ଠିକାଦାରଙ୍କୁ ବୋମା ପକାଇ ହତ୍ୟା ଉଦ୍ୟମ; ସରପଞ୍ଚଙ୍କ ସହ ୨୦ ଜଣଙ୍କ ନାଁରେ ଅଭିଯୋଗ, ୩ ଗୁରୁତର

Published By : Prameya-News7 Bureau | January 20, 2023 IST

ଯାଜପୁର ରୋଡ୍‌ ୨୦/୦୧: ସୀମା ଟପିଲା ସରପଞ୍ଚଙ୍କ ଦାଦାଗିରି। ଏନେଇ ସପଞ୍ଚଙ୍କ ସହିତ ୨୦ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ଚାନ୍ଦା ନଦେବାରୁ ଠିକାଦାରଙ୍କୁ ମରଣାନ୍ତକ ଆକ୍ରମଣ ସହିତ ପୋଟ୍ରୋଲ୍‌ ବୋମା ପକାଇ ହତ୍ୟା ଉଦ୍ୟମ। ଏପରି ଅପରାଧିକ କାଣ୍ଡ ଯାଜପୁର ଜିଲ୍ଲା ଯଖପୁରା ଅଞ୍ଚଳରେ ଦେଖିବାକୁ ମିଳିଛି। ସେପଟେ ସରପଞ୍ଚ ଓ ତାଙ୍କ ସମର୍ଥକଙ୍କ ଆକ୍ରମଣରେ ୩ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଯଖରପୁରା ସରପଞ୍ଚ ଅରୁଣଜ୍ୟୋତି ସାମିଲଙ୍କ ବିରୋଧରେ ଏହି ସାଂଘାତିକ ଅଭିଯୋଗ ଆସିଛି। ଆକ୍ରମଣ ସମୟର ଦୃଶ୍ୟ ମଧ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଏହା ଏବେ ଭାଇରାଲ ହେବାରେ ଲାଗିଛି।

ଖବର ଅନୁସାରେ, ଯଖପୁରା ଅଞ୍ଚଳରେ ଏକ ଘରୋଇ କାରଖାନାରେ କାର୍ଯ୍ୟରତ ଠିକାଦାର ପ୍ରସନ୍ନଜିତ୍ ନାୟକଙ୍କୁ ଅଭିଯୁକ୍ତ ସରପଞ୍ଚ ୫୦ ଲକ୍ଷ ଟଙ୍କା ଚାନ୍ଦା ମାଗିଥିଲେ। ଏନେଇ ଠିକାଦାର ଗତ ୩ ଦିନ ହେଲା ସରପଞ୍ଚଙ୍କ ନାଁରେ ଯଖପୁରା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଗତକାଲି ସରପଞ୍ଚ ଓ ତାଙ୍କ ସମର୍ଥକମାନେ ମିଶି ଠିକାଦାରଙ୍କ କ୍ୟାମ୍ପରେ ପଶି ତାଙ୍କ ଉପରକୁ ପେଟ୍ରୋଲ ବୋମା ପିଙ୍ଗି ହତ୍ୟା ଉଦ୍ୟମ କରିଥିଲେ। ଏହାସହିତ ଠିକାଦାରଙ୍କ ସାନଭାଇ ଓ ଅନ୍ୟଜଣେ କର୍ମଚାରୀଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଯାଇଥିଲା।

ଫଳରେ ଠିକାଦାରଙ୍କ ଭାଇ ଓ କର୍ମଚାରୀଙ୍କ ଦେହରେ ଗଭୀର ଆଘାତ ଲାଗିଥିଲା। ‌ଉଭୟେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏନେଇ ଶୁକ୍ରବାର ସରପଞ୍ଚଙ୍କ ସହିତ ମୋଟ ୨୦ ଜଣଙ୍କ ନାଁରେ ଠିକାଦାର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଠିକାଦାରଙ୍କ ଏତଲା ଆଧାରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଠିକାଦାରଙ୍କ ପରିବାର ଓ କିଛି ସ୍ଥାନୀୟ ଲୋକେ ଥାନା ଆଗରେ ଧାରଣାରେ ବସିଥିଲେ। ଅନ୍ୟପଟେ ଅପରାଧ ଘଟାଇ ଅଭିଯୁକ୍ତ ସରପଞ୍ଚ ଫେରାର ଥିଲେ। ସେପଟେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.