ନୂଆଦିଲ୍ଲୀ: ରାଜନୈତିକ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଶ୍ୟାମ ପିଟ୍ରୋଡା ଏବେ ଇଭିଏମକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ଟେସଲ୍ ସିଇଓ ଏଲନ୍ ମସ୍କ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପରେ ଶ୍ୟାମ ପିଟ୍ରୋଡା ଇଭିଏମ୍ ତ୍ରୁଟି ଉପରେ ନିଜ ମତ ରଖିଛନ୍ତି । ସେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନକୁ ନେଇ ବହୁ ଗବେଷଣା କରିଥିବା କହିଛନ୍ତି । ଇଭିଏମ୍ ମେସିନକୁ ହ୍ୟାକ୍ କରିହେବ ବୋଲି କହିଛନ୍ତି ।
ସେ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ନିର୍ବାଚନରେ ଇଭିଏମ୍ ବ୍ୟବସ୍ଥା ଠିକ୍ ନୁହେଁ । ବାଲଟ୍ ପେପରରେ ନିର୍ବାଚନ କରିବାରେ ସ୍ବଚ୍ଛତା ରହିଛି । ବାଲଟ୍ ପେପର ଗଣତିରେ ହାର୍ ଓ ଜିତ୍ ଫୈସଲା ସବୁଠାରୁ ତ୍ରୁଟିହୀନ ବ୍ୟବସ୍ଥା । ଶ୍ୟାମ ପିତ୍ରୋଦା କହିଛନ୍ତି, ସେ ୬୦ ବର୍ଷରୁ ଅଧିକ ସମୟ ହେବ ଇଲେକ୍ଟ୍ରୋନିକ୍ସ, ଟେଲିକମ୍ ଭଳି ସେକ୍ଟରରେ କାମ କରିଛନ୍ତି। ଇଭିଏମ୍ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଅଧ୍ୟୟନ କରିଛନ୍ତି । ତାଙ୍କ କହିବା କଥା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନରେ ହ୍ୟାକିଂ ହୋଇ ପାରିବ । ନିର୍ବାଚନରେ ସବୁଠାରୁ ସ୍ବଚ୍ଛ ବ୍ୟବସ୍ଥା ହେଉଛି ବାଲଟ୍ ପେପର ମାଧ୍ୟମରେ ଭୋଟିଂ କରିବା ଏବଂ ଏହାକୁ ଗଣତି କରି ବିଜୟ ଓ ପରାଜୟ ନିଷ୍ପତ୍ତି ଶୁଣାଇବା ।
ଅନ୍ୟପଟେ ମୁମ୍ବାଇ ଉତ୍ତର-ପଶ୍ଚିମ ଲୋକସଭା ଆସନରେ ଆସିଥିବା ଇଭିଏମ୍ ହ୍ୟାକ୍ ଅଭିଯୋଗର ଜବାବ ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ସେ କହିଛନ୍ତି, ଇଭିଏମ୍ ଏକ ଭିନ୍ନ ଧରଣର ଡିଭାଇସ୍ । ଏହା ଇଲେକ୍ଟ୍ରୋନିକ୍ କିମ୍ବା ଇଣ୍ଟରନେଟ୍ ଭଳି ଜିନିଷ ସହିତ ଜଡ଼ିତ ନୁହେଁ । ତେଣୁ ଏହାକୁ ହ୍ୟାକ୍ କରିବା ସମ୍ଭବ ନୁହେଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।