ଧର୍ମାନୁଷ୍ଠାନରେ ସରକାରୀ କଳର ହସ୍ତକ୍ଷେପ ନେଇ ଉଦ୍‌ବେଗ ପ୍ରକାଶ କଲେ ଶଙ୍କରାଚାର୍ଯ୍ୟ

Published By : Prameya-News7 Bureau | April 10, 2019 IST

ପୁରୀ ୧୦|୪ : ଅତୀତରେ ଶ୍ରୀମନ୍ଦିର ପରିଚାଳନା ବ୍ୟବସ୍ଥାରେ ଶଙ୍କରାଚାର୍ଯ୍ୟ ହିଁ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ଧର୍ମଶାସ୍ତ୍ରର ବ୍ୟବସ୍ଥା ଅନୁଯାୟୀ ଧର୍ମଗୁରୁ ହିଁ ଧର୍ମାନୁଷ୍ଠାନର ପରିଚାଳନା କରିବା କଥା। ସରକାର ଓ ପ୍ରଶାସନ କେବଳ ସହଯୋଗ କରିବା ଉଚିତ୍। ଏଭଳି ମତ ଦେଇଛନ୍ତି ପୁରୀ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରମିକୋର୍ଟ ଶ୍ରୀମନ୍ଦିର ପରିଚାଳନାରେ ଶଙ୍କରାଚାର୍ଯ୍ୟଙ୍କୁ ସାମିଲ କରିବା ନେଇ ପ୍ରଶ୍ନ ଉଠାଇବାପରେ ଏଭଳି ମତ ରଖିଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ।

ଗୋବର୍ଦ୍ଧନ ମଠ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶଙ୍କରାଚାର୍ଯ୍ୟ ଧର୍ମନୁଷ୍ଠାନରେ ସରକାରୀ କଳର ଅପବ୍ୟବହାର ନେଇ ଉଦବେଗ ପ୍ରକାଶ କରିଛନ୍ତି। ଶଙ୍କରାଚାର୍ଯ୍ୟଙ୍କ ମାର୍ଗଦର୍ଶନରେ ଶ୍ରୀମନ୍ଦିର ପରିଚାଳନା କରାଗଲେ ଶ୍ରୀମନ୍ଦିର ସଂସ୍କାର କାର୍ଯ୍ୟ ଅଧିକ ସଫଳ ହୋଇପାରିବ ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସକ ମାନେ ଧର୍ମ, ସଂସ୍କୃତି ଓ ପରମ୍ପରାକୁ ନବୁଝି ଧର୍ମାନୁଷ୍ଠାନରେ ଅଯଥା ହସ୍ତକ୍ଷେପ କରୁଛନ୍ତି ବୋଲି ସେ କହିଥିଲେ। ସୁପ୍ରିମକୋର୍ଟ ଶ୍ରୀମନ୍ଦିର ମାମଲାରେ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠ ପକ୍ଷଭୁକ୍ତ କରିବା ପାଇଁ ଆବେଦନ କରିଥିବା ବେଳେ କୋର୍ଟ ଶ୍ରୀମନ୍ଦିର ପରିଚାଳନାରେ ଶଙ୍କରାଚାର୍ଯ୍ୟଙ୍କୁ ଦାୟିତ୍ୱ ନେବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.