ମହାଳୟାରେ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ, ୧୩ ସେକ୍ସନ୍‌ ଫୋର୍ସ ମୁତୟନ

Published By : Prameya-News7 Bureau | October 06, 2021 IST

ସମ୍ବଲପୁର,୦୬/୧୦: ଆଜି ପବିତ୍ର ମହାଳୟା । ଏହି ଅବସରରେ ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଏଥିପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଗତବର୍ଷ କରୋନା ମହାମାରୀ ଯୋଗୁଁ ମା’ଙ୍କ ଦର୍ଶନ ବନ୍ଦ ଥିବା ବେଳେ ଏଥର ସୁଯୋଗ ମିଳିଥିବାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସେହିପରି ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼ ହେବାର ସମ୍ଭାବନା ଥିବାରୁ ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୩ ସେକ୍ସନ୍‌ ଫୋର୍ସ ମୁତୟନ ହେବେ ବୋଲି ପୁଲିସ ପ୍ରଶାସନ ପକ୍ଷରୁ ଜଣାପଡ଼ିଛି । ପ୍ରତିବର୍ଷ ମହାଳୟାରେ ମା’ ଧବଳମୁଖୀ ବେଶ ଧାରଣ କରିଥାନ୍ତି । ଏହି ବେଶକୁ ଗଙ୍ଗାବେଶ ବି କୁହାଯାଇଥାଏ । ଯେଉଁମାନେ ମହାଳୟାରେ ଗଙ୍ଗାରେ ତିଳତର୍ପଣ କରିବାରୁ ବଞ୍ଚିତ ହୋଇଥାନ୍ତି, ସେମାନେ ମହାନଦୀରେ ତିଳତର୍ପଣ କରି ସମଲେଶ୍ୱରୀଙ୍କୁ ଧବଳମୁଖୀ ବେଶରେ ଦର୍ଶନ କଲେ ଗଙ୍ଗା ଦର୍ଶନର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ବର୍ଷତମାମ ମା’ ସିନ୍ଦୁର ଚର୍ଚ୍ଚିତା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଥିବାବେଳେ ଧବଳମୁଖୀ ବେଶରେ ମା’ ଚନ୍ଦନ ଚର୍ଚ୍ଚିତା ହୋଇ ଦର୍ଶନ ଦେଇଥାନ୍ତି । ଏଥିପାଇଁ ଆଜି ବିଳମ୍ବିତ ରାତିରୁ ପୂଜକମାନେ ମା’ଙ୍କ ଦେହରୁ ସିନ୍ଦୁର ଛଡ଼ାଇ ଚନ୍ଦନର ପ୍ରଲେପ ଦେବେ । ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ସାଢ଼େ ୭ଟା ଯାଏ ଦର୍ଶନ ଜାରି ରହିବ । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ମନ୍ଦିର ବାହାରୁ ଆରମ୍ଭ କରି ଭିତର ପରିସର ଯାଏ ବ୍ୟାରିକେଡିଂ କରାଯାଇଛି ।

ସାମାଜିକ ଦୂରତ୍ୱ ରକ୍ଷା ପାଇଁ ସବୁଠି ଗୋଳେଇ ଅଙ୍କାଯାଇଥିବା ବେଳେ ମନ୍ଦିରର ପ୍ରବେଶ ପଥରେ ସାନିଟାଇଜର୍‌ ମେସିନ୍‌ ସ୍ଥାପନ କରାଯାଇଛି । ବିନା ମାକ୍ସରେ ଭିତରକୁ ପ୍ରବେଶ ବାରଣ କରାଯାଇଛି । ବୟସ୍କ, ଶିଶୁ, ଗର୍ଭବତୀ ଏବଂ ରୋଗାଗ୍ରସ୍ତଙ୍କୁ ମଧ୍ୟ ମନ୍ଦିର ନ ଆସିବାକୁ କୁହାଯାଇଛି । ଏହାବାଦ୍‌ କୌଣସି ପ୍ରକାରର ଭୋଗ କିମ୍ବା ପୂଜା ସାମଗ୍ରୀକୁ ମଧ୍ୟ ମନ୍ଦିରକୁ ନିଷେଧ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.