ଏକନାଥ ସିନ୍ଧେଙ୍କୁ ସଞ୍ଜୟ ରାଉତଙ୍କ ଅପିଲ୍- ଆସନ୍ତୁ କଥା ହେବା, ମହାବିକାଶ ଅଘାଡି ଛାଡିବାକୁ ପ୍ରସ୍ତୁତ ଶିବସେନା
23/06/2022 at 4:13 PM

ମୁମ୍ବାଇ: ବିଦ୍ରୋହୀ ଏକନାଥ ସିନ୍ଧେଙ୍କ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିଛି ଶିବସେନା। ସିନ୍ଧେଙ୍କ ପ୍ରସ୍ତାବ ମାନିବାକୁ ଦଳ ସଙ୍କେତ ମଧ୍ୟ ଦେଇଛି। ଆସାମର ଗୌହାଟୀରେ ଡେରା ପକାଇଥିବା ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଏବଂ ତାଙ୍କ ସମର୍ଥକ ବିଧାୟକଙ୍କୁ ପାର୍ଟି ପୁଣି ଥରେ ମୁମ୍ବାଇ ଫେରି ଆସିବାକୁ ଅପିଲ୍ କରିଛି। ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଗୁରୁବାର ମିଡିଆ ସହ ଆଲୋଚନା ବେଳେ କହିଛନ୍ତି ହିନ୍ଦୁତ୍ଵ ପ୍ରସଙ୍ଗ ଉଠାଇଥିବା ଯେଉଁ ବିଧାୟକମାନେ ମହାରାଷ୍ଟ୍ର ବାହାରେ ଅଛନ୍ତି ଏବଂ ଶିବସେନାକୁ ମହାବିକାଶ ଅଘାଡି ମେଣ୍ଟରୁ ବାହାରିବାକୁ ଚାହୁଁଛନ୍ତି ସେମାନେଙ୍କୁ ମୁମ୍ବାଇ ଫେରିବା ଉଚିତ୍। ସାହାସ ବାନ୍ଧି ଆସନ୍ତୁ, ଏକାଠି ବସି ଆଲୋଚନା କରିବା। ଶିବସେନା ମହାବିକାଶ ଅଘାଡିରୁ ମଧ୍ୟ ବାହାରିବାକୁ ପ୍ରସ୍ତୁତ। ଅନାସ୍ଥା ପ୍ରସ୍ତାବ ଆସିଲେ ଆମର ବିଜୟ ହେବ। ୨୪ ଘଣ୍ଟାରେ ମୁମ୍ବାଇ ଆସ ଏବଂ ଉଦ୍ଧବ ଠାକରେଙ୍କ ସହିତ ବସି କଥା ହୁଅ ବୋଲି ସଞ୍ଜୟ ରାଉତ କହିଛନ୍ତି।
ଆମକୁ ଭରସା ଯେ, ଉଦ୍ଧବ ଠାକରେ ଶୀଘ୍ର ମୁଖ୍ୟମନ୍ତ୍ରୀ ବାସଭବନ ‘ବର୍ଷା’ ଫେରିବେ। ଆମ ବିଧାୟକଙ୍କୁ ଅପହରଣ କରାଯାଇଛି। ଯେଉଁ ବିଧାୟକମାନେ ଗୌହାଟୀରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ୨୧ ଜଣ ଆମ ସଂପର୍କରେ ଅଛନ୍ତି ଏବଂ ମୁମ୍ବାଇ ଆସିବାକୁ ଚାହାନ୍ତି ବୋଲି ସଞ୍ଜୟ ରାଉତ କହିଛନ୍ତି। ସୁରଟରେ ଏକନାଥ ସିନ୍ଧେଙ୍କ ଶିବିରରୁ ବାହାରି ଆସିଥିବା ନୀତିନ ଦେଶମୁଖ କହିଛନ୍ତି ପୂର୍ବରୁ ମଧ୍ୟ ଅନେକ ଥର ସରକାର ଭାଙ୍ଗିବାକୁ ଷଡଯନ୍ତ୍ର ରଚା ଯାଇଛି। କିଛି ଲୋକ ହିନ୍ଦୁତ୍ଵ ଉପରେ କଥା ହେଉଛନ୍ତି। ଯଦି ଆପଣ ସରକାରରେ ସହମତ ନଥିଲେ ତେବେ ଉଦ୍ଧବ ଠାକରେଙ୍କୁ ଭେଟି ନିଜ ପଦରୁ ଇସ୍ତଫା ଦେଇ ଦେବାର ଥିଲା। ମାତ୍ର ଆଲୋଚନା କରିବା ବଦଳରେ କିଛି ବିଧାୟକଙ୍କୁ ଧରି ଏଠାରୁ ପଳାୟନ କରିଛନ୍ତି। ମିଡିଆକୁ ଆମର ଅନୁରୋଧ ଯେ ମହାରାଷ୍ଟ୍ରରେ ଯେମିତି ସ୍ଥିତି ରହିଛି ତାହା ହିଁ ପ୍ରସାରଣ କରନ୍ତୁ ବୋଲି ନୀତିନ କହିଛନ୍ତି।
ଭିଡିଓ ଜାରି କରି ଶକ୍ତି ପ୍ରଦର୍ଶନ କଲେ ଏକନାଥ ସିନ୍ଧେ
ଏକନାଥ ସିନ୍ଧେଙ୍କ ଗୋଷ୍ଠୀ ମଧ୍ୟ ଭିଡିଓ ଜାରି କରି ସିନ୍ଧେଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି। ଏଥିରେ ୪୨ ବିଧାୟକଙ୍କୁ ଦେଖିବାକୁ ମିଳିଛି। ସେମାନେ ଶକ୍ତି ପ୍ରଦର୍ଶନ କରି ନାରା ଦେଇ କହୁଛନ୍ତି ଯେ, ଏକନାଥ ସିନ୍ଧେ ସଂଘର୍ଷ କରନ୍ତୁ, ଆମେ ଆପଣଙ୍କ ସହିତ ଅଛୁ। ଏତେ ବଡ ବିଦ୍ରୋହ ପରେ ମଧ୍ୟ ଶିବସେନା ତରଫରୁ ଏକନାଥ ସିନ୍ଧେ ଏବଂ ତାଙ୍କ ସମର୍ଥକଙ୍କ ପ୍ରତି କଡା ଆଭିମୁଖ୍ୟ ଆପଣେଇ ନାହିଁ। ଏଥିରୁ ସ୍ପଷ୍ଟ ଯେ ଶିବସେନାର ଆଭିମୁଖ୍ୟ ନରମ ରହିଛି ଏବଂ ଦଳ କୌଣସି ପ୍ରକାରେ ଏକନାଥ ସିନ୍ଧେଙ୍କୁ ମନାଇବାକୁ ଚାହୁଁଛି।