ସିପାହୀଙ୍କୁ ସଲାମ୍: କୋଳରେ ଧରି କଲେ ରାସ୍ତା ପାରି…
26/02/2020 at 5:44 PM

ନୂଆଦିଲ୍ଲୀ୨୬/୨: ବିଭିନ୍ନ ସମୟରେ ପୋଲିସ୍ କର୍ମଚାରୀମାନେ ସାଧାରଣ ଜନତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥାଏ। କିନ୍ତୁ ବେଳେବେଳେ ପୋଲିସ୍ କର୍ମଚାରୀଙ୍କ ମହତ କାର୍ଯ୍ୟ ବେଶ୍ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲିଟି ଯାଇଥାଏ।

ବର୍ତ୍ତମାନ ଦେଶର ସ୍ଥିତି ସଂଗୀନ ହୋଇପଡିଛି। ନାଗରିକତା ଆଇନ ବିରୋଧ କରି ଜାଗାରେ ଜାଗାରେ ନିଆଁ ଜଳୁଛି। କିନ୍ତୁ ଏଭଳି ପରିସ୍ଥିତିରେ ଏକ ଚିତ୍ର ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ପୋଲିସ କର୍ମୀ ଜଣଙ୍କ ବୃଦ୍ଧାଙ୍କୁ ନିଜ କୋଳରେ ଧରି ରାସ୍ତା ପାରି କରିଛନ୍ତି।

ଦେଶରେ ଚାଲିଥିବା ହିଂସାକାଣ୍ଡରେ ପୋଲିସ୍ କର୍ମଚାରୀମାନେ ଅଧିକ ଶିକାର ହେଉଛନ୍ତି। ହିଂସାକୁ ବିରୋଧ କରିବାକୁ ଯାଇ ହଜାର ହଜାର ପୋଲିସ୍ କର୍ମଚାରୀମାନେ ଆହତ ମଧ୍ୟ ହେଉଛନ୍ତି।

ବୃଦ୍ଧା ଜଣଙ୍କ ରାସ୍ତାରେ ଅତିକ୍ରମ ତାଙ୍କ ପକ୍ଷେ ଅସମର୍ଥ। ପୁଣି ରାସ୍ତାରେ ଘୁଁଘାଁ ହୋଇ ଗାଡ଼ି ମଟର ଚାଲିଛି। ବୃଦ୍ଧା ଆଉ ରାସ୍ତା ଅତିକ୍ରମ କରି ପାରିଲେ ନାହିଁ। କିନ୍ତୁ ବାରିକେଡ୍ରେ ଛିଡ଼ା ହୋଇଥିବା ଜଣେ ପୋଲିସ୍ କର୍ମଚାରୀ ସବୁ ଦେଖୁଥିଲେ। ଶେଷରେ ବୃଦ୍ଧାଙ୍କୁ କୋଳରେ ଧରି ରାସ୍ତା ପାର କରି ଦେଇଥିଲେ ପୋଲିସ କର୍ମଚାରୀ। ପୋଲିସ୍ କର୍ମଚାରୀଙ୍କ ଏଭଳି କାର୍ଯ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଭଳି ଚିତ୍ର ଦେଖିବାକୁ କମ୍ ମିଳିଥାଏ।

ସ୍ଥାନୀୟ ଲୋକେ ପୋଲିସ୍ କର୍ମଚାରୀଙ୍କୁ ବେଶ ପ୍ରଂଶସା କରିଥିଲେ। ଲକ୍ଷ୍ମୌର ଗୋମତିନଗରରେ ନିକଟରେଏଭଳି ଘଟଣା ଘଟିଛି।