ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ
1/03/2020 at 11:49 AM

ଭୁବନେଶ୍ବର ୧।୩ : ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କୁ ନୂଆ ଦାୟିତ୍ବ ମିଳିଛି । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ହୋଇଛନ୍ତି ସଞ୍ଜୟ ଦାସ ବର୍ମା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାୟିତ୍ବ ଦେଇଛନ୍ତି । ନୂଆ ଦାୟିତ୍ବ ସହ କ୍ୟାବିନେଟ୍ ପାହ୍ୟା ମଧ୍ୟ ତାଙ୍କୁ ମିଳିଛି । ଯୋଜା ବୋର୍ଡର ଉପାଧ୍ୟକ୍ଷ ଥିଲେ ବିଷ୍ଣୁ ଦାସ ।
ନୂଆ ଦାୟିତ୍ବ ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ସଞ୍ଜୟ ଦାସବର୍ମା । ନୂଆ ଦାୟିତ୍ବ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଯେ, ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ମିଳିଛି ତାକୁ ସେ କରିଛନ୍ତି । ରାଜ୍ୟ ଯୋଜନା ବୋର୍ଡ଼କୁ କିଭଳି ଅଧିକ କ୍ରିୟାଶୀଳ କରାଯାଇ ପାରିବ ତାହା ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବି ବୋଲି ସେ କହିଛନ୍ତି । ଆସନ୍ତାକାଲି ଦାୟିତ୍ୱ ନେବା ପରେ ଯୋଜନା ବୋର୍ଡ଼ କଳେବର ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ନୂଆ ରୂପ, ନୂଆ କଳେବରରେ ଆପଣମାନେ ଯୋଜନା ବୋର୍ଡ଼କୁ ଦେଖିବେ ବୋଲି ସେ କହିଛନ୍ତି ।
ଗତ ସାଧାରଣ ନିର୍ବାଚନରେ ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ପରାସ୍ତ ହୋଇଥିଲେ । ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କଠାରୁ ସେ ପରାସ୍ତ ହୋଇଥିଲେ । ସ୍ବର୍ଗତ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଭାଇ ଲଳିତେନ୍ଦୁ । ସଞ୍ଜୟଙ୍କୁ ୮୫ ହଜାର ୩୬୦ଖଣ୍ଡ ଭୋଟ୍ ମିଳିଥିବା ବେଳେ ଲଳିତେନ୍ଦୁଙ୍କୁ ମିଳିଥିଲା ୮୭ହଜାର ୯୯୩ଟି ଭୋଟ୍ । ମାତ୍ର ୨ହଜାର ୫୭୩ ଭୋଟ୍ ବ୍ୟବଧାନରେ ହାରିଥିଲେ ସଞ୍ଜୟ ଦାସବର୍ମା ।