ସମ୍ବଲପୁର ୧୭।୧୨ : ସମ୍ବଲପୁର ବାରର ପୁଣି ୧୧ ଜଣ ଓକିଲଙ୍କ ଲାଇସେନ୍ସ ୧୮ ମାସ ପର୍ଯ୍ୟନ୍ତ ବାତିଲ କଲା ବାର କାଉନସିଲ ଅଫ ଇଣ୍ଡିଆ । ଏହାସହ ଏହି ସଂଖ୍ୟା ୫୪ରେ ପହଞ୍ଚିଥିବା ବେଳେ ଅନ୍ୟ ସମସ୍ତ ଓକିଲଙ୍କ ଲାଇସେନ୍ସ ରଦ୍ଦକୁ ପ୍ରତ୍ୟାହାର କରିଛି ବାର କାଉନସିଲ ଅଫ ଇଣ୍ଡିଆ। ଫଳରେ ୫୪ ଜଣଙ୍କୁ ବାଦ ଦେଲେ ଅନ୍ଯ ସମସ୍ତ ଓକିଲ ପୂର୍ବ ପରି କାର୍ଯ୍ୟରେ ଯୋଗ ଦେଇ ପାରିବେ ବୋଲି ସ୍ବଷ୍ଟ ହୋଇଛି। ଏହା ବାଦ ୧୮ ମାସ ପର୍ଯ୍ୟନ୍ତ ଲାଇସେନ୍ସ ବାତିଲ ହୋଇଥିବା ଓକିଲ ଆସନ୍ତା ୧୫ ଫେବୃଆରୀ ସୁଦ୍ଧା ନିଜର ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ରହିଛି।
ସେପଟେ ଏହି ଘଟଣାକୁ ନେଇ ଓଡ଼ିଶା ଆସିବ ଏକ ୩ ଜଣିଆ ଫ୍ଯାକ୍ଟ ଫାଇଣ୍ଡିଂ ଟିମ୍। ଏହି ଫ୍ଯାକ୍ଟ ଫାଇଣ୍ଡିଂ ଟିମ୍ ଜାନୁଆରୀ ୧୫, ୨୦୨୩ ସୁଦ୍ଧା ବାର କାଉନସିଲ ଅଫ ଇଣ୍ଡିଆକୁ ରିପୋର୍ଟ ପ୍ରଦାନ କରିବ ବୋଲି କୁହାଯାଇଛି। ଲାଇସେନସ୍ ବାତିଲ ହୋଇଥିବା ଏହି ଆଇନଜୀବୀଙ୍କ ନାଁର ତାଲିକା ଦେଶର ସମସ୍ତ କୋର୍ଟ, ଫୋରମ୍, ଟ୍ରିବ୍ଯୁନାଲକୁ ପଠାଯାଇଛି। ଯେମିତି ସେମାନେ ଦେଶର ଅନ୍ଯ କୌଣସି ସ୍ଥାନରେ ମଧ୍ଯ କେସ୍ ଲଢ଼ିପାରିବେନି। ସେଦିନ ଗଣ୍ଡଗୋଳ ସଂପର୍କରେ ସବିଶେଷ ତଥ୍ଯ ହାସଲ କରିବା ଲାଗି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ୩ ଜଣିଆ କମିଟି ଗଠନ କରିଛି। ଏହି ୩ ଜଣ ହେଲେ ଡି. ପି. ଧଳ, ମାନସ ମହାପାତ୍ର ଏବଂ ଯଶୋବନ୍ତ ଦାସ। ଘଟଣାରେ କେଉଁମାନେ ସଂପୃକ୍ତ ଥିଲେ ଏମାନଙ୍କୁ ପରୋକ୍ଷରେ କେଉଁମାନେ ଉସୁକାଇଥିଲେ ଏସବୁ କିଛି ଅନୁଧ୍ୟାନ କରିବ କମିଟି। କମିଟି ତାର ରିପୋର୍ଟ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ଜାନୁଆରୀ ୧୫ ପୂର୍ବରୁ ପ୍ରଦାନ କରିବ।
ତେବେ ଗଣ୍ଡଗୋଳରେ ଯଦି ଅଧିକ ଆଇନଜୀବୀ ସଂପୃକ୍ତ ଥିବାର କମିଟି ପ୍ରମାଣ ପାଏ, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେଦିନର ଗଣ୍ଡଗୋଳ ପଛରେ ହାଇକୋର୍ଟର କିଛି ଓକିଲ ମଧ୍ୟ ପରୋକ୍ଷରେ ସଂପୃକ୍ତ ଥିବା ସୂଚନା ମିଳିଛି। ଏହି ଆଇନଜୀବୀମାନଙ୍କର ଏକ ବୈଠକ ବସିଥିଲା ଏବଂ ସମ୍ବଲପୁର କୋର୍ଟ ପରିସରରେ ଗଣ୍ଡଗୋଳ କରିବା ଲାଗି ହାଇକୋର୍ଟର କିଛି ଓକିଲ ପ୍ରୋତ୍ସାହିତ କରିଥିଲେ। ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର୍ , ବାର୍ କାଉନସିଲ୍ ସଂପାଦକଙ୍କୁ ତଥ୍ୟ ଦେବା ଲାଗି ଅନୁରୋଧ କରାଯାଇଛି। ଏଣେ ସମ୍ବଲପୁରରେ ଗିରଫ ୨୯ ଆଇନଜୀବୀଙ୍କ ମଧ୍ୟରୁ ୧୪ ଜଣ ଜାମିନ ଆବେଦନ କରିଥିବା ବେଳେ ଏହା ଖାରଜ ହୋଇଯାଇଛି।