ଆଞ୍ଚଳିକ ବ୍ରାଣ୍ଡ୍‌କୁ ବିଶ୍ୱସ୍ତରୀୟ ବ୍ରାଣ୍ଡ୍‌ରେ ପରିଣତ କରିବା ପାଇଁ କାମ କରୁ ଆଇଆଇଏମ୍- ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | January 02, 2021 IST

ସମ୍ବଲପୁର୨/୧: ଓଡ଼ିଶାର ମହାନ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସ। ଓଡ଼ିଶାର ଯୁବକଙ୍କ ସାମର୍ଥ୍ୟକୁ ମଜବୁତ୍ କରିବା ସହ ବିଶ୍ୱରେ ଓଡ଼ିଶାକୁ ମ୍ୟାନେଜମେଣ୍ଟ୍ ଦୁନିଆରେ ନୂଆ ପରିଚୟ ଦେବା ସହ ସହ ଆଞ୍ଚଳିକ ବ୍ରାଣ୍ଡ୍ ସବୁକୁ ‘ବିଶ୍ୱସ୍ତରୀୟ’ ବ୍ରାଣ୍ଡ୍‌ରେ ପରିଣତ କରିବା ନିମନ୍ତେ ଆଇଆଇଏମ ସମ୍ବଲପୁର କାର୍ଯ୍ୟ କରିବା ଉଚିତ୍ ବୋଲି ଶନିବାର ସମ୍ବଲପୁରର ଆଇଆଇଏମର ନିଜସ୍ୱ ସ୍ଥାୟୀ କ୍ୟାମ୍ପସକୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଶିଳାନ୍ୟାସ କରିବା ଅବସରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି ନିର୍ମାଣ ହେବାକୁ ଥିବା ଏହି କ୍ୟାମ୍ପସଟି ସମ୍ବଲପୁରୀ ସଂସ୍କୃତିର ଇକତ୍ ଢାଞ୍ଚାରେ ନିର୍ମିତ ଅଟ୍ଟାଳିକା ସମଗ୍ର ଭାରତବର୍ଷରେ ସବୁଠୁ ଆକର୍ଷଣୀୟ ହେବ ବୋଲି ଭୁବନେଶ୍ୱରରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।


ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ଏହି ଅନୁଷ୍ଠାନର ଅଂଶବିଶେଷ ହେବେ ସେମାନେ ବିକାଶକୁ ପ୍ରୋତ୍ସାହନ ଦେବା ସହ ସାମଗ୍ରିକ ଅନ୍ତର୍ଭୁକ୍ତି ଉପରେ ଧ୍ୟାନ ଦେବା ଆବଶ୍ୟକ । ସମ୍ବଲପୁର ଆଇଆଇଏମ ପ୍ରତିଷ୍ଠା ଦ୍ୱାରା ଏହା ଶିକ୍ଷାର ପେଣ୍ଠସ୍ଥଳି ହେବାକୁ ଯାଉଛି । ସମ୍ବଲପୁରୀ ହସ୍ତତନ୍ତ ଓ କଟକର ତାରକସି କାମ ସ୍ୱତନ୍ତ୍ର ଚାହିଦା ସାରା ବିଶ୍ୱରେ ରହିଛି । ଅପାର ସମ୍ଭାବନାର ଜିଲ୍ଲା ସମ୍ବଲପୁର ପର୍ଯ୍ୟଟନ ପାଇଁ ପ୍ରକୃଷ୍ଠ ସ୍ଥାନ ହୋଇଛି । ଆଇଆଇଏମ ସ୍ଥାନୀୟ ଓ ଗ୍ଲାବୋଲ ଉତ୍ପାଦ ମଧ୍ୟରେ ବ୍ରିଜ୍ ତିଆରି କରିବ । ବ୍ରାଣ୍ଡ୍ ଇଣ୍ଡିଆକୁ ବୈଶ୍ୱିକ ସ୍ୱୀକୃତି ଦିଆଇବା ହେଉଛି ଆମର ଦାୟିତ୍ୱ।ଛାତ୍ରଛାତ୍ରୀମାନଙ୍କର ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟ ସମାଜର ସ୍ୱଳ୍ପ ସୁବିଧାପ୍ରାପ୍ତ ବର୍ଗଙ୍କୁ ଉପକୃତ କରିବ । ଏହାକୁ ସୁନିଶ୍ଚିତ କରି ଛାତ୍ରଛାତ୍ରୀମାନେ ବ୍ରାଣ୍ଡ୍ ଇଣ୍ଡିଆରେ ଉପରେ ଧ୍ୟାନ ଦେବା ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.