ଅବୁ ଆଜମୀଙ୍କ ବନ୍ଦେ ମାତରମ ମନ୍ତବ୍ୟକୁ ନେଇ ତେଜିଲା ଆନ୍ଦୋଳନ: ବିରୋଧୀ ମେଣ୍ଟର ନେତାଙ୍କୁ ସ୍ପଷ୍ଟୀକରଣ ମାଗିଲା ବିଜେପି
19/07/2023 at 6:56 PM

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ବିଜେପି ବିଧାୟକଙ୍କ ହଟ୍ଟଗୋଳ। ସମାଜବାଦୀ ପାର୍ଟି ନେତା ଅବୁ ଆଜମୀଙ୍କର ବୟାନକୁ ନେଇ ତେଜିଲା ଅଶାନ୍ତି। ଆମେ ବନ୍ଦେ ମାତରମ ଆଗରେ ମୁଣ୍ଡ ନଇଁବି ନାହୁଁ କାରଣ ଆମେ ଆଲ୍ଲାହଙ୍କ ଉପରେ ବିଶ୍ୱାସ କରୁ ବୋଲି ଅବୁ ଆଜମୀ କହିବା ପରେ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବିଜେପି ବିଧାୟକ ଓ ସମର୍ଥିତ ଦଳମାନେ ଆନ୍ଦୋଳନ କରିଥିଲେ। ଶେଷରେ ଗୃହ କାର୍ଯ୍ୟ ମୁଲତବୀ କରିବାକୁ ପଡ଼ିଥିଲା।
ଘଟଣାକୁ ନେଇ ବିଜେପି ବିରୋଧୀ ଦଳର ମେଣ୍ଟକୁ ନିନ୍ଦା କରିଛି। ବନ୍ଦେ ମାତରମ ଘଟଣା ଉପରେ ବିରୋଧୀ ଦଳର ନେତାମାନେ ତାଙ୍କ ମତ ସ୍ପଷ୍ଟ କରନ୍ତୁ ବୋଲି ଦଳ କହିଛି।
ଖବର ଅନୁସାରେ, ଅବୁ ଆଜମୀ ଗୃହରେ ବନ୍ଦେ ମାତାରମକୁ ନେଇ ସାମ୍ଭାଜି ନଗରରେ ହୋଇଥିବା ଦଙ୍ଗା ଘଟଣାରେ ମତ ରଖିଥିଲେ। ଏହି ସମୟରେ ସେ କହିଥିଲେ ଯେ ମୁଁ ବନ୍ଦେ ମାତାରମକୁ ସମ୍ମାନ କରେ । କିନ୍ତୁ ଏହାକୁ ପଢ଼ିପାରିବି ନାହିଁ। କାରଣ ଏହା ମୋ ଧର୍ମ ବିରୋଧୀ।
ପଢ଼ନ୍ତୁ-ଉପବାଚସ୍ପତିଙ୍କ ଉପରକୁ ପେପର ଫିଙ୍ଗିବାରୁ ୯ ବିଜେପି ବିଧାୟକ ନିଲମ୍ବିତ
ସେ କହିଥିଲେ “କିଛି ଲୋକ କହୁଛନ୍ତି ଯଦି ଜଣେ ଭାରତରେ ରହିବାକୁ ଚାହିଁବ ତେକେ ତାଙ୍କୁ ବନ୍ଦେ ମାତାରାମ ଜପ କରିବାକୁ ପଡ଼ିବ। ଆମେ ଏହା କରିପାରିବୁ ନାହିଁ। ଆମେ କେବଳ ଗୋଟିଏ ଭଗବାନଙ୍କ ଉପରେ ବିଶ୍ୱାସ କରୁଛୁ। ଆମେ ବନ୍ଦେ ମାତରମ ପାଖରେ ମୁଣ୍ଡ ନଇଁପାରିବୁ ନାହିଁ। କାରଣ ଆମ ଆଲ୍ଲାହଙ୍କ ଉପରେ ବିଶ୍ୱାସ କରୁ। ଏମିତିକି ଆମେ ଆମ ମାଆ ପାଖରେ ବି ମୁଣ୍ଡ ନୁଆଉଁନା।” ଅବୁ ଆଜମୀଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଜେପି ବିଧାୟକଙ୍କ ପ୍ରବଳ ତର୍କ ହୋଇଥିଲା। ଏହାପରେ ବାଚସ୍ପତି ରାହୁଲ ନରୱେକର ମଧ୍ୟସ୍ଥତା କରି ଗୃହର ମର୍ଯ୍ୟାଦା ରକ୍ଷା କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ଆଜମୀଙ୍କ ମନ୍ତବ୍ୟ ଅପ୍ରାସଙ୍ଗିକ। ସେ କେବଳ ଆଲୋଚନା ପାଇଁ ତାଲିକାଭୁକ୍ତ ହୋଇଥିବା ପ୍ରସଙ୍ଗ ଉପରେ ଆଲୋଚନା କରିବା ଉଚିତ ବୋଲି ବାଚସ୍ପତି କହିଥିଲେ।
ଏନେଇ ବିଜେପି ଜାତୀୟ ପ୍ରବକ୍ତା ଶେହେଜାଦ ପୁନାୱାଲା ଅବୁ ଆଜମୀଙ୍କୁ ସମାଲୋଚନା କରିଛନ୍ତି। ସପା ବିରୋଧୀ ମେଣ୍ଟ ଇଣ୍ଡିଆର ଗୋଟେ ଅଂଶ। ହେଲେ ବିଧାୟକ ବନ୍ଦେ ମାତାରମ ମୁଣ୍ଡ ନଇଁବେନି ହେଲେ ଔରଙ୍ଗଜେବ୍ ପାଖରେ ମୁଣ୍ଡ ନଇଁବେ। ନାଁ ଇଣ୍ଡିଆ ହେଲେ କାମ ଇଣ୍ଡିଆ ବିରୋଧୀ ବୋଲି ପୁନାୱାଲା କହିଛନ୍ତି।