ଚିରନିଦ୍ରାରେ ଯୁବ ସାମ୍ବାଦିକ ଦୀପକ ମିଶ୍ର, ଡେଲାଙ୍ଗ ଅଞ୍ଚଳରେ ଶୋକର ଛାୟା

Published By : Prameya-News7 Bureau | June 28, 2021 IST

ପୁରୀ,୨୮/୦୬: ଯୁବ ସାମ୍ବାଦିକ ଦୀପକ ମିଶ୍ର (ବାପି)ଙ୍କ ରବିବାର ପରଲୋକ ଘଟିଛି । ତାଙ୍କୁ ମାତ୍ର ୩୬ ବର୍ଷ ହୋଇଥିଲା । ଏହି ଦୁଃଖଦ ଖବର ପ୍ରଚାର ହେବାରେ ଡେଲାଙ୍ଗରେ ଶୋକର ଛାୟା ଖେଳିଯାଇଛି । ଜିଲ୍ଲାର ସାମ୍ବାଦିକମାନେ ସ୍ୱର୍ଗତ ଦୀପକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଡେଲାଙ୍ଗର ଜଣାଶୁଣା ତଥା ପୁରୁଖା ଖବରକାଗଜ ଏଜେଣ୍ଟ ବିଜୟ ମିଶ୍ରଙ୍କ ବଡ଼ପୁଅ ହେଲେ ଦୀପକ ।

ବୈଦ୍ୟୁତିକ ଗଣମାଧ୍ୟମ ଚ୍ୟାନେଲ ‘ନ୍ୟୁଜ୍- ୭’ ଓ ‘ପ୍ରମେୟ’ରେ ଦୀପକ ସାମ୍ବାଦିକତା କରି ପାଠକଙ୍କ ବିଶ୍ୱାସଭାଜନ ହୋଇପାରିଥିଲେ । ଜଣେ ବନ୍ଧୁବତ୍ସଳ ତଥା କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଭାବେ ତାଙ୍କର ବିଭିନ୍ନ ମହଲରେ ସୁନାମ ଥିଲା । ଦୀପକଙ୍କ ଘର ରେଞ୍ଚ ପଞ୍ଚାୟତ ବେରବୋଇ ଡେଲାଙ୍ଗ ଷ୍ଟେସନ ବଜାର ଅଞ୍ଚଳରେ। ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ହୋଇ ଗତ ରବିବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଭେଣ୍ଟିଲେଟରରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ତ୍ୟାଗ କରିଥିଲେ । ତାଙ୍କ ମରଶରୀର ଡେଲାଙ୍ଗସ୍ଥିତ ବାସଭବନରେ ପହଞ୍ଚିଥିଲା । ସେଠାରୁ ସତ୍ୟଭାମାପାଟପୁର ଶ୍ମଶାନ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ସାନଭାଇ ଗୋବିନ୍ଦ ମିଶ୍ର ମୁଖାଗ୍ନି ଦେଇଥିଲେ । ତାଙ୍କର ସ୍ତ୍ରୀ ଅନିମା ମିଶ୍ର ଓ ୭ ବର୍ଷର ପୁଅ ଓମ୍‌ ସାଇ ପ୍ରକାଶ ମିଶ୍ର ଅଛନ୍ତି ।

ତାଙ୍କ ମୃତ୍ୟୁରେ ‘ପ୍ରମେୟ’ ଗ୍ରୁପ ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର, ବାର୍ତ୍ତା ସମ୍ପାଦକ ଧୀରେନ୍ଦ୍ର ନାରାୟଣ ମିଶ୍ର, ଚିଫ୍‌ ଅଫ୍‌ ବ୍ୟୁରୋଜ୍‌ ଦେବେନ୍ଦ୍ର ସୁଆର, ଚିଫ୍‌ ନ୍ୟୁଜ୍‌ କୋର୍ଡିନେଟର ସୁଦୀପ ରାଉତଙ୍କ ସମେତ ପ୍ରସାର ଓ ବିଜ୍ଞାପନ ବିଭାଗର ଅଧିକାରୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.