ଯୋଜନା ବୋର୍ଡ ଉପାଧ୍ୟକ୍ଷ ହେଲେ ସଞ୍ଜୟ ଦାସବର୍ମା, ବିରୋଧୀ ଉଠାଇଲେ ପ୍ରଶ୍ନ…
2/03/2020 at 10:06 PM

ଭୁବନେଶ୍ବର୨/୩: ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ବ ନେଲେ ସଞ୍ଜୟ ଦାସବର୍ମା । ହେଲେ ୧୩ ବର୍ଷ ହେଲା ଯୋଜନା ବୋର୍ଡ ବୈଠକ ବସି ପାରି ନି ଯାହାକୁ ନେଇ ଉଠିଛି ପ୍ରଶ୍ନ । ଯୋଜନା ବୋର୍ଡକୁ ସରକାର କେବଳ ନେତାଙ୍କ ଥଇଥାନ କେନ୍ଦ୍ର କରିଛନ୍ତି ବୋଲି ଆରୋପ ଉଠାଇଛନ୍ତି ବିରୋଧୀ । ସେପଟେ ଯୋଜନା ବୋର୍ଡକୁ କ୍ରିୟାଶୀଳ କରିବାକୁ ଉଦ୍ୟମ କରିବେ ବୋଲି ନୂଆ ଉପାଧ୍ୟକ୍ଷ କହିଥିବା ବେଳେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯୋଜନା ବୋର୍ଡ କୁ ନୀତି ଆୟୋଗ ଢାଞ୍ଚାରେ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର ।

ବଦଳିବ କି ରାଜ୍ୟ ଯୋଜନା ବୋର୍ଡର ପରିଚୟ । ନୂଆ ଉପାଧ୍ୟକ୍ଷ ଯୋଜନା ବୋର୍ଡର କାର୍ଯ୍ୟକୁ କ୍ରିୟାଶୀଳ କରିବେ ନା ସେ ବି ଥଇଥାନ କେନ୍ଦ୍ରର ଉପାଧ୍ୟକ୍ଷ ହୋଇ ରହିବେ। ଏମିତି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଦୀର୍ଘ ଦିନ ହେଲା ଖାଲି ପଡିଥିବା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ବ ନେଇଛନ୍ତି ସଞ୍ଜୟ ଦାସବର୍ମା। ଆଜି ଲୋକସେବା ଭବନରେ ଯୋଜନା ଓ ସଂଯୋଜନା ମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଦାୟିତ୍ବ ନେଇଛନ୍ତି ।

ଗୋଟିଏ ପଟେ ରାଜ୍ୟ ସରକାର ଯୋଜନା ବୋର୍ଡକୁ ନୀତି ଆୟୋଗ ଢାଞ୍ଚାରେ ଠିଆ କରାଇବାକୁ ଚେଷ୍ଟା ଜାରି ରଖିଛନ୍ତି ଆଉ ଏଭଳି ସମୟରେ ଉପାଧ୍ୟକ୍ଷ ହୋଇଛନ୍ତି ସଞ୍ଜୟ। ଦାୟିତ୍ବ ନେବା ପରେ ସଞ୍ଜୟ କହିଛନ୍ତି ଯୋଜନା ବୋର୍ଡକୁ କ୍ରିୟାଶୀଳ କରିବାକୁ ସେ ଚେଷ୍ଟା କରିବେ। ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତରର ଯାଏ ଯୋଜନା କିପରି ସଠିକ ରୂପାୟନ ହୋଇପାରିବ ସେନେଇ ଉଦ୍ୟମ କରିବେ।

୧୯୬୯ରେ ରାଜ୍ୟ ସରକାର ଗଠନ କରିଥିଲେ ରାଜ୍ୟ ଯୋଜନା ବୋର୍ଡ । ପୁଣି ୨୦୧୦ରେ ବୋର୍ଡର ପୁନର୍ଗଠନ ହେଲା । ୧୯୯୮ ମସିହା ରିଜୋଲ୍ୟୁସନ ଅନୁସାରେ ଉପାଧ୍ୟକ୍ଷ ସହ ୧୫ ସଦସ୍ୟ ରହିବାର ନିୟମ ହୋଇଛି । ରାଜ୍ୟ ଯୋଜନା ବୋର୍ଡ ବୈଠକ ୧୩ ବର୍ଷ ହେଲା ବସିନି । ଅକ୍ଟୋବର୧୫ ୨୦୦୭ରେ ଶେଷ ବୈଠକ ବସିଥିଲା । ଜଣଙ୍କ ପରେ ଜଣେ ନେତାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ବ ମିଳିଛି । କିନ୍ତି କମିଟି ବୈଠକ ଥରୁଟିଏ ବି ବସି ପାରିନି ।
ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଉଭୟ କଂଗ୍ରେସ ଓ ବିଜେପି କହିଛନ୍ତି ରାଜ୍ୟ ସରକାର ଯୋଜନା ବୋର୍ଡକୁ ନେତାଙ୍କ ଥଇଥାନ ବୋର୍ଡ କରିଛନ୍ତି । ସେପଟେ ଯୋଜନା ଓ ସଂଯୋଜନା ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ଯୋଜନା ବୋର୍ଡକୁ କେନ୍ଦ୍ର ନୀତି ଆୟୋଗ ଢାଞ୍ଚାରେ ଗଠନ କରିବାକୁ ବିଚାର ବିମର୍ଶ ଜାରି ରଖିଛନ୍ତି । ଖୁବ ଶିଘ୍ର ଏହା ଚୁଡାନ୍ତ ରୂପ ନେବ । ରାଜ୍ୟ ଯୋଜନା ବୋର୍ଡକୁ ସରକାର ୨୪ ମେ ୨୦୧୮ରେ ଭାଙ୍ଗି ଦେଇଥିଲେ । ଏବେ ନୂଆ ଉପାଧ୍ୟକ୍ଷଙ୍କୁ ନିଯୁକ୍ତି ମିଲିବା ପରେ ବୋର୍ଡର ପୁନର୍ଗଠନ ହେବ ।