ବିନା କାଗଜପତ୍ରରେ ଚାଲିଛି ଚୋରା ବାଲି ଚାଲାଣ –ମାଫିଆ ସକ୍ରିୟ, ଆକ୍ସନ ଶୂନ

Published By : Prameya-News7 Bureau | December 01, 2019 IST

ଭୁବନେଶ୍ୱର ୦୧।୧୨ - ପିଲାଙ୍କ ବହିରେ ପଢ଼ିଥିଲୁ ବସି ଖାଇଲେ ନଈବାଲି ସରେ। କିନ୍ତୁ କିଛି ସରକାରୀ କର୍ମଚାରୀ ବସି ରହିଲେ, ଆକ୍ସନ ନେଲେଣି ଆଉ ମାଫିଆ ନଈବାଲି ସାରିଦେଲେଣି । କଥା କେବଳ ଗଞ୍ଜାମ ନୁହେଁ ଆଉ ୫ଟି ସ୍ଥାନ ଗ୍ରାଉଣ୍ଡ ଜିରୋ ରିପୋର୍ଟ ଦେଖନ୍ତୁ । କେମିତି ଏସବୁ ସ୍ଥାନରେ ନଦୀ ପଠାରେ ଚାଲିଛି ବେଧଡ଼କ କାରବାର, ତାପୁଣି ପୋଲିସ ଏବଂ ପ୍ରଶାସନର ନାକ ତଳେ। …

{"id":192711,"sizeSlug":"large"}

ବାଲେଶ୍ବର ଜିଲ୍ଲା ଜଳେଶ୍ବର। ବେଶ ଚତୁରତାର ସହ ଲୁଟ ଚଳାଇଛନ୍ତି ବାଲି ମାଫିଆ।  ପାଇପ ବାଟେ ପାଣି ମିଶା ବାଲି ବାହାରି ଆସୁଛି।  ପାଣି ତ ନିଗିଡ ଯାଉଛି, ହେଲେ ବାଲି ସବୁ ପାହାଡ ପ୍ରମାଣ ଗଦା ହୋଇଯାଉଛି।  ଜଳେଶ୍ବରରେ ନଦୀ ଭିତରେ ଠିଆ ହୋଇଛି ଡଙ୍ଗା , ସେଥିରେ ମୋଟର ଲାଗିଛି ଯାହା ନଦୀ ଭିତରୁ ପାଣି ଟାଣି ଆଣୁଛି ।

{"id":192712,"sizeSlug":"large"}

ଏଇଠୁ ସିଧା ମୋଟା ପାଇପ ପଡିଛି ଉପରକୁ। ବାହାରୁ ଦେଖିଲେ ଲାଗିବ ବୋଧେ ପାଣି ଉଠା ଯାଉଛି । କିନ୍ତୁ ପାଖରୁ ଦେଖିଲେ ବୁଝିହେବ ଚାଳିଛି ବାଲି କାରବାର । ଜଳେଶ୍ବର ବ୍ଲକରେ ୧୭ଟି ବାଲି ଘାଟ ରହିଛି। ଏଭିତରୁ ଅଧିକାଂଶ ସ୍ଥାନରେ ଏମିତି କାରବାର ଚାଲିଛି। ଏସବୁ ବାଲି ପୁଣି ପଶ୍ଚିବଙ୍ଗକୁ ଚାଲାଣ ହେଉଛି।

{"id":192713,"sizeSlug":"large"}

ରାଜଧାନୀ ଭୁବନେଶ୍ବରର।  ସହରରେ ଗଢିଉଠୁଥିବା ବହୁତଳ କୋଠା ପାଇଁ ଭୁବନେଶ୍ବର ଆଖପାଖରେ ଥିବା ବିଭିନ୍ନ ନଦୀପଠାରୁ ଉଠାଯାଉଛି ବାଲି। ଦୈନିକ ସହର ଭିତରକୁ ଆସୁଛି ଶହ ଶହ ଟ୍ରକ ଚୋରା ବାଲି। ଆଇନ କାନୁନ ଆଖିରେ ଆଙ୍ଗୁଠି ଗେଞ୍ଜି, କମିଶନରେଟ୍ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନର ନାକତଳେ ବିନା କାଗଜପତ୍ରରେ ଚାଲିଛି ବାଲି ଚୋରା କାରବାର। କେହି ଧରିଲେ ଭଣ୍ଡେଇବାକୁ ଅଛି ପୁରୁଣା ରସିଦ୍। ଗତ ସପ୍ତାହରେ ଭୁବନେଶ୍ବର ତହସିଲଦାର ଖଣ୍ଡଗିରି ଛକରେ ୯ଟି ବାଲି ଟ୍ରକ ସିଜ୍ କରି ୫୦ ହଜାର ଟଙ୍କା ଲେଖାଁଏ ଫାଇନ୍ କରିଛନ୍ତି। କିନ୍ତୁ ଏସବୁର ଯେମିତି କିଛି ପ୍ରଭାବ ନାହିଁ। …

{"id":192714,"sizeSlug":"large"}

ପଶ୍ଚିମ ଓଡ଼ିଶାରେ ବି ଚାଲିଛି ଖୋଲାଖୋଲି ବାଲି ଚାଲାଣ । ଝାରସୁଗୁଡା ଲହଣ୍ଡାବୁଡ ଠାରେ ଥିବା ଇବ୍ ନଦୀର ବାଲି ଘାଟରେ ଖୋଲାଖୋଲି ସରକାରୀ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି ବାଲି ମାଫିଆ | ପ୍ରତିଦିନ ଉଠାଇ ଚାଲିଛନ୍ତି ୫ ଶହରୁ ଅଧିକ ହାଇୱା ଭର୍ତ୍ତି ବାଲି  | ପୁଣି ନଦୀ ଭିତରକୁ ହାଇୱା ନେବାକୁ ବେଆଇନ ଭାବରେ ରାସ୍ତା ତିଆରି କରି ଦିଆଯାଇଛି। ଏହି ରାସ୍ତା ତିଆରି ହୋଇଛି ଫ୍ଲାଏ ଆସ୍‌ରେ। …

ଜଗତସିଂହପୁର ଦେଇ ବହି ଯାଇଥିବା ଦେବୀ ନଦୀ ଓ ମହାନଦୀ ପଠାରୁ ପ୍ରତିଦିନ ଶହ ଶହ ଟ୍ରକ ବାଲି ଚୋରା ଚଲାଣ ହେଉଛି। ଜଗତସିଂହପୁର ଜିଲ୍ଲାର ଏହି ଦୁଇ ନଦୀରେ ୧୨ଟି ସରକାରୀ ନିଲାମ ଘାଟ ରହିଥିବା ବେଳେ ପ୍ରାୟ ୨୦ରୁ ଅଧିକ ବେସରକାରୀ ବାଲି ଘାଟ ଚାଲିଛି। ପ୍ରତି ୫ବର୍ଷରେ ଥରେ ବାଲିଘାଟ ନିଲାମ କରାଯାଇଥାଏ। ଏସବୁ ଘାଟରୁ କେତେ  ପରିମାଣର ବାଲି ଉଠାଯିବ ତାହା ପାଇଁ ମଧ୍ୟ ଗାଇଡଲାଇନ ଅଛି। ତେବେ ଧାର୍ଯ୍ୟ ସୀମାଠାରୁ ଅଧିକ ବାଲି ଉଠା ଯାଉଛି। ପ୍ରତିଦିନ ଶହ ଶହ ବାଲି ଟ୍ରକ, ଟ୍ରାକ୍ଟର ଓ ହାଇୱାରେ ଦିନ ରାତି ଚଲାଣ ହେଉଛି।…

କେନ୍ଦ୍ରାପଡ଼ା ଜିଲ୍ଲାରେ ବାଲି ଚୋରା ଚାଲାଣ ନେଇ ଏନଜିଟି ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନେଇସାରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସପିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ କୋଟିଏ ଟଙ୍କା ଜରିମାନା କରିଛନ୍ତି ଏନଜିଟି।  ବ୍ରାହ୍ମଣୀ ନଦୀ ଶଯ୍ୟା ଓ ପଠାରୁ ହଜାର ହଜାର ଟ୍ରକ ବାଲି ଓ ମାଟି ଉଠାଇ ନେଉଥିଲେ ବେଆଇନ ଲାଇସେନ୍ସ ଧାରୀ । ବେଆଇନ ବାଲି ଉତ୍ତୋଳନ ସମ୍ପର୍କରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିକଟରେ ଅଭିଯୋଗ କରିଥିଲେ ସମାଜିକ କର୍ମୀ।  ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଏହି ଅଭିଯୋଗରେ ଜିଲ୍ଲା ମାଜିଷ୍ଟ୍ରେଟ, ଜିଲ୍ଲା ମାଇନିଂ ଅଫିସର ଓ ଏସ୍ ପିଙ୍କ ଠାରୁ ତଦନ୍ତ ରିପୋର୍ଟ ମାଗିଥିଲେ। ଏହି ରିପୋର୍ଟ ସତ୍ୟପାଠ ଜରିଆରେ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିକଟରେ ପ୍ରଦାନ କରିଥିଲେ ଜିଲ୍ଲା ପ୍ରଶାସନ। କିନ୍ତୁ ଏହି ସତ୍ୟପାଠ ଭୁଲ ବୋଲି ଗ୍ରୀନ ଟ୍ରିବ୍ୟୁନାଲଙ୍କ ହୃଦବୋଧ ହୋଇଥିଲା। ଗ୍ରୀନ ଟ୍ରିବ୍ୟୁନାଲ ତୁରନ୍ତ ବେଆଇନ ବାଲି ଉତ୍ତୋଳନ ବନ୍ଦ କରିବାକୁ ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସ୍ ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏସବୁ ଘଟଣା ଦେଖିଲେ ସାରା ରାଜ୍ୟରେ କେମିତି ବାଲି ଚୋରା ଚାଲାଣ ଚାଲିଛି ତାହା ଖୋଲାଖୋଲି ତାହା ପ୍ରଶାସନର ନିଦ ଭାଙ୍ଗିବ ବୋଲି ଆଶା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.