ନୂଆଦିଲ୍ଲୀ ୩।୪: ଆମ ଆଦମୀ ପାର୍ଟି (ଆପ) ନେତା ସଞ୍ଜୟ ସିଂହଙ୍କ ବେଲ ଅର୍ଡର ରାଉଜ ଏଭେନ୍ୟୁ କୋର୍ଟକୁ ପହଞ୍ଚି ଯାଇଛି। କୋର୍ଟ ଶୁଣାଣି ପରେ ଜାମିନର ସର୍ତ୍ତ ନିର୍ଦ୍ଧାରିତ କରିଛନ୍ତି। ସେହି ଅନୁସାରେ କୋର୍ଟ ସଞ୍ଜୟ ସିଂହଙ୍କୁ ତାଙ୍କ ପାସପୋର୍ଟ ସରେଣ୍ଡର କରିବାକୁ କହିଛନ୍ତି। କୋର୍ଟ କହିଛନ୍ତି ସଞ୍ଜୟ ସିଂହ ମାମଲାର ପ୍ରମାଣକୁ ପ୍ରଭାବିତ କରିବେ ନାହିଁ। ସେ ଦିଲ୍ଲୀ ଏନସିଆର ଛାଡି ଯିବେ ନାହିଁ। ସେହିପରି ଅବକାରୀ ଦୁର୍ନୀତି ମାମଲାରେ କୌଣସି ବୟାନ ଓ ଟିପ୍ପଣୀ କରିବେ ନାହିଁ।
ତେବେ ସଞ୍ଜୟ ସିଂହଙ୍କ ଓକିଲ କୋର୍ଟଙ୍କୁ ଦିଲ୍ଲୀ-ଏନସିଆର ଛାଡିବା ପୂର୍ବରୁ ଅନୁମତିର ସର୍ତ୍ତ ନ ରଖିବାକୁ ଆଗ୍ରହ କରିଥିଲେ। ଓକିଲ କହିଥିଲେ ଯେ ସେ ଜଣେ ରାଜନୈତିକ ନେତା ଓ ଏହା ଦେଶରେ ନିର୍ବାଚନର ସମୟ। ଏଣୁ କୋର୍ଟ ସେ ଦିଲ୍ଲୀ-ଏନସିଆର ଛାଡିବା ପୂର୍ବରୁ ତାଙ୍କର ଯାତ୍ରା କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ ବୋଲି କହିଛନ୍ତି। ସଞ୍ଜୟ ସିଂହଙ୍କ ଓକିଲ ଋଷିକେଶ କୁମାର କହିଛନ୍ତି ଯେ ଟ୍ରାୟଲ କୋର୍ଟ ବେଲ ସର୍ତ୍ତରେ ୨ଲକ୍ଷ ଟଙ୍କା ଜାମିନ ରାଶି ଧାର୍ଯ୍ୟ କରିଛନ୍ତି।
କୋର୍ଟ ତାଙ୍କୁ ପାସପୋର୍ଟ ଜମା କରିବାକୁ କହିଥିବା ବେଳେ ତାଙ୍କୁ ଦେଶରୁ ବାହାରକୁ ଯିବାକୁ ଅନୁମତି ଅଛି ବୋଲି କହିଛନ୍ତି। କୋର୍ଟ କହିଛନ୍ତି ଯେ ସେ ଏହି ମାମଲାରେ ତାଙ୍କର ଭୂମିକା ସମ୍ପର୍କରେ କାହା ସହ କଥା ହେବେ ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ଦିଲ୍ଲୀରୁ କେଉଁ ଆଡେ ବାହାରକୁ ଯାଆନ୍ତି ତେବେ ଯାଞ୍ଚ ଅଧିକାରୀ(ଆଇଓ)ଙ୍କୁ ତାଙ୍କ ଯାତ୍ରାର ପୁରା ସୂଚନା ଦେଇ ଯିବେ। ରାଉଜ ଏଭେନ୍ୟୁ କୋର୍ଟରୁ ରିଲିଜ ଅର୍ଡର ତିଆରି ହୋଇ ଏବେ ତିହାର ଜେଲକୁ ଯିବ ଓ ସମ୍ଭବତଃ ତାଙ୍କୁ ଆଜି ଜେଲରୁ ମୁକ୍ତି ମିଳିଯାଇପାରେ। ସୁପ୍ରିମକୋର୍ଟ ମଙ୍ଗଳବାର ସଞ୍ଜୟ ସିଂହଙ୍କୁ ଜାମିନରେ ଛାଡିବାକୁ ଆଦେଶ ଦେଇଥିଲେ।