ରବିବାର ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ : ବଡ ଆୟୋଜନ କରୁଛି ଦଳ, ଭର୍ଚୁଆଲରେ ସାମିଲ ହେବେ ସୁପ୍ରିମୋ ନବୀନ ପଟ୍ଟନାୟକ

Published By : Prameya-News7 Bureau | December 25, 2021 IST

ଭୁବନେଶ୍ୱର, ୨୫/୧୨:  ରବିବାର ବିଜେଡି  ୨୫ତମ ପ୍ରତିଷ୍ଠା ଦିବସ ପାଳିବ । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଏହାକୁ ବ୍ୟାପକ ଆକାରରେ ପାଳନ କରିବାକୁ ଦଳ କରିଛି ଗ୍ରାଣ୍ଡ ଆୟୋଜନ ।  ପ୍ରତି ବ୍ଲକ ଓ ଜିଲ୍ଲା ମୁଖ୍ୟାଳୟରେ ବିଜେଡି କର୍ମୀଙ୍କୁ ଏକାଠି କରି ବଡ ସଭା ଆୟୋଜନ କରିବାକୁ ଦଳ ପକ୍ଷରୁ ଦିଆଯାଇଛି ନିର୍ଦ୍ଦେଶ । ସବୁ ସ୍ଥାନରେ ବିଧାୟକ, ସାଂସଦ ଓ ଅନ୍ୟ ଛାମୁଆ ନେତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବେ । ଭର୍ଚୁଆଲରେ ଉପସ୍ଥିତ ରହିବେ ଖୋଦ୍‌ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ କ’ଣ ସବୁ ଆୟୋଜନ ହୋଇଛି ଆସନ୍ତୁ ତା’ ଉପରେ ଟିକେ ନଜର ପକାଇବା ।

ଡିସେମ୍ବର ୨୬ । ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଆସନ୍ତାକାଲି ନେତା କର୍ମୀଙ୍କ ଗହଣରେ ପ୍ରତିଷ୍ଠା ଦିବସ ପାଳିବାକୁ ଦଳ କରିଛି ଗ୍ରାଣ୍ଡ୍ ଆୟୋଜନ । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଦଳର ପ୍ରତିଷ୍ଠା ଦିବସକୁ ବ୍ୟାପକ ଆକାରରେ ପାଳନ କରିବା ସହ  ସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଭରପୁର ଉଦ୍ୟମ କରିଛି ବିଜେଡି । ଏହି ଅବସରରେ କିଭଳି ସରକାରଙ୍କ ସମସ୍ତ ଜନହିତକର କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚିବ ସେନେଇ କର୍ମୀଙ୍କ କାନରେ ମନ୍ତ୍ର ଫୁଙ୍କିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ବିଶେଷ କରି ଗତ କିଛି ଦିନ ଭିତରେ ବିଭିନ୍ନ ବର୍ଗଙ୍କ ପାଇଁ ସରକାର ଘୋଷଣା କରିଥିବା ଆର୍ଥିକ ସହାୟତା ଠାରୁ ଆରମ୍ଭ କରି ବିଭିନ୍ନ ସ୍କିମରେ ଲୋକେ କିଭଳି ଉପକୃତ ହେଉଛନ୍ତି ତାହା ଭୋଟରଙ୍କୁ ବୁଝାଇବାକୁ ଦଳର ନେତା ଓ କର୍ମୀଙ୍କୁ  ନବୀନ ପରାମର୍ଶ ଦେବେ ବୋଲି କୁହାଯାଉଛି ।

ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ  ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଏକ ପ୍ରକାର ଉଦ୍ୟମ ଆରମ୍ଭ କରିସାରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆଉ  ସରକାରଙ୍କ ସଫଳତା ଭୋଟରଙ୍କ ପାଖରେ ବଖାଣିବାକୁ ବିଜେଡି କର୍ମି ଓ ନେତାଙ୍କୁ ସଂଙ୍କେତ ଦିଆ ଯାଇଥିବା କୁହାଯାଉଛି ।ତେଣୁ ଦଳର ପ୍ରତିଷ୍ଠା ଦିବସ ପାଳନ ଅବସରରେ ନେତା ଓ କର୍ମି କିଭଳି ଗାଁ ମୁହାଁ ହେବେ ସେନେଇ ନବୀନ  ଦଳୀୟ କର୍ମୀଙ୍କୁ ସଂଧ୍ୟାରେ ଉଦବୋଧନ ଦେବେ । ଏଥିପାଇଁ  ୩୧୪ ବ୍ଲକରେ ସ୍ବତନ୍ତ୍ର ଆୟୋଜନ କରିଛି ବିଜେଡି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.