ଆଜି ଜେଲ୍‌ରୁ ମୁକୁଳିପାରନ୍ତି ସାରଥି ଓରଫ ସନ୍ତୋଷ ରାଉଳ

Published By : Prameya-News7 Bureau | July 25, 2019 IST

କଟକ ୨୫|୭: ଆଜି ଜେଲରୁ ମୁକୁଳିପାରନ୍ତି ସାରଥି । ହାଇକୋର୍ଟଙ୍କ ନିର୍ଦ୍ଦେଶର ୭୨ ଘଣ୍ଟା ପରେ ବି ଜେଲରୁ ମୁକୁଳି ପାରିନାହାନ୍ତି ସାରଥି ଓରଫ ସନ୍ତୋଷ କୁମାର ରାଉଳ । ତେବେ ଗୁରୁବାର ଏହି ନିର୍ଦ୍ଦେଶ ପହଞ୍ଚିବ ଏବଂ ସାରଥି ଜେଲ୍ ରୁ ମୁକୁଳିବା ନେଇ ଚର୍ଚ୍ଚା ହେଉଛି ।

ଗତ ୨୨ ତାରିଖ ଦିନ ହାଇକୋର୍ଟ  ସାରଥିଙ୍କୁ ଜାମିନ ପ୍ରଦାନ କରିଥିଲେ । ପୂର୍ବରୁ ୨ଟି ମାମଲାରେ ତାଙ୍କୁ ଜାମିନ ମିଳି ସାରିଥିଲେ ବି କେନ୍ଦ୍ରାପଡ଼ା ଏସଡିଜେଏମ୍ ଅଦାଲତରେ ବିଚାରାଧୀନ ମାମଲାରେ ଜାମିନ ମିଳି ନ ଥିବାରୁ ସେ ଚୌଦ୍ବାର ଜେଲରେ ରହି ଆସୁଥିଲେ । କିନ୍ତୁ ସେହି ମାମଲାରେ ଜାମିନ ମିଳିବାର ତିନି ଦିନ ବିତି ଯାଇଥିଲେ ମଧ୍ୟ ସାରଥି ଆଜିଯାଏ ଜେଲରୁ ମୁକୁଳି ପାରିନାହାନ୍ତି । ଜେଲରୁ ମୁକୁଳିବା ପାଇଁ ରହିଥିବା ବ୍ୟବସ୍ଥା ଅନୁଯାୟୀ ହାଇକୋର୍ଟଙ୍କ ଜାମିନ ନିର୍ଦ୍ଦେଶନାମାର ସାର୍ଟିଫାଏଡ କପି କେନ୍ଦ୍ରାପଡ଼ା ଏସଡିଜେଏମ୍ ଅଦାଲତରେ ଦାଖଲ କରାଯିବ।

ନିର୍ଦ୍ଦେଶନାମା ଅନୁଯାୟୀ ୨ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାର କେନ୍ଦ୍ରାପଡ଼ା ଏସଡିଜେଏମ ଅଦାଲତରେ ହାଜର ହୋଇ ସାରଥିଙ୍କୁ ଜାମିନରେ ନେବାକୁ ସତ୍ୟପାଠ ଦାଖଲ କରିବେ । ସାରଥିଙ୍କୁ ଜାମିନରେ ଛାଡ଼ିବା ପାଇଁ ଚୌଦ୍ବାର ଜେଲକୁ ଆଦେଶ ଦେବା ପୂର୍ବରୁ ନିମ୍ନ ଅଦାଲତ ଚାହିଁଲେ ଅନ୍ୟ ସର୍ତ୍ତ ମଧ୍ୟ ରଖି ପାରିବେ। ସବୁ ସର୍ତ୍ତ ପୂରଣ ପରେ ସାରଥିଙ୍କୁ ଜେଲରୁ ଛାଡ଼ିବା ପାଇଁ ନିମ୍ନ ଅଦାଲତ  ଚୌଦ୍ବାର ଜେଲ କର୍ତ୍ତୃପକ୍ଷଙ୍କୁ  ଆଦେଶ ଦେବେ । ସେହି କପି ଜେଲରେ ପହଞ୍ଚିବା ପରେ ଯାଇ ସାରଥି ଜେଲରୁ ମୁକୁଳିବେ ।

ଗତ ୨୨ ତାରିଖର ନିର୍ଦ୍ଦେଶନାମାର ସାର୍ଟିଫାଏଡ କପି ହାଇକୋର୍ଟରୁ ମିଳି ପାରି ନଥିବାରୁ ସାରଥି ଆଜି ଜେଲରୁ ମୁକୁଳି ପାରି ନଥିବା କୁହାଯାଉଛି। ଏଭଳି ସ୍ଥିତିରେ ଆଜି ସାରଥି ଜେଲରୁ ମୁକୁଳିବାର ଯଥେଷ୍ଟ ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.