ପୁଣି ଏକ ସଙ୍ଗରେ ଦେଖାଯିବେ ମୁନ୍ନା ଓ ସର୍କିଟ୍, ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି ସଞ୍ଜୟ ଦତ୍ତ
26/01/2023 at 5:34 PM

ମୁମ୍ବାଇ ୨୬।୧: ଫିଲ୍ମ ‘ମୁନ୍ନା ଭାଇ ଏମବିବିଏସ୍’ପରେ ସଞ୍ଜୟ ଦତ୍ତ ଓ ଅରସଦ ୱାରସି ଯୋଡି ଫ୍ୟାନସ୍ଙ୍କ ଫେବରାଇଟ୍ ଯୋଡି ପାଲଟିଯାଇଛି। ଏହି ଦୁଇ କଳାକାରଙ୍କୁ ବଡ ପର୍ଦ୍ଦାରେ ଦେଖିବା ଫ୍ୟାନସ୍ଙ୍କ ଲାଗି କୌଣସି ରୋମାଞ୍ଚ ଠାରୁ କମ୍ ନୁହେଁ। ମୁନ୍ନା ଭାଇ ଏମବିବିଏସ୍ ରେ ମୁନ୍ନା ଓ ସର୍କିଟ ଲୋକଙ୍କ ଖୁବ ମନୋରଞ୍ଜନ କରିଛନ୍ତି। ଏବେ ପୁଣି ଥରେ ଏହି ଯୋଡି ଧୁମ ମଚେଇବାକୁ ଆସୁଛନ୍ତି। ସଞ୍ଜୟ ଦତ୍ତ ତାଙ୍କ ଇଂଷ୍ଟାଗ୍ରାମରେ ଏକ ପୋଷ୍ଟର ସେୟାର କରିଛନ୍ତି। ଏଥିରୁ ଫ୍ୟାନସ୍ ଅନ୍ଦାଜ କରୁଛନ୍ତି ଖୁବ୍ ଶୀଘ୍ର ମୁନ୍ନା ଭାଇ ଏମବିବିଏସ୍ ଫ୍ରାଞ୍ଚାଇଜିର ତୃତୀୟ ଫିଲ୍ମ ପରଦାକୁ ଆସୁଛି।
ସଞ୍ଜୟ ଦତ୍ତ ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରିଛନ୍ତି। ଯେଉଁଥିରେ ସଞ୍ଜୟ ଦତ୍ତ ଓ ଅରସଦ ୱାରସି ଜେଲରେ ଛିଡା ହୋଇଥିବା ଦେଖାଯାଉଛନ୍ତି। ଉଭୟ କୈଦୀଙ୍କ ପରି ପୋଷାକ ପିନ୍ଧିଛନ୍ତି ଓ ସମସ୍ୟା ଗ୍ରସିତ ଦେଖାଯାଉଛନ୍ତି। ଏହାର କ୍ୟାପସନରେ ସଞ୍ଜୟ ଦତ୍ତ ଲେଖିଛନ୍ତି ଯେ ଆମର ଅପେକ୍ଷା ଆପଣଙ୍କଠାରୁ ଢେର ଅଧିକ ଥିଲା। ମୁଁ ମୋର ଭାଇ ଅରସଦ ୱାରସିଙ୍କ ସହ ପୁଣି ଥରେ ବଢିଆ ଫିଲ୍ମ ନେଇ ଆସୁଛି। ତେବେ ସଞ୍ଜୟ ଦତ୍ତ ପୋଷ୍ଟର ସେୟାର କରି ଫିଲ୍ମର ନାମ ଘୋଷଣା କରି ନାହାନ୍ତି।

ତେବେ ପୋଷ୍ଟରରେ ଫିଲ୍ମର ନିର୍ଦ୍ଦେଶନା ସିଦ୍ଧାନ୍ତ ସଚ୍ଚଦେବ କରୁଥିବା ସୂଚିତ କରିଛନ୍ତି। ଏହି ଫିଲ୍ମର ପ୍ରଡକ୍ସନ ନିଜେ ସଞ୍ଜୟ ଦତ୍ତ କରୁଛନ୍ତି। ଫ୍ୟାନସ୍ଙ୍କ ଲାଗି ଖୁସି ଖବର ହେଉଛି ଏହି ଫିଲ୍ମଟି ଚଳିତ ବର୍ଷ ମୁକ୍ତିଲାଭ କରିବ। ଏହି ପୋଷ୍ଟର ଆସିବା ସହ ଫ୍ୟାନସ୍ ବେଶ୍ ଉତ୍ସାହିତ ଅଛନ୍ତି। ଅନୁମାନ କରାଯାଉଛି ଏହି ଫିଲ୍ମ ସଞ୍ଜୟ ଦତ୍ତଙ୍କ ନୂଆ ଫିଲ୍ମ ମୁନ୍ନା ଭାଇ-୩ର ପୋଷ୍ଟର ବୋଲି।
ଉଲ୍ଲେଖଯୋଗ୍ୟ ଯେ ସଞ୍ଜୟ ଦତ୍ତ ଏବଂ ଅରସଦ ୱାରସିଙ୍କ ଅଭିନୀତ ଫିଲ୍ମ ଲଗେ ରହୋ ମୁନ୍ନା ଭାଇ ୨୦୦୬ରେ ମୁକ୍ତି ଲାଭ କରିଥିଲା। ଏହି ଫିଲ୍ମ ୨୦୦୩ରେ ମୁନ୍ନା ଭାଇ ଏମବିବିଏସ୍ ରେ ଫ୍ୟାନ୍ସଙ୍କୁ ଖୁବ୍ ମନୋରଞ୍ଜନ କରିଥିଲା। ଏବେ ଫ୍ୟାନସ୍ ପୁଣି ଥରେ ଦୁଇ କଳାକାରଙ୍କୁ ଏକତ୍ର ଦେଖିବା ଲାଗି ବେଶ୍ ଉତ୍ସାହିତ ଅଛନ୍ତି।