ବଲାଙ୍ଗୀର ୧/୭: ଆଜି ଭୁବନେଶ୍ବର ଏଡିଜେ କୋର୍ଟରେ ହାଜର ହୋଇଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଶୁଣାଣି ପୁଣି ଆସନ୍ତା ୫କୁ ଘୁଞ୍ଚିଛି । ଓକିଲ ଆନ୍ଦୋଳନ ଯୋଗୁ ବିଧାୟକଙ୍କୁ ନିଜ ପକ୍ଷ ନିଜେ ରଖିବାକୁ ଅନୁମତି ଦେଇଥିଲେ କୋର୍ଟ । ସେପଟେ ବିଧାୟକଙ୍କ ବିରୋଧରେ ଅଭିଯୋଗ କରିଥିବା ଜେଇ ଓ ତାଙ୍କ ପତ୍ନୀ ମଧ୍ୟ ନିଜ ପକ୍ଷ ରଖିଥିଲେ । ତେବେ ଶୁଣାଣି ଘୁଞ୍ଚିଥିବାରୁ ବିଧାୟକଙ୍କୁ ଝାରପଡ଼ା ଜେଲ୍କୁ ପଠାଇଦିଆଯାଇଛି । …..
ଜେଲ୍ ହାଜତରେ ବିତିଲାଣି ୬ଦିନ । ବାହାରିବାକୁ ଉଚ୍ଛନ୍ନ ହେଲାଣି ମନ । ଭାବିଥିଲେ ଆଜି ବେଲ୍ ମିଳିଯିବ । ହେଲେ ସେ ଆଶା ବି ମଉଳିଲା । ପୁଣି ଜୁଲାଇ ୫ ଯାଏଁ ଭିତରେ ରହିବାକୁ ପଡ଼ିବ । ଓକିଲଙ୍କ ଆନ୍ଦୋଳନ ପାଇଁ ଅଡ଼ୁଆରେ ପଡ଼ିଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେର୍ ବଡ଼ ଆଶା କରି ଭୁବନେଶ୍ବର ଏଡିଜେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହେଲେ ଆଜି ବି ତାଙ୍କୁ ନିରାଶ ହେବାକୁ ପଡ଼ିଛି । ଜୁଲାଇ ୫କୁ ଶୁଣାଣି ଘୁଞ୍ଚାଇଦେଇଛନ୍ତି କୋର୍ଟ ।
ପୂର୍ତ୍ତ ବିଭାଗ ଜେଇଙ୍କୁ ସର୍ବସାଧାରଣରେ ଉଠବସ୍ କରିବା ଘଟଣାରେ ଜୁନ୍ ୨୪ ତାରିଖରେ ଗିରଫ ହୋଇଥିବା ପାଟଣାଗଡ଼ ଜେଲ୍ ଯାଇଥିବା ନବ ନିର୍ବାଚିତ ବିଧାୟକ ସରୋଜ ମେହେର୍ଙ୍କୁ ୧ତାରିଖ ପର୍ଯ୍ୟନ୍ତ ଜେଲ୍ ହାଜତକୁ ପଠାଇଦେଇଥିଲେ ପାଟଣାଗଡ଼ ଏଡିଜେ କୋର୍ଟ । ତେବେ ସେଠାରେ ଚାଲିଥିବା ଓକିଲ ଆନ୍ଦୋଳନ ଯୋଗୁଁ ବିଧାୟକଙ୍କୁ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ସ୍ପେଶାଲ ଜଜ କୋର୍ଟରେ ହାଜର କରାଯାଇଥିଲା । ହେଲେ ଏଠି ମଧ୍ୟ ଓକିଲ ଆନ୍ଦୋଳନ ଅଡ଼ୁଆ ହୋଇଥିଲା । ଶେଷରେ ବିଧାୟକଙ୍କ ନିଜ ପକ୍ଷ ନିଜେ ରଖିବାକୁ ଅନୁମତି ଦେଇଥିଲେ କୋର୍ଟ । ସେପଟେ ପାଟଣାଗଡ଼ ଏଡିଜେ କୋର୍ଟଙ୍କ ନିର୍ଦେଶ ଅନୁସାରେ ଜେଇ ଜୟକାନ୍ତ ଶବର ଓ ତାଙ୍କ ପତ୍ନୀ ପ୍ରବୀଣା ରାଜହଂସ ମଧ୍ୟ ଭୁବନେଶ୍ବର ଏଡିଜେ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ । ଆଉ ବିଧାୟକଙ୍କ ସମର୍ଥକ ସେମାନଙ୍କୁ ଧମକ ଦେଉଥିବା ଓ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା କହିଥିଲେ ।
ସେପଟେ ବିଧାୟକ ସରୋଜ ମେହେର ସ୍ବାସ୍ଥ୍ୟଗତ କାରଣ ଦେଖାଇ ଡାକ୍ତରଖାନାରେ ରହିବାକୁ କୋର୍ଟଙ୍କୁ ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି । କହିଛନ୍ତି ଜେଲ୍ କର୍ତ୍ତୃପକ୍ଷ ଯଦି ଚାହିଁବେ ତାହେଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ହସ୍ପିଟାଲ ପଠାଇପାରିବେ । ଏବେ ବିଧାୟକଙ୍କୁ କୋର୍ଟରୁ ସିଧା ଭୁବନେଶ୍ବର ଝାରପଡ଼ା ଜେଲକୁ ପଠାଇଦିଆଯାଇଛି ।