'ଆମେ ତୁମ ସହ ଅଛୁ' : ସଲମାନ ରସଦିଙ୍କ ପାଇଁ ବାହାରିଲେ ଶହଶହ ଲେଖକ, ନ୍ୟୁୟର୍କ ଲାଇବ୍ରେରୀ ବାହାରେ ଜଣାଇଲେ ସମର୍ଥନ

Published By : Prameya-News7 Bureau | August 20, 2022 IST

ନୂଆଦିଲ୍ଲୀ, ୨୦|୦୮: ଆତତାୟୀର ଛୁରାମାଡରେ ଗୁରୁତର ହୋଇଥିବା ଲେଖକ ସଲମାନ ରସଦିଙ୍କ ଚିକିତ୍ସା ଜାରି ରହିଛି । ଏବେବି ସେ ବିପଦରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇନାହାଁନ୍ତି । ଏହାମଧ୍ୟରେ ତାଙ୍କ ସପକ୍ଷରେ ସମର୍ଥନ ବଢିବାରେ ଲାଗିଛି । ଶୁକ୍ରବାର ନ୍ୟୁୟର୍କରେ ଥିବା ଏକ ସାଧାରଣ ଲାଇବ୍ରେରୀ ସାମ୍ନାରେ ଶହଶହ ଲୋକେ ଏକାଠି ହୋଇ ରସଦିଙ୍କ ସପକ୍ଷରେ ବୟାନବାଜି କରିଥିଲେ ।  

ଲାଇବ୍ରେରୀ ଆଗରେ ଏକାଠି ହୋଇଥିବା ଲୋକେ କହିଥିଲେ ଯେ, ସେମାନେ ଏବେ ବିପଦରେ ଅଛନ୍ତି । କିଛି ଜଣ ଅଧିକ ଭୟଭୀତ ଅଛନ୍ତି । ଆଜିକାଲି ନିର୍ଯାତନା ଦେବା ଓ ଲେଖରଙ୍କ ପ୍ରତି ହିଂସା ନିତିଦିନିଆ ଘଟଣା ହୋଇଗଲାଣି ।

ପେନ୍ ନାମକ ଏକ ଏନଜିଓର ସିଇଓ ସୁଜାନେ ନୋଜେଲ କହିଥିଲେ ଯେ, ସଲମାନ ଜଣେ ନିର୍ଭୀକ । ଏହି ସମୟରେ ସମସ୍ତଙ୍କୁ ଆଗକୁ ଆସିବାକୁ ପଡିବ । ଯେଉଁମାନେ ସତ ଲେଖିବାକୁ ସାହସ ରଖନ୍ତି ଓ ସତ କହିବାକୁ ଡରନ୍ତି ନାହିଁ ସେମାନେ ବିପଦରେ ଅଛନ୍ତି । କେବେବି ଏକ ବ୍ଲେଡର ଧାର ସଲମାନଙ୍କ ସ୍ୱରକୁ ଚାପି ପାରିବ ନାହିଁ ।

ସେହିପରି  ଆୟରଲାଣ୍ଡର ଉପନ୍ୟାସକ ରୋୟେ ହାକାକିଆନ୍ କହିଛନ୍ତି ଯେ, ରସଦିଙ୍କ ବିରୋଧରେ ଇରାନ ଆଜୀବନ କାରାଦଣ୍ଡ ଓ ଫାଣି ଦଣ୍ଡ ଶୁଣାଇଥିଲା । ଲଗତାର ଭାବେ ତାଙ୍କୁ ନିର୍ଯାତନା ଦିଆଯାଉଥିଲା । ଲେଖକଙ୍କ ଉପରେ ଆକ୍ରମଣ ସାଧାରଣ କଥା ହୋଇଗଲାଣି । ଏହାକୁ ରୋକାଯିବ ଜରୁରୀ । ଆହୁରି ୧୨ରୁ ଅଧିକ ନାମିଦାମୀ ଲେଖକ ରସଦିଙ୍କ ସପକ୍ଷରେ ବାହାରିଛନ୍ତି ।

ଐତିହାସିକ ଆମାଣ୍ଡା ଫୋରମ୍ୟାନ୍ କହିଛନ୍ତି ଯେ, ସଲମାନଙ୍କ ସପକ୍ଷରେ ବାହାରି ସେମାନେ ଭୟଭୀତ ନଥିବା ପ୍ରମାଣିତ କରିଛନ୍ତି । ଯେତେବେ ଯାହା ହେଲେ ମଧ୍ୟ ସେମାନେ ସଲମାନଙ୍କ ସହ ରହିଛନ୍ତି ଓ ରହିବେ । ଉପନ୍ୟାସକ କିରନ ଦେଶାଇ ମଧ୍ୟ ଲାଇବ୍ରେରୀ ସାମ୍ନାରେ ଉପସ୍ଥିତ ଥିଲେ ଓ ସଲମାନଙ୍କ ସପକ୍ଷରେ ମତ ଦେଇଥିଲେ ।

ସୂଚନାଯୋଗ୍ୟ, ନ୍ୟୁୟର୍କ ଲାଇବ୍ରେରୀ ଆଗରେ ପ୍ରାୟ ୪୦୦ ଲେଖକ ଏକାଠି ହୋଇଥିଲେ । ସେମାନେ ସଲମାନଙ୍କ ସହ ଠିଆ ହୋଇଥିବା ନାରା ଦେଉଥିଲେ । ଯାହାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.