ଜିଲ୍ଲା ଉପସଭାପତି ନେଇ ବିଜେଡିରେ କେଁ, ଜଗତସିଂହପୁରରେ ଦୁଇ ନେତା ମୁହାମୁହିଁ…
19/07/2023 at 1:10 PM

ଭୁବନେଶ୍ବର ୧୯।୭: ଜଗତସିଂହପୁର ଜିଲ୍ଲା ଉପ-ସଭାପତି ଭାବେ ଟିଟୋର ସହଯୋଗୀ ବା ଅତି ଘନିଷ୍ଠ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁ ପରିଡ଼ାଙ୍କୁ ଦାୟିତ୍ୱ ମିଳିବା ପରେ ବିଜେଡିରେ ବଢିଲା ବିବାଦ । ପୂର୍ବତନ ଜିଲ୍ଲା ସଭାପତି ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଲେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ । ସେପଟେ ପ୍ରଶାନ୍ତ କହିଛନ୍ତି, କିଏ କ’ଣ ହେବ ବା ପଦବୀ ପାଇବ ତାହା ଦଳୀୟ ନିଷ୍ପତ୍ତି ।
ସମ୍ବିତ ରାଉତରାୟ କହିଛନ୍ତି, ଆମକୁ କୁହାଯାଇଥିଲା ନିର୍ବାଚନ ମଣ୍ଡଳୀରୁ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତାଙ୍କ ଲିଷ୍ଟ ଦେବା ପାଇଁ ମୁଁ ବି ଦେଇଥିଲି । କିନ୍ତୁ ମୋ ଲିଷ୍ଟରେ ବାପୁ ପରିଡ଼ା ନାଁ ନଥିଲା । ସେ ନାଁ କେମିତି ଲିଷ୍ଟକୁ ଆସିଲା ମୁଁ ଜାଣିନି । ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି ଜାଣିଛନ୍ତି । ସେ ବାପୁ ପରିଡ଼ା ନାଁକୁ ଦେଇଛନ୍ତି । ବାପୁ ନାଁରେ କେସ୍ ଅଛି । ତାକୁ ପଦ ପଦବୀ ପାଇଁ ମୁଁ ସୁପାରିଶ କରିନି ।
ଦଳରେ ପଦ ପଦବୀ ଅଥବା ଉପ ସଭାପତି ପଦକୁ ଦେଖି ଚାହିଁ ଦେବାର ଥିଲା । ପ୍ରଶାନ୍ତ ମୁଦୁଲି ନାଁ ଦେଇଛନ୍ତି ତେଣୁ ତାଙ୍କୁ ପଚାରନ୍ତୁ ବୋଲି ସମ୍ବିତ କହିଛନ୍ତି । ମୋତେ ନାଁ ଗୁଡା ଅସ୍ବାଭାବିକ ଲାଗିବା ପରେ ମୁଁ ପଚାରିଥିଲି ପ୍ରଶାନ୍ତ ମୁଦୁଲି ମୋତେ କହିଲେ ମୁଁ ଦେଇଛି । ସେ କାହା ଚାପରେ ଦେଇଥିବେ ମୁଁ ଜାଣିନି । ବିଜୁ ପରିବାରର ନୀତି ଅନୁଯାୟୀ ସ୍ୱଚ୍ଛ ନିର୍ମଳ ବ୍ୟକ୍ତି ବିଶେଷକୁ ବାଛିବା ଦରକାର । ପଦବୀଟା ବି ବହୁ ଗୁରୁତ୍ୱପୂର୍ଣ୍ଣ । ଦଳ ହାଇକମାଣ୍ଡ ଯାହା ଆଗକୁ ବିଚାର କରିବେ । ମୁଁ କିଛି କହିବିନି ହାଇକମାଣ୍ଡ ଦଳ ଚଳାଉଛନ୍ତି ସେ ଆପେ ଆପେ ଜାଣିବେ । ସବୁ କିଛି ଜାଣୁଛନ୍ତି ଏଇ କଥା ବି ଜାଣିବେ ।
ସେପଟେ ସମ୍ବିତ ରାଉତରାୟଙ୍କ ଅଭିଯୋଗର ଜବାବ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି । ସେ କହିଛନ୍ତି, ଜିଲ୍ଲା ସଭାପତି ମୁଁ ନାହିଁ । ମୁଁ ଜିଲ୍ଲା ସଭାପତି ଥିବା ସମୟରେ ଏହା ହୋଇନାହିଁ । କିଏ କ’ଣ ହେବ ବା ପଦବୀ ପାଇବ ତାହା ଦଳୀୟ ନିଷ୍ପତ୍ତିରେ ହୁଏ । ମୁଁ ସେ ବିଷୟରେ କିଛି କହିବି ନାହିଁ ବୋଲି ପ୍ରଶାନ୍ତ କହିଛନ୍ତି । ଯିଏ ମୋ ନାଁ ନେଇଛି ତାକୁ ପଚାର ସେ କାହିଁକି ମୋ ନାଁ ନେଉଛି । ସେ ହିଁ ତାର କ୍ଳାରିଫାଏ କରିବ ବୋଲି ବି ପ୍ରଶାନ୍ତ କହିଛନ୍ତି ।
You Can Read :