ଜନ ପ୍ରତିନିଧି ହୋଇ ବି ଜରିପାଲ ତଳେ ବିତୁଛି ଜୀବନ, ମିଳିନି ଆବାସ ଯୋଜନାରେ ଘର

Published By : Prameya-News7 Bureau | November 15, 2021 IST

ଭଦ୍ରକ, ୧୫|୧୧: ଜରିପୋଲ ତଳେ ବିତୁଛି ସମିତି ସଭ୍ୟାଙ୍କ ଜୀବନ ।  ଯଦି ଜଣେ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହୁଏ ତେବେ ସେ ସରପଞ୍ଚ କିମ୍ବା ସମିତି ସଭ୍ୟଙ୍କ ନିକଟରେ ଅଭିଯୋଗ ଆଣିବେ । ଆବଶ୍ୟକ ହେଲେ ଜିଲ୍ଲା ପ୍ରଶାସନ ନିକଟରେ ମଧ୍ୟ ଅଭିଯୋଗ କରିବେ । କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ଏଠାରେ ନିଜେ ସମିତି ସଭ୍ୟା ଜରିପାଲ ବନ୍ଧା ଘରେ ରହୁଛନ୍ତି ।

ମାଟିରେ ତିଆରି ଘର । ଟିକେ ଭିତରକୁ ଗଲେ  ସାଗିବନି ଏଠାରେ କିଏ ରୁହନ୍ତି ବୋଲି। ତେବେ ଏହି ଘରେ ରୁହନ୍ତି ସମିତି ସଭ୍ୟା ।  ସେ ହେଲେ ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି ଅଧିନ ଧୂସୁରି ପଞ୍ଚାୟତର ସମିତି ସଭ୍ୟା ସୁକୁଟି ପ୍ରଧାନ । ସୁକୁଟିଙ୍କ ଘରର ଚିତ୍ର ଆବାସ ଯୋଜନାର ବାସ୍ତବିକ ଚିତ୍ର ବର୍ଣ୍ଣନା କରୁଛି ।  କେବଳ ଏହି ଗୋଟିଏ ଘର ନୁହେଁ ସେ ରହୁଥିବା ଦେହୁରୀ ସାହିରେ ପ୍ରାୟ ୧୫ ପରିବାରର ସମାନ ଅବସ୍ଥା । ପ୍ରାୟ ଅଧିକାଂଶ ଘରର ସ୍ଥିତି ସମାନ । କିନ୍ତୁ ସମିତି ସଭ୍ୟାଙ୍କ ଘର ଭିତର ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ନଇଁ ପଡ଼ିଥିବା କାନ୍ଥକୁ ବାଉଁଶ ଭାର ଦିଆଯାଇ ଅଟକାଯାଇଛି । ଘରେ ପୂଜା ପାଉଥିବା ଠାକୁରଙ୍କ ଫଟୋ ଓ ମୂର୍ତ୍ତି ଗୁଡିକ ଗୋଟିଏ କୋଣରେ ରହିଛି ।  ଆସବାବପତ୍ର ଓ ଲୁଗାପଟା ଏଣେତେଣେ ହୋଇ ପଡିଛି ।  ଘରର ଚାଳ ଦେଇ ଦିନରେ ସୂର୍ଯ୍ୟ ଓ ରାତିରେ ତାରା  ଦେଖାଯାଉଛି । ସେ ବହୁ ଥର ଅନୁରୋଧ କଲେ ମଧ୍ୟ ତାଙ୍କୁ ଘର ଖଣ୍ଡିଏ ମିଳିପାରୁ ନାହିଁ ।

ତେବେ ଗ୍ରାମବାସୀଙ୍କ କହିବା କଥା ଯେ, ସେମାନେ ଆଉ ଘର ଖଣ୍ଡିଏ ପାଇଁ ସମିତି ସଭ୍ୟାଙ୍କୁ ମଧ୍ୟ ଅନୁରୋଧ କରି ପାରୁ ନାହାନ୍ତି । କାରଣ ଆବାସ ପାଇଁ ଯାହାକୁ ଅନୁରୋଧ କରନ୍ତେ ତାଙ୍କ ଅବସ୍ଥା ଦେଖି ନିଜେ ଚୁପ ହୋଇଯାଉଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲା । ସରପଞ୍ଚ କହିଥିଲେ ଯେ, ସୁକୁଟି ପ୍ରଧାନଙ୍କ ନାମରେ ୨୦୧୨ - ୧୩ ମସିହାରେ ଆବାସ ପାଇଁ ଟଙ୍କା ଯାଇଛି ।  କିନ୍ତୁ ସେ ଘର କରିନଥିବାରୁ ଆଉ ଯୋଜନାରେ ସାମିଲ ସମ୍ଭବ ନୁହେଁ । କିନ୍ତୁ ତାଙ୍କ ପୁଅଙ୍କୁ ଏଥର ଘର ନିଶ୍ଚିତ ମିଳିବ ବୋଲି ସରପଞ୍ଚ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.