ରାଷ୍ଟ୍ରପିତି ନିର୍ବାଚନ ପୂର୍ବରୁ ଆମେରିକାରେ ବୃଦ୍ଧି ପାଉଛି ମାରଣାସ୍ତ୍ର ବିକ୍ରି, ପ୍ରଥମ ଥର ବନ୍ଧୁକ କିଣିଛନ୍ତି ୫୦ ଲକ୍ଷ ଲୋକ
31/10/2020 at 7:58 PM

ଓ୍ବାସିଂଟନ୍ ୩୧/୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ତାରିଖ ପାଖେଇ ଆସୁଛି। ଫଳାଫଳ କଣ ହେବ ତାହା ପରେ ଜଣାପଡ଼ିବାକୁ ଥିବା ବେଳେ ଆମେରିକାରେ ଅଶାନ୍ତି ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି। ରାଜନୈତିକ ଫଳାଫଳ ବା ଏକପାଖିଆ ଫଳାଫଳକୁ ନେଇ ଆମେରିକାରେ ଆଗାମୀ ଦିନରେ ହିଂସାତ୍ମକ ପରିସ୍ଥିତି ଉପୁଜିବ ବୋଲି କୁହାଯାଉଛି।
ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଆମେରିକାରେ ମାରଣାସ୍ତ୍ର ବିକ୍ରି ସେତିକି ବଢ଼ିବାରେ ଲାଗିଛି। ଏପରିକ ବନ୍ଧୁକ ଓ ଗୁଳାବାରୁଦ ଲୋକେ କ୍ରୟ କରୁଥିବା ଦେଖିବାକୁ ମିଳୁଛି। ଏହାକୁ ନଜରରେ ରଖି ବନ୍ଧକୁ ବିକ୍ରି କରୁଥିବା କମ୍ପାନୀ ଓ୍ବାଲମାର୍ଟ ଏବେ ଆମେରିକାରେ ବନ୍ଧୁକ ବିକ୍ରି ଉପରେ ରୋକ ଲଗାଇପାରେ ବୋଲି ଚର୍ଚ୍ଚା ହେଉଛି।
ମିଳିଥିବା ରିପୋର୍ଟ ଅନୁସାରେ ଚଳିତବର୍ଷ ୫୦ ଲକ୍ଷ ଲୋକେ ପ୍ରଥମ ଥର ବନ୍ଧୁକ କିଣିଛନ୍ତି। ପ୍ରତି ୧୦୦ ଆମେରିକୀୟଙ୍କ ମଧ୍ୟରେ ୧୨୦.୫ ବନ୍ଧୁକ ଥିବା ଅନୁମାନ କରାଯାଉଛି। ତେବେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପେର ହିଂସାତ୍ମକ କାର୍ଯ୍ୟକଳାପକୁ ନେଇ ପ୍ରଥମେ ଫେସବୁ୍କ୍ ସିଇଓ ମାର୍କ ଜୁକରବର୍ଗ ଚିନ୍ତା ପ୍ରକାଶ କରିଥିଲେ। ତାଙ୍କ ମତରେ ଆମେରିକା ଏବେ ବିଭିନ୍ନ ଚିନ୍ତାଧାରାରେ ବାଣ୍ଟିସାରିଛି। ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସିବାକୁ କିଛି ଦିନ ବାକିଥିବା ବେଳେ ଲୋକେ ଅଶାନ୍ତି ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଥିବା ମାର୍କ କହିଥିଲେ।
ସେପଟେ ଆମେରିକା ରାଷ୍ଟ୍ରପତି ଅନେକ ଥର ଏହା ଇଶାରା ଦେଇଛନ୍ତି। ଯଦି ଫଳାଫଳ ତାଙ୍କ ବିପକ୍ଷରେ ଯାଏ ତେବେ ଦକ୍ଷିଣପନ୍ଥୀ ମିଲିସିଆ ତାଙ୍କ ବିରୋଧରେ ହିଂସା ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଥିବା ଟ୍ରମ୍ପ କହିଥିଲେ। ଏହି ମିଲିସିଆକୁ ଟ୍ରମ୍ପ ପ୍ରଶାସନ ସର୍ବଦା ଭୟଙ୍କର ବୋଲି ମାନିଆସିଛି। ସେପଟେ ପେନସିଲଭେନିଆ, ମିସିଗନ୍, ଜର୍ଜିଆ ଭଳି ସ୍ଥାନରେ ଫଳାଫଳ ସବୁଠୁ ଅଧିକ ମହତ୍ବପୂର୍ଣ୍ଣ ସାବ୍ୟସ୍ତ ହେବାକୁ ଥିବା ବେଳେ ସେଠାରେ ମାରଣାସ୍ତ୍ରର ବ୍ୟବହାର କରାଯାଇପାରେ ବୋଲି କୁହାଯାଉଛି।