ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ: ଦ୍ୱିତୀୟ ମ୍ୟାଚ୍‌ରେ ବାଦ୍ ପଡ଼ିପାରନ୍ତି ସଞ୍ଜୁ ସାମସନ, ଆଣ୍ଠୁରେ ଲାଗିଛି ଆଘାତ

Published By : Prameya-News7 Bureau | January 04, 2023 IST

ମୁମ୍ବାଇ: ଭାରତ -ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଭାରତ ମାତ୍ର ଦୁଇ ରନ୍‌ରେ ଜିତିନେଇଛି। ସିରିଜର ଦ୍ୱିତୀୟ ମ୍ୟାଚ୍‌ ଅସନ୍ତାକାଲି ପୁଣେରେ ଖେଳାଯିବ। ତେଣୁ ଏଥିପାଇଁ ରଣନୀତି ପ୍ରସ୍ତୁତି ଚାଲିଛି। ଏହାରି ଭିତରେ ଟିମ୍ ଇଣ୍ଡିଆରୁ ଏକ ବଡ଼ ଖବର ସମ୍ନାକୁ ଆସିଛି। ଆହତ ହୋଇଛନ୍ତି ବ୍ୟାଟର ସଞ୍ଜୁ ସାମସନ। ତେଣୁ ତାଙ୍କୁ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରୁ ବାହାର କରିଦିଆଯାଇପାରେ ବୋଲି ସୂଚନା ମିଳିଛି।

ପ୍ରଥମ ମ୍ୟାଚ୍‌ରେ ତାଙ୍କୁ ସୁଯୋଗ ମିଳିଥିଲା। ଅଧିନାୟକ ପାଣ୍ଡ୍ୟା ତାଙ୍କୁ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ପଠାଇଥିଲେ ବି ସାମସନ ନିରାଶ କରିଥିଲେ। ବ୍ୟାଟିଂ ସହ କ୍ୟାଚ୍ ବି ଛାଡ଼ିଥିଲେ ସଞ୍ଜୁ। ଏଭଳି ସ୍ଥିତିରେ ଥିବା ଆଜି ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ସୂଚନା ମିଳିଛି। ମୁମ୍ବାଇରେ ତାଙ୍କର ସ୍କାନିଂ ହେବ। ତେଣୁ ସେ ଟିମ୍‌ ସହିତ ପୁଣେ ଯାଇ ପାରି ନାହାନ୍ତି ବୋଲି କ୍ରିକ୍‌ବଜ୍‌ରେ ଖବର ପ୍ରକାଶ ପାଇଛି।   

ପ୍ରଥମ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଥମେ ଓଭରରେ କ୍ୟାଚ୍ ଧରିବାକୁ ଯାଇ ଡାଇଭ୍ ମାରିଥିବା ବେଳେ ଆଣ୍ଠୁରେ ଆଘାତ ଲାଗିଥିବା ସୂଚନା ମିଳିଛି। ସେ କ୍ୟାଚ୍ ଧରିପକାଇଥିଲେ। ହେଲେ ତଳେ ପଡ଼ିଯିବା ପରେ ବଲ୍‌ଟି ହାତରୁ ଖସିଯାଇଥିଲା। ଏହାପରେ ବି ସେ ମ୍ୟାଚ୍‌ରେ ଫିଲ୍ଡିଂ କରିଥିଲେ। ତେବେ ଆଘାତ ବେଶି ଗମ୍ଭୀର ନୁହେଁ ବୋଲି କୁହାଯାଉଥିବା ବେଳେ ମ୍ୟାଚ୍ ସରିବା ପରେ ଆଣ୍ଠୁ ଫୁଳିଯାଇଥିବା ଦେଖିବାକୁ ମିଲିଥିଲା। ତେଣୁ ସ୍କାନିଂ କଲେ ଜଣାପଡ଼ିବ ବୋଲି କୁହାଯାଉଛି।

ଏପଟେ ସାମସନଙ୍କ ଖେଳିବା ନେଇ ପ୍ରଶ୍ନ ଉଠିବା ପରେ ରାହୁଲ ତ୍ରିପାଠୀଙ୍କୁ ମଉକା ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ରାହୁଲ ଭାରତୀୟ ଟିମ୍‌ରେ ସାମିଲ୍ ହୋଇଥିଲେ ବି ଡେବ୍ୟୁ କରିବାକୁ ତାଙ୍କୁ ଏପର୍ଯ୍ୟନ୍ତ ମଉକା ମିଳିପାରି ନାହିଁ। ସିରିଜର ପ୍ରଥମ ମ୍ୟାଚ୍‌ରେ ଶୁଭମନ ଗିଲ୍ ଓ ଶିବ ମାବି ଡେବ୍ୟୁ କରିଥିଲେ। ଆଉ ଏବେ ରାହୁଲ ଡେବ୍ୟୁ କରିବା ଅପେକ୍ଷାରେ ରହିଛନ୍ତି। ତେଣୁ ବିସିସିଆଇ ପକ୍ଷରୁ କଣ ଅପ୍‌ଡେଟ୍ ଆସିବ ତାକୁ ହିଁ ଅପେକ୍ଷା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.