ଉତ୍ତର ପ୍ରଦେଶରେ ଖୋଲିଲା ୨୬,୦୦୦ ମଦ ଦୋକାନ, ସରକାରଙ୍କ ଆଶା- ପ୍ରଥମ ଦିନରେ ମିଳିବ ୧୦୦ କୋଟି ରାଜସ୍ଵ
4/05/2020 at 4:24 PM

ଲକ୍ଷ୍ନୌ ୦୪।୦୫: ଲକ୍ଡାଉନ୍ରେ କିଛିଟା କୋହଳ କରାଯାଇ ଅର୍ଥବ୍ୟବସ୍ଥାକୁ ଧିରେ ଧିରେ ଖୋଲିବାକୁ କେନ୍ଦ୍ର ସରକାର ପ୍ରୟାସ ଚଳାଇଛନ୍ତି। କେନ୍ଦ୍ର ସରକାର ଶୁକ୍ରବାର ଲକ୍ଡାଉନ୍ ଅବଧି ବୃଦ୍ଧି କରିବା ନେଇ ଜାରି କରିଥିବା ଗାଇଡ୍ ଲାଇନ୍ରେ ଦେଶର ସମସ୍ତ ଜୋନ୍ରେ ମଦ ବିକ୍ରିକୁ ଅନୁମତି ଦେଇଛନ୍ତି। ଫଳରେ ଦେଶର ଅନେଜ ରାଜ୍ୟରେ ମଦ ଦୋକାନ ଖୋଲିବା ଆରମ୍ଭ ହେଲାଣି। ଉତ୍ତର ପ୍ରଦେଶ ସରକାର ମଧ୍ୟ ରାଜ୍ୟରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି। ଏହା ପରେ ମଦ ଦୋକାନ ଆଗରେ ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି। ରାଜ୍ୟ ଅବକାରୀ ବିଭାଗ କହିଛି ଯେ, ସରକାରଙ୍କୁ ସୋମବାର ପ୍ରଥମ ଦିନରେ ୨୬ ହଜାର ମଦ ଦୋକାନାରୁ ପ୍ରାୟ ୧୦୦ କୋଟି ଟଙ୍କା ରାଜସ୍ଵ ମିଳିବାର ଆଶା ରହିଛି। ପ୍ରାୟ ୪୦ ଦିନ ପରେ ଦୋକାନ ଖୋଲିବା ପରେ ଲୋକେ ଆଜି ସମୟ ପୂର୍ବରୁ ଦୋକାନ ଆଗରେ ମଦ କିଣିବାକୁ ପହଞ୍ଚି ଯାଇଥିଲେ।
ରାଜଧାନୀ ଲକ୍ଷ୍ନୌ ସହିତ ରାଜ୍ୟର ଅନ୍ୟ ସହରରେ ମଧ୍ୟ ମଦ ଦୋକାନା ଖୋଲିବା ପୁର୍ବରୁ ବାହାରେ ଲୋକଙ୍କ ଲମ୍ବା ଧାଡି ଲାଗି ରହିଛି। ଏହି ସମୟରେ ଅନେକ ସ୍ଥାନରେ ସାମାଜିକ ଦୂରତ୍ଵ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ଲୋକ ବହୁଳ ମାତ୍ରାରେ ମଦ ବୋତଲ କିଣୁଛନ୍ତି। ରାଜ୍ୟ ମୁଖ୍ୟ ସଚିବ ସଞ୍ଜୟ ଭୁସରେଡ୍ଡୀ ଅଧିକାରୀଙ୍କ ସହିତ ସକାଳ ପ୍ରାୟ ୧୦ଟାରୁ ସହରର ମହାନଗର, ଅଲିଗଞ୍ଜ, ଇନ୍ଦିରାନଗର ଆଦି ଅଞ୍ଚଳରେ ମଦ ଦୋକାନ ଖୋଲିବା ନୀରିକ୍ଷଣ କରିଛନ୍ତି ଏବଂ ସମସ୍ତ ଦୋକାନରେ ସାନିଟାଇଜର ଓ ସାମାଜିକ ଦୂରତ୍ଵ ଆଦି ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି।

ଭୁସରେଡ୍ଡୀ କହିଛନ୍ତି ସୋମବାରଠୁ ରାଜ୍ୟର ସମସ୍ତ ଜନପଦରେ ପ୍ରାୟ ୨୬ ହଜାର ମଦ ଦୋକାନ ଖୋଲିବାକୁ ଆଦେଶ ଦିଆଯାଇଛି। ଅଧିକାଂଶ ଜନ ପଦରେ ଦୋକାନ ଖୋଲି ଯାଇଛି। ଲକ୍ଡାଉନ୍ ନିୟମ ପାଳନକରି ତଥା ସାମାଜିକ ଦୂରତ୍ଵ ଓ ସଫେଇ ବ୍ୟବସ୍ତାକୁ ଦୃଷ୍ଟିରେ ରଖି ମଦ ବିକ୍ରି ଜାରି ରହିଛି। ସରକାର ଅନୁମାନ କରିଛନ୍ତି ଯେ, ପ୍ରଥମ ଦିନରେ ପ୍ରାୟ ୧୦୦କୋଟି ଟଙ୍କା ରାଜସ୍ଵ ମିଳିବ।
ସେ କହିଛନ୍ତି, ପୋଲିସ କର୍ମୀଙ୍କୁ ଦୋକାନ ବାହାରେ ଭିଡ ହେବାକୁ ନଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଦୂରତ୍ଵ ପାଳନ କରାଇବେ। ଲକ୍ଡାଉନ୍ର ତୃତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହୋଇ ଯାଇଛି। ଏହାରି ଆଧାରରେ କିଛି ସର୍ତ୍ତ ସହିତ ରେଡ୍, ଅରେଞ୍ଜ ଓ ଗ୍ରୀନ ଜୋନ୍ରେ ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲିବାକୁ ପ୍ରାବଧାନ ରହିଛି।