ଜେଲ ଯାଇ ବଦଳି ଯାଇଛନ୍ତି ସଞ୍ଜୟ ରାଉତ, କରୁଛନ୍ତି ଫଡନବୀଶଙ୍କୁ ପ୍ରଶଂସା, ମୋଦି-ଶାହଙ୍କୁ ଭେଟିବାକୁ ଇଚ୍ଛା

Published By : Prameya-News7 Bureau | November 10, 2022 IST

ମୁମ୍ବାଇ ୧୦।୧୧: ଶିବସେନା ସାଂସଦ ୧୦୨ ଦିନ ପରେ ଜେଲରୁ ମୁକୁଳିଛନ୍ତି। ସମର୍ଥକମାନେ ତାଙ୍କର ମୁକ୍ତି ଲାଗି ବେଶ୍ ଉତ୍ସାହିତ ଅଛନ୍ତି। ତେବେ ପୂର୍ବରୁ ପ୍ରତି ଅବସରରେ ବିଜେପି, ଫଡନବୀଶ ଓ ମୋଦି-ଶାହଙ୍କୁ ଟାର୍ଗେଟ କରୁଥିବା ସଞ୍ଜୟ ରାଉତ କିନ୍ତୁ ବଦଳି ଯାଇଛନ୍ତି। ଜେଲରୁ ବାହାରିବା ପରେ ରାଉତ ଉଦ୍ଧବ ଓ ଶରଦ ଯାଦବଙ୍କୁ ଭେଟିବେ ବୋଲି କହିଥିବା ବେଳେ ଫଡନବୀଶଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। କେବଳ ଏତିକି ନୁହେଁ ସେ ମୋଦି ଓ ଶାହଙ୍କୁ ଭେଟିବେ ବୋଲି ମଧ୍ୟ କହିଛନ୍ତି।

ଶିବସେନା ସାଂସଦ ସଞ୍ଜୟ ରାଉତ ୩ ମାସ ପରେ ଜେଲରୁ ବାହାରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ପାତ୍ର ଚାଲ ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡ୍ରିଂ ମାମଲାରେ ଗିରଫ କରିଥିଲା। ଜେଲରୁ ବାହାରିବା ପରେ ରାଉତ ଗୁରୁବାର ତାଙ୍କ ଘର ସମ୍ମୁଖରେ ଗଣମାଧ୍ୟମକୁ ଭେଟିଛନ୍ତି। ଗଣମାଧ୍ୟମ ସହ ଆଲୋଚନାରେ ରାଉତ ତାଙ୍କ ସ୍ୱାସ୍ଥ୍ୟ ଠିକ୍ ନଥିବା ସାମ୍ବାଦିକମାନଙ୍କୁ କହିଛନ୍ତି। ଏହି ସମୟରେ ସାମ୍ବାଦିକଙ୍କୁ ତାଙ୍କ ମଣିବନ୍ଧ ଦେଖାଇ ୩ ମାସ ପରେ ଘଡ଼ି ପିନ୍ଧୁଥିବା କହିଛନ୍ତି ଯାହା ଏବେ ତାଙ୍କ ହାତକୁ ଢିଲା ହେଉଛି।

ସଞ୍ଜୟ ରାଉତ କହିଛନ୍ତି ଯେ ଯେଉଁ ଲୋକେ ଏହି ଷଡ଼ଯନ୍ତ୍ର କରିଥିଲେ ଯଦି ଏଥିରୁ ସେମାନଙ୍କୁ ଆନନ୍ଦ ମିଳିଥାଏ ତେବେ ମୁଁ ସେମାନଙ୍କର ସହଭାଗୀ। ମୋର କାହାପ୍ରତି କୌଣସି ଅଭିଯୋଗ ନାହିଁ, ଏଥିଲାଗି ସେ ବ୍ୟବସ୍ଥାକୁ ଅଥବା କେନ୍ଦ୍ରୀୟ ଏଜେନ୍ସୀମାନଙ୍କୁ ଦାୟୀ କରିବେନି ବୋଲି କହିଛନ୍ତି। ଏହା ଛଡା ସେ ଖୁବ୍ ଶୀଘ୍ର ଉଦ୍ଧବ ଠାକରେ ଓ ଶରଦ ପାୱାରଙ୍କୁ ଭେଟିବେ ବୋଲି କହିଛନ୍ତି। ଉଭୟ ନେତା ତାଙ୍କ ଖରାପ ସମୟରେ ତାଙ୍କୁ ସାଥ ଦେଇଥିବା ସଞ୍ଜୟ କହିଛନ୍ତି।

{"id":707352,"sizeSlug":"full","linkDestination":"none"}

ସଞ୍ଜୟ ରାଉତ ସକାଳେ ଟେଲିଫୋନ ଯୋଗେ ଶରଦ ପାୱାରଙ୍କ ସହ କଥା ହୋଇଥିବା କହିଥିବା ବେଳେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କ ସହ ମଧ୍ୟ କଥା ହୋଇଥିବାର ସୂଚିତ କରିଛନ୍ତି। ସେ କହିଛନ୍ତି ଯେ ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବି ଭେଟିବେ । ଏହି ସାକ୍ଷାତ ଆଲୋଚନାରେ ତାଙ୍କ ସହ ଏହି ସମୟ ମଧ୍ୟରେ କଣ କଣ ସବୁ ହୋଇଛି ସେ ବାବଦେ ମଧ୍ୟ ଜଣାଇବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଗତ କିଛି ବର୍ଷରେ ରାଜନୀତିର ସ୍ତର ଖସିଛି। ମୁଁ ସାଂସଦ ଓ ମୋ ଭାଇ ବିଧାୟକ ଏଣୁ ନେତାମାନଙ୍କୁ ଭେଟିବାଲାଗି ଆମର ଅଧିକାର ଥିବା କହିଛନ୍ତି।

ସଞ୍ଜୟ ରାଉତ କହିଛନ୍ତି ଯେ ମହାରାଷ୍ଟ୍ରରେ ନୂଆ ସରକାର ହୋଇଛି। ଫଡନବୀଶ ସରକାର କିଛି ଭଲ ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି ମୁଁ ସରକାରଙ୍କୁ ସ୍ୱାଗତ କରୁଛି। ସେ ଫଡନବୀଶଙ୍କୁ ମଧ୍ୟ ଭେଟିବେ ବୋଲି କହିଛନ୍ତି। ତେବେ ସେ ବିଜେପିର ବିରୋଧ ଜାରି ରଖିବେ ବୋଲି କହିଛନ୍ତି। କାରଣ ସହଯୋଗରେ ଯେଉଁ ସରକାର ଗଢିଛନ୍ତି ତାହା ଅନୈତିକ ଉପାୟରେ ଗଢା ଯାଇଛି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.