ବିହାରରେ ଥମୁନି ମଦମୃତ୍ୟୁ; ୨୪ ଘଣ୍ଟାରେ ୧୩ ନୂଆ ମାମଲା, ମୃତକଙ୍କ ସଂଖ୍ୟା ୭୩

Published By : Prameya-News7 Bureau | December 17, 2022 IST

ପାଟନା: ବିହାରରେ ଥମିବାର ନାଁ ଧରୁନାହିଁ ମଦମୃତ୍ୟୁ। ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଶୁକ୍ରବାର ଏହି ସଂଖ୍ୟା ୬୦ ରିହିଥିଲା, ଶନିବାର ଏହା ୭୩ରେ ପହଞ୍ଚିଛି । ୨୪ ଘଣ୍ଟା ମଧ୍ୟରେ ବିଷାକ୍ତ ମଦ ପିଇ ୧୩ଜଣ ପ୍ରାଣ ହରାଇଛନ୍ତି । ଗୁରୁତରଙ୍କୁ ରାଜ୍ୟ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି ।

ବିହାରର ଛପରା ଜିଲ୍ଲାରେ ପୁଣି ମଦ ମୃତ୍ୟୁ ସାମ୍ନାକୁ ଆସିଛି । ସେହିପରି ସିଓ୍ବାନ ଜିଲ୍ଲା ବେଗୁସରାଇ ମଧ୍ୟ ମୃତକଙ୍କ ସଂଖ୍ୟା ବଢୁଛି । ଏପର୍ଯ୍ୟନ୍ତ ବିଷାକ୍ତ ମଦ ପିଇ ୭୩ଜଣଙ୍କ ମୃତ୍ୟୁ ହୋଇଛି । ସରକାରୀ ରିପୋର୍ଟରେ ମାତ୍ର ୩୪ଜଣଙ୍କ ମୃତଦେହ ପୋଷ୍ଟମର୍ଟମ କରାଯାଇଛି । ସଦର ହସ୍ପିଟାଲରେ ୩୧ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପାଟନା ମେଡିକାଲରେ ୩ଜଣଙ୍କ ମୃତ୍ୟୁ ହୋଇଛି । ବିଷାକ୍ତ ମଦ ପିଇ ୩୪ଜଣଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ରିପୋର୍ଟ ପ୍ରକାଶ କରିଛି । ହେଲେ ଏହି ସଂଖ୍ୟା ବେସରକାରୀ ଭାବେ ଯଥେଷ୍ଟ ଅଧିକ । ରସାୟନିକ ପଦାର୍ଥ ମିଶା ମଦ ପିଇ ପ୍ରାୟ ୭୨ଜଣଙ୍କ ମୃତ୍ୟୁ ହୋଇଛି । କିଛି ଲୋକ ମେଡିକାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି ।

ଗତ ୧୨ଘଣ୍ଟା ମଧ୍ୟରେ ସିଓ୍ବାନ ଓ ବେଗୁସରାଇ ନୂଆ ମାମଲା ସାମ୍ନାକୁ ଆସିଛି । ସିଓ୍ବାନ ଜିଲ୍ଲାରେ ଦୁଇ ଦିନ ମଧ୍ୟରେ ବିଷାକ୍ତ ମଦ ପିଇ ୫ଜଣଙ୍କ ମତ୍ୟୁ ହୋଇଥିବା କୁହାଯାଉଛି । ଏହି ୫ଜଣଙ୍କ ମଧ୍ୟରେ ଜଣେ ଚୌକିଦାର ଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ମାତ୍ର ଜଣଙ୍କ ମୃତଦେହକୁ ଜିଲ୍ଲା ପ୍ରଶାସନ ପୋଷ୍ଟମର୍ଟମ କରିଥିବା ଅଭିଯୋଗ ହୋଇଛି । ମଦମୃତ୍ୟୁ ନେଇ ଜିଲ୍ଲାରେ କୋକୁଆ ଭୟ ଖେଳିଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.