ସଲିମ ମଲିକ ମୋ ସହିତ ଚାକର ଭଳି ବ୍ୟବହାର କରିଥିଲେ: ଓ୍ଵାସିମ ଆକ୍ରମ
28/11/2022 at 10:37 PM

ନୂଆଦିଲ୍ଲୀ: ନିଜର ପୂର୍ବତନ ସାଥୀ ଖେଳାଳିଙ୍କ ବିରୋଧରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ପାକିସ୍ତାନ ଦଳର ଦ୍ରୁତ ବୋଲର ଓ୍ଵାସିମ ଆକ୍ରମ। ସେ କହିଛନ୍ତି ସଲିମ ମଲିକ କ୍ୟାରିୟରର ପ୍ରାରମ୍ଭିକ ସମୟରେ ଚାକର ପରି ବ୍ୟବହାର କରିଥିଲେ। ମୋ ଦ୍ଵାରା ଅଯଥା କାମ କରାଉଥିଲେ।
ଅନ୍ତର୍ଜାତୀୟ କ୍ରିକେଟରେ ୧୯୮୪ରେ ପଦାର୍ପଣ କରିଥିବା ଆକ୍ରମ କହିଛନ୍ତି, ଦଳର ବରିଷ୍ଠ ସାଥୀ ଖେଳାଳି ମଲିକ ତାଙ୍କ ଦ୍ଵାରା ମାଲିସ କରାଇବା ସହ ପୋଷାକ ଏବଂ ଜୋତା ସଫା କରାଇଛନ୍ତି। ଆକ୍ରମ ଏହି ଖୁଲାସା ନିଜର ଆତ୍ମଜୀବନି ‘ସୁଲତାନ: ଏକ ସସ୍ମରଣ’ରେ କରିଛନ୍ତି। ଆତ୍ମକଥାର ଏକ ଅଂଶରେ ଲେଖା ହୋଇଛି ଯେ, ସେ ମୋର ଜୁନିୟର ହେବାର ଫାଇଦା ଉଠାଇଥିଲେ। ସେ ସ୍ଵାର୍ଥପର ଭାବେ ଜଣେ ଚାକର ପରି ମୋର ବ୍ୟବହାର କରିଥିଲେ। ମୁଁ ତାଙ୍କର ମାଲିସ କରେ, ତାଙ୍କର ପୋଷାକ ଏବଂ ଜୋତା ସଫା କରେ ବୋଲି ସେ ଦାବି କରିଥିଲେ।
ଆକ୍ରମଙ୍କ ଅନୁସାରେ, ମୁଁ ବହୁତ କ୍ରୋଧିତ ଥିଲି ଯେବେ ରମିଜ୍, ତାହିର, ମୋହସିନ, ସୋଏବ ମହମ୍ମଦଙ୍କ ପରି କିଛି ଯୁବ ଖେଳାଳି ମୋତେ ନାଇଟ୍ କ୍ଲବକୁ ଆମନ୍ତ୍ରିତ କରିଥିଲେ। ଆକ୍ରମ ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ମଲିକଙ୍କ ଅଧିନାୟକତ୍ଵରେ ଖେଳିଥିଲେ। ତେବେ ଦୁହିଁଙ୍କ ମଧ୍ୟରେ ସଂପର୍କ ଭଲ ନଥିଲା।
ମଲିକ ଏସବୁ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଆକ୍ରମ ତାଙ୍କ ପୁସ୍ତକର ପ୍ରଚାର ପାଇଁ ଏମିତି ଲେଖିଛନ୍ତି। ଏହି ବିଷୟରେ ମୁଁ ଜାଣିବା ପାଇଁ ଫୋନ କରିଥିଲି, ମାତ୍ର ଆକ୍ରମ ଫୋନ ଉଠାଇ ନାହାନ୍ତି। ମୁଁ ତାଙ୍କୁ ପଚାରିବି ଯେ, ଏମିତି ଲେଖିବା ପଛର କାରଣ କଣ ।
ମଲିକ କହିଛନ୍ତି, ଯଦି ମୁଁ ସଂକୀର୍ଣ୍ଣ ଚିନ୍ତାଧାରାର ଲୋକ ହୋଇଥାନ୍ତି ତେବେ ତାଙ୍କୁ ବୋଲିଂ କରିବାକୁ ସୁଯୋଗ ଦେଇନଥାନ୍ତି। ମୁଁ ତାଙ୍କୁ ପଚାରିବି ଯେ, ସେ ମୋ ବିଷୟରେ ଏମିତି କାହିଁକି ଲେଖିଲେ।