ସମ୍ବଲପୁର ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା: ୩୦ ଘଣ୍ଟା ପରେ ବି ପୋଲିସ ହାତ ଖାଲି, ପିଲାଙ୍କ ପରୀକ୍ଷା ଦେବାରେ ଅସୁବିଧା ହେବନି କହିଲେ ଜିଲ୍ଲାପାଳ

Published By : Prameya-News7 Bureau | December 20, 2018 IST

ସମ୍ବଲପୁର ୨୦|୧୨: ସମ୍ବଲପୁର ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣାକୁ ୩୦ ଘଣ୍ଟା ପୁରିଲାଣି । ହେଲେ ଏବେବି ପୋଲିସ ହାତ ଖାଲି ।୧୦ ଜଣ  ଅଜଣା ବ୍ୟକ୍ତିଙ୍କ ନାଁରେ ଧନୁପାଲି ଥାନାରେ ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ କରୁଛି । ଅଗ୍ନିକାଣ୍ଡରେ ବୋର୍ଡ ଅଫିସର ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସମେତ ଛାତ୍ରଛାତ୍ରୀଙ୍କ  ଫର୍ମ ପୋଡ଼ିଯାଇଛି। ତେବେ ପରୀକ୍ଷା ଦେବାରେ କିଛି ଅସୁବିଧା ହେବନାହିଁ ବୋଲି ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି। ଏବେବି ବୋର୍ଡ ଅଫିସବାହାରେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏଣେତେଣେ ପଡ଼ିରହିଛି ।...

ପୋଲିସ୍‌ ବୋର୍ଡର ସହ ସଂପାଦକଙ୍କ ଏତଲାକୁ ଭିତ୍ତି କରି, ଧନୁପାଲ୍ଲୀ ଥାନାରେ କେସ୍‌ ନମ୍ବର-୪୬୭/୧୮ରେ ମକଦ୍ଦମା ଦାୟର କରିଛି। ୧୦ଜଣ ଅଜଣା ଦୁର୍ବୁର୍ତ୍ତଙ୍କ ନାଁରେ ମାମଲା ଦାୟର କରି ଅନୁସନ୍ଧାନ ଆରମ୍ଭ କରିଛି।  ତେବେ ପୋଲିସ୍‌ର ତଦନ୍ତ ଗୋଟିଏ ଦିଗରେ ଚାଲିଥିବା ବେଳେ ମୁଖ୍ୟ ଅପରାଧୀ ମାନେ ଅନ୍ୟଦିଗରେ । କାରଣ ବୋର୍ଡ ସହ ସଂପାଦକଙ୍କ ଠାରୁ ଆରମ୍ଭକରି, ପୋଲିସ୍‌ ଓ ତଦନ୍ତକାରୀ ଅଧିକାରୀ ସମସ୍ତେ ଅଭିଯୁକ୍ତଙ୍କ ସଂପର୍କରେ ତଥ୍ୟ ଜାଣିଥିଲେ ମଧ୍ୟ କେହି ଖୁଲାସା କରିବାକୁ ସାହସ କରିପାରୁନାହାଁନ୍ତି।  ପୋଲିସ୍‌ ମାଧ୍ୟମିକ ଶିକ୍ଷା ପରିଷଦର ସହ ସଂପାଦକଙ୍କ ସମେତ ମୋଟ ୮ଜଣ କର୍ମଚାରୀଙ୍କ ବୟାନ ରେକର୍ଡ କରିଛି। କାର୍ଯ୍ୟାଳୟ ନିକଟରେ ଥିବା ସିସିଟିଭିରୁ ତଥ୍ୟ ସଂଗ୍ରହ କରିଛି।  ଖୁବ୍‌ଶୀଘ୍ର ଦୁର୍ବୁର୍ତ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି। 

{"id":65776}

ବୋର୍ଡ କାର୍ଯ୍ୟାଳୟର ୩ଟି କୋଠରୀରେ ୧୦ଟି ଜିଲ୍ଲାର ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କ ସମସ୍ତ ଆବଶ୍ୟକୀୟ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି । ଯେଉଁଥିରେ ଆସନ୍ତା ମାଟ୍ରିକ୍‌ ବୋର୍ଡ, ସପ୍ଲିମେଣ୍ଟାରୀ ଓ ପତ୍ର ବିନିମୟ ପରୀକ୍ଷାର ଫର୍ମ ସହ, ଜାତି ଓ ଜନ୍ମଗତ ପ୍ରମାଣ ପତ୍ର ପୋଡି ଯାଇଛି।  ମାଟ୍ରିକ୍‌ ପରୀକ୍ଷା ପୂର୍ବରୁ, ରାଜ୍ୟ ସରକାରଙ୍କ ସହ କଥାବାର୍ତ୍ତା ହୋଇ, ଯେପରି କୌଣସି ଛାତ୍ରଛାତ୍ରୀ ଅସୁବିଧାରେ ନପଡନ୍ତି ସେଥିପାଇଁ ପଦକ୍ଷେପ ନିଆଯାଉଛି ବୋଲି, କହିଛନ୍ତି ସମ୍ବଲପୁର ଜିଲ୍ଲାପାଳ। ଅନ୍ୟ କାର୍ଯ୍ୟାଳୟ ବନ୍ଦ ଥିଲେ ବି ବୋର୍ଡ କାର୍ଯ୍ୟାଳୟ ଓକିଲ ସଂଘର ପରାମର୍ଶ କ୍ରମେ ଖୋଲାଯାଇଥିଲା । ହେଲେ ଏପରି ହିଂସାକାଣ୍ଡ କରିବାଦ୍ବାରା,ପଶ୍ଚିମ ଓଡିଶାର ଛାତ୍ରଛାତ୍ରୀଙ୍କର ହିଁ କ୍ଷତି ହେବାକୁ ଯାଉଛି । ତେବେ କୌଣସି ଦୋଷୀଙ୍କୁ ଛଡାଯିବ ନାହିଁ ବୋଲି ସେକହିଛନ୍ତି ।

ଆଜି କାର୍ଯ୍ୟାଳୟ ବନ୍ଦ ଥିବାବେଳେ, ପୋଲିସ୍‌ ତଦନ୍ତ ଦୋଷୀ ପାଖରେ ପହଞ୍ଚିପାରୁନାହିଁ । କଥା ହେଉଛି ଦୁର୍ବୃତ୍ତମାନେ ଏକ ସରକାରୀ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଲେ ସମସ୍ତେ ସବୁ ଦେଖିଲେ ସବୁ ଜାଣିଲେ ହେଲେ ଅପରାଧୀ କାହିଁକି ଧରାପଡୁନି ତାହା ଆଶ୍ଚର୍ଯ୍ୟର କଥା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.