କ୍ୟାରିୟରକୁ ନୂଆ ସୁଯୋଗ ଦେବେ ସୈୟାମୀ ଖେର, ପରଦାରେ ଦିବ୍ୟାଙ୍ଗ କ୍ରିକେଟର ଭୂମିକାରେ ଆସିବେ ନଜର

Published By : Prameya-News7 Bureau | December 06, 2022 IST

ମୁମ୍ଵାଇ ୦୬।୧୨: କ୍ରିକେଟ୍‌ ଉପରେ ଆଧାରିତ ଅନେକ ଫିଲ୍ମ ଦର୍ଶକ ଦେଖିଛନ୍ତି । କିନ୍ତୁ ସୈୟାମୀ  ଖେର୍‌ ଏଭଳି ଏକ ଫିଲ୍ମରେ ପରଦାକୁ ଆସିବେ, ଯାହା କେବଳ କ୍ରିକେଟ୍‌  ପ୍ରେମୀଙ୍କୁ ନୁହେଁ, ବରଂ ସବୁ ଲୋକଙ୍କ ମନରେ ସମସ୍ୟା ସହ ଲଢ଼ିବାର  ଉତ୍ସାହ ସୃଷ୍ଟି କରିବ। ଫିଲ୍ମ ଦୁନିଆରେ ନିଜର ପ୍ରତିଭା ପ୍ରଦର୍ଶନରେ ଏପର୍ଯ୍ୟନ୍ତ  ସଫଳତା ପାଇନାହାନ୍ତି ସୈୟାମୀ। ଏଥର କିନ୍ତୁ ଜଣେ କ୍ରୀଡ଼ାବିତ୍‌ ମହିଳା  ଚରିତ୍ରରେ ଲୋକଙ୍କ ହୃଦୟରେ ଓ ବଲିଉଡ୍‌ରେ ପରିଚୟ ସୃଷ୍ଟି କରିବାରେ  ସଫଳ ହେବେ ବୋଲି ତାଙ୍କର ପୂର୍ଣ୍ଣ ବିଶ୍ୱାସ । ଫିଲ୍ମର ଟାଇଟଲ୍‌ ‘ଘୂମର୍‌’। ଏହା ଆର୍‌ ବାଲ୍‌କୀଙ୍କ ନିର୍ଦ୍ଦେଶିତ ଏକ ସ୍ପୋର୍ଟସ୍‌ ଡ୍ରାମା। ଏଥିରେ ସୈୟାମୀ ଜଣେ  ଦିବ୍ୟାଙ୍ଗ ମହିଳା କ୍ରିକେଟର୍‌ ଭୂମିକାରେ ନଜର ଆସିବେ । ଦିବ୍ୟାଙ୍ଗ ହୋଇ  କ୍ରିକେଟର୍‌ ହେବାର ସ୍ୱପ୍ନ ଦେଖିବା ଏବଂ ତମାମ ସମସ୍ୟାର ସମ୍ମୁଖୀନ ହୋଇ  ନିଜ ସ୍ୱପ୍ନକୁ ସାକାର କରିବାର କାହାଣୀ ସେ ବଡ଼ ପରଦାରେ ଦେଖାଇବେ ।  ଫିଲ୍ମକୁ ନେଇ ସେ ଖୁବ୍‌ ଆଶାବାଦୀ ।

ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ନିଜ ଭୂମିକା ବିଷୟରେ ସେ କହିଛନ୍ତି  ‘ଘୂମର୍‌’ମୋ ପାଇଁ ଏପର୍ଯ୍ୟନ୍ତର ସର୍ବାଧିକ ଶାରୀରିକ ଓ ମାନସିକ ଭାବେ  ଚ୍ୟାଲେଞ୍ଜିଂ ଭୂମିକା। ଜଣେ ବିକଳାଙ୍ଗ କ୍ରିକେଟର ଭାବେ ମୋ ଯାତ୍ରା ବେଶି  ଚ୍ୟାଲେଞ୍ଜିଂ ଥିଲା ।’ଫିଲ୍ମରେ ତାଙ୍କ ଅପୋଜିଟ୍‌ରେ ମୁଖ୍ୟ ଭୂମିକାରେ  ଅଛନ୍ତି ଅଭିଷେକ ବଚ୍ଚନ ।  ସିନେ ଜଗତରେ ନିଜର ପରିଚୟ ସୃଷ୍ଟି ଲାଗି କଠିନ ପରିଶ୍ରମ  କରୁଥିବା ସୈୟାମୀଙ୍କୁ ଜଣେ ଗ୍ଲାମରସ୍‌ ଅଭିନେତ୍ରୀ ଭାବେ ଦର୍ଶକ  ଜାଣନ୍ତି । କିନ୍ତୁ ଗ୍ଲାମର୍‌ ଜଗତକୁ ଆସିବା ପୂର୍ବରୁ ସେ ଜଣେ  କ୍ରୀଡ଼ାବିତ୍‌ ଥିଲେ । ସେ ଜଣେ କ୍ରିକେଟର୍‌ ବି ଥିଲେ । ମହାରାଷ୍ଟ୍ର  ପାଇଁ ସେ ରାଜ୍ୟ ସ୍ତରୀୟ କ୍ରିକେଟ୍‌ ଖେଳିଥିଲେ । କ୍ରିକେଟ୍‌ ପାଇଁ  ତାଙ୍କର ଭଲପାଇବା ଏବେ ବି ରହିଛି ।  

ଫିଲ୍ମ ‘ଘୂମର୍‌’ର କାହାଣୀ ହଙ୍ଗେରୀର ଦିବ୍ୟାଙ୍ଗ ରାଇଟ୍‌ ହ୍ୟାଣ୍ଡ  ଶୁଟର୍‌ କାରୋଲି ଟାକାକ୍ସଙ୍କ ଦ୍ୱାରା ପ୍ରେରିତ, ଯିଏକି ବାମ  ହାତରେ ଦୁଇଟି ଅଲିମ୍ପିକ୍‌ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତାଙ୍କର  ଏହି ପ୍ରେରଣାପ୍ରଦ କାହାଣୀକୁ କ୍ରିକେଟ୍‌ ମାଧ୍ୟମରେ ଦର୍ଶକଙ୍କ  ପାଖରେ ପହଞ୍ଚାଇବାକୁ ଫିଲ୍ମମେକର୍‌ ନିଷ୍ପତ୍ତି ନେଲେ । ଫିଲ୍ମ  ‘ମିର୍ଜିୟା’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିବା ସୈୟାମୀ  ଏକାଧିକ ଫିଲ୍ମ ଓ ୱେବ୍‌ ସିରିଜ୍‌ରେ କାମ କରିଛନ୍ତି । କିନ୍ତୁ  ସଫଳ ହୋଇନାହାନ୍ତି । ଅପ୍‌କମିଙ୍ଗ ଫିଲ୍ମକୁ ନେଇ ତାଙ୍କର  ଅନେକ ଆଶା । ଏଇଟି ଆସନ୍ତା ବର୍ଷ ମୁକ୍ତିଲାଭ କରିବ। ଏହା ଜରିଆରେ ନିଜର ଫ୍ଲପ୍‌ କ୍ୟାରିଅର୍‌କୁ ହିଟ୍‌ ଅଭିମୁଖେ  ନେବାରେ ସେ ସଫଳ ହେବାକୁ ଆଶା ବାନ୍ଧିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.