IPL ୨୦୨୪: ମ୍ୟାଚ୍‌ ହାରିଥିବା ଅଧିନାୟକଙ୍କ ଉପରେ ଲାଗିଲା ଜରିମାନା, ସାମ୍‌ କରନ୍‌ ହରାଇଲେ ଅଧା ଫି’, ଡୁପ୍ଲେସିସ୍‌ଙ୍କୁ ଦେବାକୁ ପଡିବ ୧୨ ଲକ୍ଷ

Published By : Prameya-News7 Bureau | April 22, 2024 IST

ନୂଆଦିଲ୍ଲୀ ୨୨।୦୪: ଆଇପିଏଲ୍ ୨୦୨୪ । ୨୧ ଏପ୍ରିଲ୍ରେ ଥିଲା ଡବଲ୍ ହେଡର୍ ମ୍ୟାଚ୍ । ରବିବାର ପ୍ରଥମେ ମୁହାଁମୁହିଁ ହୋଇଥିଲେ RCB ଏବଂ KKR । ଦ୍ୱିତୀୟ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ହୋଇଥିଲା ଦମ୍‌ଦାର୍‌ ମ୍ୟାଚ୍‌ । ବଡ କଥା ହେଉଛି ଏହି ୨ଟି ମ୍ୟାଚରେ ଯେଉଁ ଟିମ୍‌ ହାରିଛି ଏହାର ଅଧିନାୟକଙ୍କୁ ଲାଗିଛି ଜରିମାନା । ଆଇପିଏଲ ଏକ ବିବୃତ୍ତି ଜାରି କରି କହିଛି କି ମ୍ୟାଚ ହାରିଥିବା ଆରସିବି ଅଧିନାୟକ ଫାଫ ଡୁ ପ୍ଲେସିସ୍ ଏବଂ ପଞ୍ଜାବ କିଙ୍ଗସ ଅଧିନାୟକ ସାମ କୁରାନଙ୍କ ଉପରେ ଜରିମାନା ଆଦାୟ ହୋଇଛି । ଏବେ ପ୍ରଶ୍ନ ଆସୁଛି ଜରିମାନା କାହିଁକି ଲାଗିଲା ? କଣ ଟିମ୍‌ ହାରିଥିବାରୁ ନା ଅନ୍ୟ କିଛି କାରଣ ଥିଲା ?

୨୧ ଏପ୍ରିଲରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ କେକେଆର୍ RCB କୁ ମାତ୍ର ୧ ରନ୍‌ରେ ପରାସ୍ତ କରିଛି । ଏହି ମ୍ୟାଚରେ ଆରସିବି ଅଧିନାୟକ ଫାଫ ଡୁ ପ୍ଲେସିସ୍‌ଙ୍କୁ ଲାଗିଛି ଜରିମାନା । ଦିନର ଦ୍ୱିତୀୟ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ପଞ୍ଜାବ କିଙ୍ଗସକୁ ୩ ୱିକେଟରେ ମାତ୍ ଦେଇଛି । ଏହି ମ୍ୟାଚରେ ହାରିଥିବା ଟିମ୍‌ ପଞ୍ଜାବ କିଙ୍ଗ୍ସର ଅଧିନାୟକଙ୍କୁ କରାଯାଇଛି ଜରିମାନା । 

KKRଠାରୁ ମ୍ୟାଚ୍‌ ହାରିବା ପରେ RCB କ୍ୟାପଟେନ୍‌ ଫାପ୍‌ ଡୁପ୍ଲେସିସ୍‌ଙ୍କ ଉପରେ ଲାଗିଛି ୧୨ ଲକ୍ଷର ଜରିମାନା । ସ୍ଲୋ ଓଭର ରେଟ ପାଇଁ ତାଙ୍କ ଉପରେ ଲାଗିଛି ଏହି ଜରିମାନା । ଏହାର ଅର୍ଥ ହେଉଛି ମ୍ୟାଚ୍ ସମୟରେ ତାଙ୍କ ଟିମ୍‌ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ୨୦ ଓଭରର ସମ୍ପୂର୍ଣ୍ଣ କୋଟା ବୋଲିଂ କରିନଥିଲେ।

ଫାଫ୍ ଡୁ ପ୍ଲେସିସ୍ ଆଇପିଏଲର ଚଳିତ ସିଜନରେ ସ୍ଲୋ ଓଭର ରେଟର ଶିକାର ହୋଇଥିବା ପ୍ରଥମ ବିଦେଶୀ ଏବଂ ଅଷ୍ଟମ ଅଧିନାୟକ ଅଟନ୍ତି । ତାଙ୍କ ପୂର୍ବରୁ ଆଇପିଏଲ୍ ୨୦୨୪ରେ ଅଧିନାୟକ ଥିବା ସମସ୍ତ ଭାରତୀୟ ଅଧିନାୟକଙ୍କ ଉପରେ ଏହି ଜରିମାନା ଲାଗୁ ହୋଇ ସାରିଛି । ଯେଉଁଥିରେ ଶୁଭମାନ ଗିଲ, ଋଷଭ ପନ୍ତ, ସଞ୍ଜୁ ସାମସନ, ଶ୍ରେୟସ ଆୟର, ରୁତୁରାଜ ଗାଇକୱାଡ, କେ.ଏଲ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ ରହିଛି।

ପଞ୍ଜାବ କିଙ୍ଗ୍ସର ଅଧିନାୟକ ସାମ୍‌ କୁରାନଙ୍କୁ ଜରିମାନା ପାଇଁ ଦେବାକୁ ପଡିବ ତାଙ୍କ ମ୍ୟାଚ୍‌ର ଅଧା  ଫି। କିନ୍ତୁ ତାଙ୍କ ଉପରେ ଲଗାଯାଇଥିବା ଏହି ଜରିମାନା ମନ୍ଥର ଗତି ଯୋଗୁଁ ନୁହେଁ । ଆଇପିଏଲ୍ ବିବୃତ୍ତି ଅନୁଯାୟୀ ସାମ କୁରାନ୍ ଲେଭଲ୍-୧ ଦୋଷୀ ସାବ୍ୟସ୍ତ ହୋଇଛନ୍ତି  । କାରଣ ସେ ଏହି ଲିଗ୍ର ଆଚରଣ ସଂହିତା ଧାରା ୨.୮କୁ ଉଲ୍ଲଂଘନ କରିଛନ୍ତି । ମ୍ୟାଚ୍ ରେଫରିଙ୍କ ସମ୍ମୁଖରେ ସାମ୍ କୁରାନ୍ ନିଜର ଅପରାଧ ସ୍ୱୀକାର କରିଛନ୍ତି । ଏହାପରେ ତାଙ୍କ ମ୍ୟାଚ୍ ଫି ୫୦ ପ୍ରତିଶତ ହ୍ରାସ କରାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.