛନ୍ତି । ପୁଣି ଜଣେ ବ୍ୟକ୍ତି ଆସି ଚେକ୍‌ ସାର୍ଟ ପିନ୍ଧା ଲୋକଟିକୁ ସେଠାରୁ ନେଇ ଯାଉଛନ୍ତି । ଏବେ ଆଉ ଗୋଟେ ଭିଜୁଆଲ ମଧ୍ୟ ଜାଣନ୍ତୁ । ପୂର୍ବ ଘଟଣାର ୩ମିନିଟ୍‌ ପରେ ଅର୍ଥାତ୍‌ ସଂଧ୍ୟା ୭ଟା ୩୯ ମିନିଟ୍‌ ସମୟରେ ସେଇ ଚେକ୍‌ ସାର୍ଟ ପିନ୍ଧା ବ୍ୟକ୍ତି ପୁଣି ଜଣକ ଘର ଆଗରେ ଠିଆ ହୋଇ କିଛି ଧମକ ଦେଉଛନ୍ତି । ହେଲେ ଏଇ ଚେକ୍‌ ସାର୍ଟ ପିନ୍ଧା ବ୍ୟକ୍ତି ଜଣକ କିଏ ?  ଯିଏ ଏମିତି ଖୁଲମ ଖୁଲ୍ଲା ଗୁଣ୍ଡାରାଜ୍‌ ଚଳାଇଛନ୍ତି ? ୟାଙ୍କ ପରିଚୟ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମହାଶୟ ହେଉଛନ୍ତି ସ୍ଥାନୀୟ ଲୋକପ୍ରତିନିଧିଙ୍କ ସ୍ବାମୀ । ମାନେ କୁଜଙ୍ଗ ବ୍ଲକ ହଂସୁରା ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ  ପ୍ରମୋଦ କୁମାର ସ୍ବାଇଁ । ଚିହ୍ନି ରଖନ୍ତୁ ଭ୍ରାତାଙ୍କ ବଦନ । ଦୀର୍ଘ ଦିନ ହେଲାଣି ଏଇ ମହାଶୟ ଜଣକ ମଦ ପିଇ ମାତାଲ ଅବସ୍ଥାରେ ଏମିତି ଲୋକଙ୍କ ଉପରେ ରାଜନୈତିକ ଆକ୍ରୋଶ ସୁଝାଉଛନ୍ତି । ଆଉ ଆକ୍ରମଣର ଶିକାର ହେଉଥିବା ଲୋକ ପୋଲିସ ପାଖକୁ ଯାଇ ଅଭିଯୋଗ କଲେ ବି ଆକ୍ସନ ଜିରୋ । [gallery ids="48251,48254,48255"] ବାବୁଙ୍କର ଦୁଇଟି କାରନାମ ତ ଜାଣିଲେ । ଏବେ ଆଉ ଗୋଟେ କାରନାମା  । କିଛି ଦିନ ତଳେ ସ୍ଥାନୀୟ ଖୋସାଲପୁର ଗାଁର ବାରିକ ସାହିରେ ପଶି ନିଜ ସମର୍ଥକଙ୍କ ସହ ଜଣକ ଘରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏମିତିକି ସାମ୍ନାରେ ଯିଏ ପଡ଼ିଲା ଘରର ମହିଳାମାନଙ୍କୁ ମଧ୍ୟ ପିଟିଲେ । ଆଉ ଘର ଭିତରେ ପଶି ବ୍ୟାପକ ଭଙ୍ଗାରୁଜା ବି କଲେ । ହେଲେ ଏନେଇ  ଅଭିଯୋଗ ପରେ ବି ଚୁପ୍‌ ବସିଛି ପୋଲିସ । ବାବୁ କୁଆଡ଼େ ନିଜ ଦଳର ମହିଳା ସମାବେଶକୁ ଗାଁର ସମସ୍ତଙ୍କୁ ଡାକିଥିଲେ । କୌଣସି କାରଣରୁ ଯିଏ ଯାଇନପାରିଲା ତା’ ଉପରେ ନିଜ କୁଜି ନେତାର ଧାକ୍‌ ଦେଖାଇବା ଆରମ୍ଭ କରିଦେଲେ । ଅଭିଯୋଗ ଏୟା ଯେ, ବାବୁ କୁଆଡ଼େ ମଦ ପିଇ ମାତାଲ ଅବସ୍ଥାରେ ଏମିତି ନିଇତି ଗାଁ ଲୋକଙ୍କ ଗଣ୍ଡଗୋଳ କରନ୍ତି । ବାବୁଙ୍କ ମୁଣ୍ଡ ଉପରେ ଜିଲ୍ଲାର ବଡ଼ ନେତାଙ୍କ ଆଶୀର୍ବାଦର ହାତ ଥିବାରୁ ବାବୁ ଆଉ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି । ଏମିତିକି ଅଭିଯୋଗ ପରେ ବି  ପୋଲିସ୍‌ କୌଣିସ ଆକ୍ସନ ନେଉନି । ସିସିଟିଭି ଫୁଟେଜ୍‌ ପୋଲିସ ପାଖରେ ପହଞ୍ଚିସାରିଛି । ଆଉ ବାବୁଙ୍କ ବିରୋଧରେ ଥିବା ଅଭିଯୋଗର ପ୍ରମାଣ ମଧ୍ୟ ପାଇସାରିଛି ପୋଲିସ । ହେଲେ ୩୦ ତାରିଖରୁ ଆଜି ୮ ତାରିଖ ହୋଇଗଲା ୯ଦିନ ପରେ ବି ପୋଲିସ ହଂସୁରା ସରପଞ୍ଚଙ୍କ ସ୍ବାମୀ ପ୍ରମୋଦ କୁମାର ସ୍ବାଇଁଙ୍କୁ ଏପର୍ଯ୍ୟନ୍ତ କାହିଁକି ଗିରଫ କରିନି ? ଆଗକୁ ଏହାର ଉତ୍ତର ଜିଲ୍ଲା ପୋଲିସ ପ୍ରଶାସନକୁ ଦେବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.