ବଦଳି ପ୍ରତିବାଦରେ ସଂସ୍କୃତ ଶିକ୍ଷକଙ୍କ ଆମରଣ ଅନଶନ
22/08/2022 at 1:12 PM

ଝାରସୁଗୁଡା ୨୨।୮: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସଂସ୍କୃତ ଶିକ୍ଷକ ଦାମୋଦର ସେନାପତି ନିଜ ବଦଳିର ପ୍ରତିବାଦରେ ଆଜିଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି । ବ୍ରଜରାଜନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମ୍ମୁଖରେ ସେ ଏହି ଅନଶନ ଆରମ୍ଭ କରିବା ସହ ତାଙ୍କୁ ଇପିଏଫ, ଇଏସଆଇ ଏବଂ ଅନ୍ୟାନ୍ୟ ବକେୟା ଦରମା ଦିଆଯାଇ ନଥିବା ସେ ଅଭିଯୋଗ କରିଛନ୍ତି । ଶିକ୍ଷା ବିକାଶ ସମିତି ଓଡିଶା ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜରାଜନଗର କର୍ତ୍ତୃପକ୍ଷ ତାଙ୍କୁ ଆକ୍ରୋଶମୂଳକ ଭାବରେ ଝାରସୁଗୁଡା ଜିଲ୍ଲା ବାହାରକୁ ଦେବଗଡ଼ ଜିଲ୍ଲାକୁ ବଦଳି କରିଥିବା ସେ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟଙ୍କ ଯୋଗେନ୍ଦ୍ରନାଥ ଠାକୁର କହିଛନ୍ତି ଅନଶନ କରୁଥିବା ସଂସ୍କୃତ ଶିକ୍ଷକ ଦାମୋଦର ସେନାପତିଙ୍କ ପଦୋନ୍ନତି ଓ ବଦଳି ଶିକ୍ଷା ବିକାଶ ପରିଷଦ ଓଡିଶା ପକ୍ଷରୁ କରାଯାଇଛି । ଏଥିରେ ବିଦ୍ୟାଳୟ କର୍ତ୍ୟୁପକ୍ଷଙ୍କ କୌଣସି ହାତ ନାହିଁ । ଶିକ୍ଷା ବିକାଶ ପରିଷଦ ଓଡିଶା ପକ୍ଷରୁ ରାଜ୍ୟର ବିଭିନ୍ନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରୁ ଚଳିତ ବର୍ଷ ୨୦ ଜଣଙ୍କୁ ବଦଳି କରାଯାଇଛି । ସେମାନଙ୍କ ମଧ୍ୟରେ ଦାମୋଦର ସେନାପତି ମଧ୍ୟ ରହିଥିବା ବ୍ରଜରାଜନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ।