ନୂଆଦିଲ୍ଲୀ ୧୦।୦୨ - ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲାଙ୍କ ଭଉଣୀ ତଥା କଂଗ୍ରେସ ନେତା ସଚୀନ ପାଇଲଟଙ୍କ ପତ୍ନୀ ସାରା ପାଇଲଟ୍ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜନ ସୁରକ୍ଷା ଆଇନ ଅଧୀନରେ ଓମର ଅବଦୁଲାଙ୍କୁ ନଜରବନ୍ଦ ରଖାଯାଇଥିବାରୁ ଏହାକୁ ଅସାମ୍ବିଧାନିକ କହିବା ସହ ତାଙ୍କୁ ମୁକ୍ତି କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ କପିଲ ସିବଲ୍ ଏ ନେଇ ହିବଅସ୍ କରପସ୍ ଦାଖଲ କରାଯାଇଥିବା ସୂଚନା ଦେଇଛନ୍ତି । ଏହି ସପ୍ତାହରେ ମାମଲାର ଶୁଣାଣୀ ପାଇଁ ଆବେଦନ କରାଯାଇଛି । ଖୁବ ଶୀଘ୍ର ଏହାର ଶୁଣାଣୀ କରିବା ପାଇଁ ଅଦାଲତ ରାଜି ହୋଇଥିବା କଥା ସେ ଦର୍ଶାଇଛନ୍ତି । ଓମରଙ୍କୁ ନଜର ବନ୍ଦ ରଖାଯାଇ ଜଣେଙ୍କର ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି ବୋଲି ସାରା ପାଇଲଟ ଦର୍ଶାଇଛନ୍ତି । ଏହା ଅସାମ୍ବିଧାନିକ ବୋଲି ସେ ଉଲ୍ଲେଖ କରିଛନ୍ତି । ସାରାଙ୍କ ପତି ସଚୀନ ପାଇଲଟ ଏବେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଅଛନ୍ତି ।
କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଜନ ସୁରକ୍ଷା ଆଇନ ଅନୁସାରେ ଓମର ଅବଦୁଲା, ମେହେବୁବା ମୁଫତିଙ୍କ ସହ ଅନ୍ୟ ନେତାମାନଙ୍କୁ ଅଟକ ରଖାଯାଇଛି । ଏମାନେ ନିଜର ଲୋକପ୍ରିୟତା ଅପବ୍ୟବହାର କରିପାରନ୍ତି ବୋଲି ଆଶଙ୍କା କରି ଜାମ୍ମୁ-କାଶ୍ମୀର ସରକାର ଏମାନଙ୍କୁ ନଜରବନଦ ରଖିଛନ୍ତି ।
ଅଗଷ୍ଟ ୫ ତାରିଖରୁ ଜାମ୍ମୁ-କାଶ୍ମୀରର ୩ ଜଣ ମୁଖ୍ୟମନ୍ତ୍ରୀ ଓମର ଅବଦୁଲା, ଫାରୁକ ଅବଦୁଲ୍ଲା ଓ ମେହେବାବୁ ମୁଫ୍ତିଙ୍କୁ ନଜରବନ୍ଦ ରଖାଯାଇଛି । ଜାମ୍ମୁ-କାଶ୍ମୀରକୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି । ଏବେ ଜାମ୍ମୁ-କାଶ୍ମୀର ଓ ଲଦାଖ ଅଲଗା ଅଲଗା କେନ୍ଦ୍ରଶାସିତ ଅଞ୍ଚଳ ।
ଫାରୁକ୍ ଅବଦୁଲାଙ୍କୁ ଜନସୁରକ୍ଷା ବା ପବ୍ଲିକ ସେଫ୍ଟି ଆଇନ ଅନୁସାରେ ନଜରବନ୍ଦ ରଖାଯାଇଥିବା ବେଳେ ଓମର ଓ ମେହବୁବାଙ୍କୁ ନଜରବନ୍ଦ ଶେଷ ହେବାର ଗୋଟିଏ ରାତି ପୂର୍ବରୁ ପବ୍ଲିକ ସେଫ୍ଟି ଆଇନ ଅନୁସାରେ ନଜରବନ୍ଦ ରଖାଯାଇଛି ।
ଓମର ଅବଦୁଲା ୨୦୦୯-୨୦୧୪ ପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଥିଲେ ।