ହିମାଚଳ ସିଏମ୍‌ ସୁଖୁଙ୍କୁ ମିଳିଲାନି ସିଙ୍ଗଡ଼ା, ସରକାର ବିରୋଧୀ କହି CID କଲା ତଦନ୍ତ; କଟାକ୍ଷ କଲା ବିଜେପି

Published By : Prameya-News7 Bureau | November 08, 2024 IST

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ଏବେ ସାରା ଦେଶରେ ଭିନ୍ନ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହୁଛି । କେତେବେଳେ ସରକାରୀ କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ନଦେଇପାରି, ତ ଆଉ କେତେବେଳେ ଟଏଲେଟ୍ ଟ୍ୟାକ୍ସ ଲଗାଇ । କିନ୍ତୁ ଏବେ ହିମାଚଳ ସରକାର ଯେଉଁଥି ପାଇଁ ଚର୍ଚ୍ଚାକୁ ଆସିଛି ତାହା ପୂର୍ବରୁ କେବେ ବି ଶୁଣି ନଥିବେ । ସାଧାରଣ ସିଙ୍ଗଡ଼ା ପାଇଁ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କୁ ସିଙ୍ଗଡ଼ା ନମିଳିବାରୁ ସିଆଇଡି ତଦନ୍ତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସିଥିବା ସିଙ୍ଗଡ଼ା ଏବଂ କେକ୍ ଅନ୍ୟ କର୍ମଚାରୀଙ୍କୁ କିପରି ପରସାଗଲା ସିଆଇଡି ତାର ତଦନ୍ତ କରିଛି ।

ଏହି ମାମଲା ସାମନାକୁ ଆସିବା ପରେ ବିରୋଧୀ ପାର୍ଟି ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି । ଅନ୍ୟପଟେ ରିପୋର୍ଟରେ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକୁ ସରକାର ବିରୋଧୀ ଏବଂ ଭିଭିଆଇପିଙ୍କ ଉପସ୍ଥିତିର ସମ୍ମାନ ବିରୋଧୀ ଅପରାଧ ବୋଲି କହିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଏଥିରେ ସାମିଲ ଲୋକ ନିଜ ଏଜେଣ୍ଡା ଅନୁସାରେ କାମ କରୁଥିଲେ ।

ସିଆଇଡି ମୁଖ୍ୟାଳୟରେ ଅକ୍ଟୋବର ୨୧ରେ ଏକ କାର୍ଯ୍ୟକ୍ରମ ବେଳେ ଘଟିଥିବା ଏହି ଘଟଣାର ତଦନ୍ତ ପୋଲିସ ଉପାଧ୍ୟକ୍ଷ (ଡିଏସପି)ଙ୍କ ଦ୍ୱାରା କରାଯାଇଛି । ଏହି ଭୁଲରେ କେଉଁ ଅଧିକାରୀ ଏବଂ କର୍ମଚାରୀଙ୍କ ସମ୍ପୃକ୍ତି ରହିଛି ତାହା ଜାଣିବା ପାଇଁ ତଦନ୍ତ ହୋଇଛି ।

ଜାଣନ୍ତୁ ପୂରା ମାମଲା

ଅକ୍ଟୋବର ୨୧ରେ ସିଏମ୍ ସୁଖୁ ସିଆଇଡିର ସାଇବର ୱିଙ୍ଗ ରିପୋର୍ଟିଂ ଏବଂ ପ୍ରବନ୍ଧନ ପ୍ରଣାଳୀ ଷ୍ଟେସନର ଉଦ୍‌ଘାଟନ ପାଇଁ ସିଆଇଡି ମୁଖ୍ୟାଳୟ ପହଞ୍ଚିଥିଲେ । ସିଆଇଡିର ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସୁଖୁ ମୁଖ୍ୟ ଅତିଥି ଭାବେ ପହଞ୍ଚିଥିଲେ । ଶିମଲା ସ୍ଥିତ ହୋଟେଲ ରେଡିସନ ବ୍ଲୁରୁ ସିଙ୍ଗଡ଼ା ଏବଂ କେକର ତିନି ଡବା ଅତିଥି ପାଇଁ ଅଣାଯାଇଥିଲା । ଡେପୁଟି ଏସପି ରାଙ୍କର ଅଧିକାରୀଙ୍କ ବୟାନ ଅନୁସାରେ, ଖାଦ୍ୟ ଏବଂ ପାନୀୟ ଅତିଥିଙ୍କ ସୁରକ୍ଷା ଷ୍ଟାଫକୁ ପରସା ଯାଇଥିଲା । ସିଏମ୍ ସିଙ୍ଗଡ଼ା ପାଇଁ ଅପେକ୍ଷା କରିଥିଲେ କିନ୍ତୁ ତାଙ୍କୁ ମିଳି ନଥିଲା ।

କୁଆଡ଼େ ଗଲା ସିଙ୍ଗଡ଼ା

ଜଣେ ବରିଷ୍ଠ ଅଧିକାରୀ ଜଣେ ସବ-ଇନ୍ସପେକ୍ଟରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଜଳଖିଆ ଆଣିବା ପାଇଁ ଦାୟିତ୍ୱ ଦେଇଥିଲେ । ସବ-ଇନ୍ସପେକ୍ଟର ଏହି କାମ ଜଣେ ଏଏସଆଇ ଏବଂ ଜଣେ ହେଡ୍ କନଷ୍ଟେବଲଙ୍କୁ ଦେଇଥିଲେ । ତିନୋଟି ସିଲ୍ ବନ୍ଦ ଡବାରେ ଜଳଖିଆ ଆସିଥିଲା । କିନ୍ତୁ ବକ୍ସଗୁଡ଼ିକ ସିଆଇଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଭ୍ରମ ସୃଷ୍ଟି ହୋଇଥିଲା । ଜଳଖିଆ ବିତରଣ ଦାୟିତ୍ୱରେ ଥିବା ପର୍ଯ୍ୟଟନ ବିଭାଗ କର୍ମଚାରୀଙ୍କୁ କିନ୍ତୁ ଡବାରେ ଥିବା ସିଙ୍ଗଡ଼ା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସିଥିବା ଜଣାଯାଇ ନଥିଲା । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସିଥିବା ଜଳଖିଆ ମେକାନିକଲ୍ ଟ୍ରାନ୍ସପୋର୍ଟ (ଏମଟି) ସେକ୍ସନରେ ପହଞ୍ଚିଥିଲା । ଯେଉଁଠି ଭୁଲରେ ସିଙ୍ଗଡ଼ା ସୁରକ୍ଷା କର୍ମୀଙ୍କୁ ପରସା ଯାଇଥିଲା । କିପରି ସାମନାକୁ ଆସିଲା ମାମଲା

ସିଆଇଡି ରିପୋର୍ଟ ଲିକ୍ ହୋଇ ସାମନାକୁ ଆସିବା ପରେ ପୂରା ଘଟଣା ଜଣାପଡ଼ିଥିଲା । ରିପୋର୍ଟରେ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକୁ ସରକାର ବିରୋଧୀ ଏବଂ ଭିଭିଆଇପିଙ୍କ ଉପସ୍ଥିତିର ସମ୍ମାନ ବିରୋଧୀ ଅପରାଧ ବୋଲି କହିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଏଥିରେ ସାମିଲ ଲୋକ ନିଜ ମନ ମୁତାବକ କାମ କରୁଥିଲେ ।

ସିଙ୍ଗଡ଼ା ବିବାଦରେ ବିରୋଧୀଙ୍କ ପ୍ରତିକ୍ରିୟା

ଏହି ଘଟଣାକୁ ସରକାର ବିରୋଧୀ କୁହାଯିବା ପରେ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି, 'ହିମାଚଳ ସରକାର କିଛି ନବୁଝି ବିଚାରି ନିଷ୍ପତ୍ତି ନେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସିଙ୍ଗଡ଼ା ନମିଳିବା ହିମାଚଳର କଂଗ୍ରେସ ସରକାରକୁ ଏକ ଗମ୍ଭୀର ପ୍ରସଙ୍ଗ ଲାଗୁଛି । ଯେଉଁମାନେ ସିଙ୍ଗଡ଼ା ଖାଇଛନ୍ତି ସେମାନେ ସରକାରର ସଦସ୍ୟ ଥିବେ, ଏହା ସରକାର ଗତିବିଧି କିପରି ହେଲା ?'

ବିବାଦ ପରେ ମୁଖ୍ୟମନ୍ତ୍ରୀଙ୍କ ବୟାନ

ସିଙ୍ଗଡ଼ା ବିବାଦ ବଢିବା ପରେ ଶୁକ୍ରବାର ସିଏମ୍ ସୁଖୁ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସିଏମ୍ କହିଛନ୍ତି, 'ବିଜେପି ବାଚଳାମି କରୁଛି । ସିଙ୍ଗଡ଼ା ଆସିଥିଲା ବୋଲି ମୁଁ ଜାଣି ନଥିଲି, ମୁଁ ସିଙ୍ଗଡ଼ା ଖାଏ ନାହିଁ । ସିଙ୍ଗଡ଼ା ପାଇଁ ନୁହେଁ ବରଂ ଅଧିକାରୀଙ୍କ ଦୁର୍ବ୍ୟବହାର ଜାଣିବା ପାଇଁ ତଦନ୍ତ ହୋଇଥିବ ।' 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.