ଜିନିଷ ବିକିବାକୁ ଆସିଥିଲା, ମହିଳାଙ୍କୁ ଏକା ଦେଖି ଜାଗିଲା ଦୁଷ୍ଟ ପ୍ରବୃତ୍ତି, ମହିଳାଙ୍କୁ ଦୁଷ୍କର୍ମ ପରେ ମାରପିଟ୍‌ କରି ଚମ୍ପଟ ମାରିଲା ସେଲ୍ସମ୍ୟାନ୍‌

Published By : Prameya-News7 Bureau | September 24, 2021 IST

ଲକ୍ଷ୍ନୌ ୨୪/୦୯: ଦଳିତ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ କଲା ସେଲ୍ସମ୍ୟାନ୍‌। କମ୍ପାନୀର ମାଲ ବିକ୍ରି କରିବାକୁ ଯାଇଥିବା ସେଲ୍ସମ୍ୟାନ୍‌ ଘରେ ମହିଳାଙ୍କୁ ଏକା ପାଇ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଲକ୍ଷ୍ନୌର ମୋହନଲାଲଗଞ୍ଜ ପୀଡ଼ିତା ଦଳିତ ମହିଳା ଏନେଇ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। 

ସ୍ଥାନୀୟ ଥାନାଧିକାରୀ ଦୀନାନାଥ ମିଶ୍ରଙ୍କ ଅ୍ରନୁସାରେ, ପୀଡ଼ିତାଙ୍କ ଅଭିଯୋଗ ମିଳିବା ପରେ ଆରସିଏମ କମ୍ପାନୀର ସେଲ୍ସମ୍ୟାନ୍‌ ଆନିକେତ ଯାଦବ ବିରୋଧରେ ଦୁଷ୍କର୍ମ, ମାରପିଟ ଏବଂ ଏସସି/ଏସଟି ଆକ୍ଟରେ ମାମଲା ରୁଜୁ ହୋଇଛି। ଏବେ ଅଭିଯୁକ୍ତ ଫେରାର ହୋଇଯାଇଥିବାରୁ ପୋଲିସ ଟିମ୍‌ ଖୋଜାଖୋଜି କରୁଛି।

ମହିଳାଙ୍କ ଅଭିଯୋଗ କ୍ରମେ ବୁଧବାର ଦିନ ତାଙ୍କ ସ୍ବାମୀ କାର୍ଯ୍ୟକୁ ବାହାରିଯିବା ପରେ ସେ ଘରେ ଏକା ଥିଲେ। ଏହି ସମୟରେ ଆରସିଏମ କମ୍ପାନୀର ସେଲ୍ସମ୍ୟାନ୍‌ ଖୁଜୌଲି ବାସିନ୍ଦା ଆନିକେତ ପ୍ରଡକ୍ଟ ବିକ୍ରି ପାଇଁ ତାଙ୍କ ଘରକୁ ଆସିଥିଲା। ଘରେ ପଶିବା ସହ ମହିଳାଙ୍କୁ ଏକଲା ପାଇ ତାର ଦୁଷ୍ଟ ପ୍ରବୃତ୍ତି ଜାଗି ଉଠିଥିଲା। ଏହା ପରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ।

ଏନେଇ ବିରୋଧ କରିବାରୁ ପୀଡ଼ିତାଙ୍କୁ ମାରପିଟ୍‌ କରିଥିଲା ଅଭିଯୁକ୍ତ। ମହିଳାଙ୍କ ପାଟି ଶୁଣି ପଡ଼ୋଶୀରେ ରହୁଥିବା ତାଙ୍କ ଦିଅର ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ । ସେତେବେଳକୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ସ୍ବାମୀ କାର୍ଯ୍ୟରୁ ଫେରିବା ପରେ ପୀଡ଼ିତା ସମସ୍ତ ଘଟଣା ବଖାଣିଥିଲେ ।ଏହା ପରେ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.