ମୁମ୍ଵାଇ ୧୬।୦୭: ୨୦୨୦ ଅଭିନେତା ରାହୁଲ ରୟ ଅପ୍କମିଙ୍ଗ ଫିଲ୍ମ ‘ଏଲ୍ଏସି: ଲିଭ୍ ଦ ବ୍ୟାଟେଲ୍ ଇନ୍ କାର୍ଗିଲ’ର ସୁଟିଂ କରୁଥିଲେ । ଏତିକିବେଳେ ସେ ବ୍ରେନ୍ ଷ୍ଟ୍ରୋକ୍ର ଶିକାର ହେଲେ । କାର୍ଗିଲର ଜଟିଳ ପାଣିପାଗ ଯୋଗୁ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ସ୍ୱାସ୍ଥ୍ୟରେ ଅବନତି ହେବାରୁ ତାଙ୍କୁ ବିମାନ ଯୋଗେ ଶ୍ରୀନଗରରୁ ପ୍ରଥମେ ୱକ୍ହାର୍ଡଟ ହସ୍ପିଟାଲରେ ଭର୍ତ୍ତି କରାଗଲା । ସେଠାରେ ତାଙ୍କ ମସ୍ତିଷ୍କ ଓ ହୃତ୍ପିଣ୍ଡର ଆନ୍ଜିଓଗ୍ରାଫି କରାଗଲା । ତା’ପରେ ତାଙ୍କୁ ମୁମ୍ବାଇର ନାନାବତୀ ସହ୍ପିଟାଲରେ ଭର୍ତ୍ତି କରାଗଲା । ଏକ ସଦ୍ୟ ସାକ୍ଷାତକାରରେ ରାହୁଲଙ୍କ ଭଉଣୀ କହିଛନ୍ତି, ରାହୁଲ ଚିକିତ୍ସା ଲାଗି ମେଡିକାଲରେ ଦେଢ଼ ମାସ ଧରି ରହିଥିଲେ । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ, ହସ୍ପିଟାଲ୍ରେ ତାଙ୍କର ବକେୟା ବିଲ୍ ଭରିଥିଲେ ବଲିଉଡ୍ର ଭାଇଜାନ୍ ସଲମାନ ଖାନ୍ ।
ଏଥିପାଇଁ ପ୍ରିୟଙ୍କା ସଲ୍ଲୁଙ୍କୁ ଧନ୍ୟବାଦ ଦେଇଛନ୍ତି । ସେତିକି ନୁହେଁ, ସଲ୍ଲୁ ରାହୁଲଙ୍କୁ ଅନ୍ୟ କୌଣସି ସାହାଯ୍ୟ ଆବଶ୍ୟକ ହେଲେ ଜଣାଇବାକୁ କହିଥିଲେ । ତା’ପରେ ସତସତିକା ସବୁ ବାକି ବିଲ୍ ସେ ଭରିଥିଲେ । ପ୍ରିୟଙ୍କା କହିଛନ୍ତି ‘ସଲ୍ଲୁ ଏ ବିଷୟରେ ଗଣମାଧ୍ୟକୁ କିଛି କହିନଥିଲେ । ଏହାକୁ ହିଁ କହନ୍ତି ପ୍ରକୃତ ସାହାଯ୍ୟ । ହୃଦୟର ସହ ତାଙ୍କୁ ଧନ୍ୟବାଦ । ସେ କେବଳ କ୍ୟାମେରା ସାମ୍ନାରେ ଜଣେ ଷ୍ଟାର୍ ନୁହଁନ୍ତି, ବାସ୍ତବ ଜୀବନରେ ଷ୍ଟାର୍ ।’ ଏ ବିଷୟରେ ରାହୁଲ କହିଛନ୍ତି ‘ସଲମାନଙ୍କ ବିଷୟରେ ଲୋକେ କହନ୍ତି, ସେ ଏମିତି.. ସେ ସେମିତି, କିନ୍ତୁ ମୋ ପାଇଁ ସେ ଜଣେ ଭଲ ବ୍ୟକ୍ତି ।’ଷ୍ଟ୍ରୋକ୍ର ଶିକାର ହେବା ପରେ ରାହୁଲ କୋଭିଡ୍ ଆକ୍ରାନ୍ତ ହୋଇ ଆଇସିୟୁରେ ମଧ୍ୟ ଥିଲେ । କଥା କହିବାରେ ତାଙ୍କର ସମସ୍ୟା ହେଲା, ଯାହାକୁ ଆଫାସିୟା କୁହାଯାଏ ।

ଏହି ସ୍ଥିତିରେ ବ୍ୟକ୍ତି ଯୋଗାଯୋଗ କରିବାର କ୍ଷମତା ହରାଇଦିଏ । ଏହା ଦ୍ୱାରା ସେ କଥା କହିବା, ଲେଖିବା ଓ ଭାଷା ବୁଝିବାର ସାମର୍ଥ୍ୟ ହରାଇଦିଏ । ଷ୍ଟ୍ରୋକ୍ ଓ ମୁଣ୍ଡରେ ଆଘାତ ଲାଗିବା ପରେ ହଠାତ୍ ଆଫାସିୟା ସ୍ଥିତି ଉପୁଜିଥାଏ । ରାହୁଲଙ୍କ ଫିଲ୍ମ ‘ଏଲ୍ଏସି: ଲିଭ୍ ଦ ବ୍ୟାଟେଲ ଇନ୍ କାର୍ଗିଲ’ ଗଲୱାନ ଘାଟିର ବାସ୍ତବ ଘଟଣା ଉପରେ ପର୍ଯ୍ୟବସିତ । ଫିଲ୍ମରେ ସେ ଜଣେ ମେଜର ଭୂମିକା ନିର୍ବାହ କରିଛନ୍ତି । ନିତିନ କୁମାର ଗୌତମ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ୧୯୯୦ ମସିହାରେ ମୁକ୍ତିପ୍ରାପ୍ତ ମହେଶ ଭଟ୍ଟଙ୍କ ‘ଆଶିକି’ ଜରିଆରେ ରାହୁଲ ବଲିଉଡ୍ରେ ପାଦ ଥାପିଥିଲେ । ଫିଲ୍ମର ସଫଳତା ପରେ ସେ ରାତାରାତି ଷ୍ଟାର୍ ପାଲଟିଗଲେ । ‘ସପ୍ନେ ସାଜନ୍ କେ’, ‘ଜାନମ୍’, ‘ଜୁନୁନ୍’ ଭଳି ଫିଲ୍ମରେ ସେ କାମ କରିଛନ୍ତି ।
wp:embed {"url":"https://www.prameyanews7.com/comedy-nights-with-kapil-fame-atul-parchure-is-battling-cancer/","type":"wp-embed","providerNameSlug":"prameya-news-7"}