ଟ୍ୱିଟ୍ କରିବା ପଡ଼ିଲା ମହଙ୍ଗା, ଜାମିନ୍ ମିିଳିବା ପରେ ସାକେତ ଗୋଖଲେଙ୍କୁ ପୁଣି ଗିରଫ କଲା ପୋଲିସ
9/12/2022 at 3:17 PM

ନୂଆଦିଲ୍ଲୀ ୦୯/୧୨ : ପୁଣି ବନ୍ଧା ହେଲେ ତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ସାକେତ ଗୋଖଲେ । କୋର୍ଟରୁ ଜାମିନ ମିଳିବାର କିଛି ଘଣ୍ଟା ପରେ ମୋରବି ପୋଲିସ୍ ତାଙ୍କୁ ଗିରଫ କରିଛି। ସାକେତ ଗୋଖଲେଙ୍କ ସମର୍ଥନରେ ୫ଟିଏମସି ନେତାଙ୍କ ଦ୍ୱାରା ଗଠିତ ଏକ ଦଳ ମୋରବି ଯାଉଛନ୍ତି।
ସୂଚନାନୁସାରେ, ମୋରବି ପୋଲ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ଗୋଖଲେ ଏକ ଟ୍ୱିଟ୍ କରିଥିଲେ। ଯେଉଁଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା। ଆଉ ଜାମିନ୍ ମିଳିବାର କିଛି ଘଣ୍ଟା ପରେ ୮ତାରିଖ ଦିନ ପୁଣି ତାଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ରାଗି ଯାଇ ଟିଏମସି ନେତା ଡେରେକ୍ ଓ‘ ବ୍ରାଏନ୍ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଜାମିନ୍ ମିଳିବା ପରେ ଟିଏମସି ନେତା ସାକେତ ଗୋଖେଲଙ୍କୁ ଗିରଫ କରିଛି ପୋଲିସ୍। ତା’ପୁଣି ବିନା ନୋଟିସ୍ ଓ ବିନା ୱାରେଣ୍ଟରେ ତାଙ୍କୁ ଏକ ଆଜ୍ଞାତ ସ୍ଥାନକୁ ନିଆଯାଇଥିଲା। ଯାହା ଅତ୍ୟନ୍ତ ନିନ୍ଦନୀୟ। ଏହାସହ ଗୁଜରାଟ ପୋଲିସ ତାଙ୍କୁ ହଇରାଣ କରିଥିବା ଡେରେକ୍ ଓ‘ବ୍ରାଏନ୍ ଟ୍ୱିଟ୍ କରି ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଗୋଖଲେ ଡିସେମ୍ବର ପହିଲାରେ ଟ୍ୱିଟ୍ କରି ଦାବି କରିଥିଲେ ଯେ, ଏକ ଆର୍ଟିଆଇ ସୂଚନାରୁ ଜଣାପଡ଼ିଛି ମୋରବି ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ ଫଳରେ ରାଜ୍ୟ ସରକାରଙ୍କୁ ୩୦ କୋଟି ଟଙ୍କାର ବ୍ୟୟଭାର ବହନ କରିବାକୁ ପଡ଼ିଛି, ଯାହା ମୋରବି ଦୁର୍ଘଟଣାରେ ମୃତାହତଙ୍କ ପରିବାରକୁ ଦିଆଯାଇଥିବା ମୋଟ୍ କ୍ଷତିପୂରଣ ରାଶିର ୬ ଗୁଣ। ଅର୍ଥାତ୍ ଦୁର୍ଘଟଣାର କ୍ଷତିଗ୍ରସ୍ତ ପ୍ରାୟ ଦେଢ଼ଶହ ପରିବାରକୁ ମାତ୍ର ୫ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜ୍ୟ ସରକାର ୩୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସରକାରଙ୍କ ଫ୍ୟାକ୍ଟ-ଚେକ୍ ୟୁନିଟ୍ ସେହିଦିନ ହିଁ ଜାଣିବାକୁ ପାଇଥିଲା ଯେ ଗୋଖଲେଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ସେ ଯେଉଁ ଆର୍ଟିଆଇ ସୂଚନାର ଦାବି କରୁଛନ୍ତି ତାହା ନକଲି।