ସାଇଶ୍ରୀ ହତ୍ୟା ମାମଲା: ଅଭିଯୁକ୍ତ ତନୁଶ୍ରୀଙ୍କ ଜାମିନ୍ ଖାରଜ
14/08/2020 at 8:36 AM

ଭୁବନେଶ୍ବର୧୪/୮: ବହୁଚର୍ଚ୍ଚିତ ଆଇଗିଣିଆ ରାଜୀବନଗର ସାଇଶ୍ରୀ ପାତ୍ର(୫) ହତ୍ୟା ମାମଲାରେ ଅଭିଯୁକ୍ତ ତନୁଶ୍ରୀ ପରମାଣିକଙ୍କ ଜାମିନ୍ ଖାରଜ ହୋଇଛି । ଏଡିଜେ-୪ ବିଚାରପତି ସତ୍ୟନାରାୟଣ ପ୍ରଧାନ ତନୁଶ୍ରୀଙ୍କ ଜାମିନ୍ ଆବେଦନକୁ ନାମଞ୍ଜୁର କରିଛନ୍ତି ।
ମୁଦାଲାଙ୍କ ଓକିଲ ମନୋଜ ନାୟକ ଓ ଉମେଶ ଚନ୍ଦ୍ର ସେଠୀଙ୍କ ପକ୍ଷରୁ ଆଗତ ଜାମିନ୍ ଆବେଦନର ବୁଧବାର ଶୁଣାଣି ହୋଇଥିଲା । ମାମଲାକୁ ନେଇ ଶ୍ରୀ ନାୟକ ଯୁକ୍ତି ବାଢ଼ିଥିଲେ ଯେ, ତନୁଶ୍ରୀ ଜଣେ ମାନସିକ ରୋଗୀ । ଦୀର୍ଘ ବର୍ଷ ଧରି ସେ ମାନସିକ ବିଶେଷଜ୍ଞଙ୍କ ପାଖରେ ଚିକିତ୍ସିତ ହେଉଥିଲେ । ଏମିତିକି ଅଘଟଣ ପରେ ବି ଦୀର୍ଘ ୨୩ ଦିନ ଏମ୍ସ ହସ୍ପିଟାଲର ଆଇସିୟୁ ୱାର୍ଡରେ ତନୁଶ୍ରୀ ଚିକିତ୍ସାଧୀନ ଥିଲେ । ମାନସିକସ୍ଥିତି ଠିକ୍ ନଥିବା ଦର୍ଶାଇ ତନୁଶ୍ରୀଙ୍କୁ ସର୍ତ୍ତମୂଳକ ଜାମିନ୍ ଦିଆଯିବାକୁ ସେ ବିଚାରପତିଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
ଅତିରିକ୍ତ ସରକାରୀ ଆଇନ୍ଜୀବୀ ଡ. ସୁରେଶ ବାରିକ ଏହାର ପାଲଟା ଜବାବ୍ରେ ନିଜ ପକ୍ଷ ରଖିଥିଲେ ଯେ, ସାଢ଼େ ୫ ବର୍ଷର ଶିଶୁପୁତ୍ରକୁ ତଣ୍ଟି ଚିପି ମାରିବା ନିହାତି ଭାବେ ଏକ ସାଂଘାତିକ ଅପରାଧ । ଏହାଛଡ଼ା ତନୁଶ୍ରୀଙ୍କ ଝିଅ ପୁନମ୍ଙ୍କ ବୟାନ ରେକର୍ଡକୁ ଗୁରୁତ୍ୱ ଦେବାକୁ ବିଚାରପତିଙ୍କୁ ଡ. ବାରିକ ଅନୁରୋଧ କରିଥିଲେ । ଘଟଣା ଦିନ ତନୁଶ୍ରୀ ହିଁ ନିଜ ଓଢ଼ଣିରେ ସାଇଶ୍ରୀଙ୍କ ତଣ୍ଟି ଚିପି ଥିବା ପୁନମ୍ ନିଜ ବୟାନରେ କହିଥିଲେ । ଶ୍ରୀ ବାରିକ୍ ଆହୁରି ଯୁକ୍ତି ବାଢ଼ିଥିଲେ ଯେ, ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଦର୍ଶାଉଛି ସାଇଶ୍ରୀଙ୍କ ବେକରେ କଳାଦାଗ ଓ ନଖରେ ରାମ୍ପୁଡା ଚିହ୍ନ ରହିଛି । ଏହି ଦୃଷ୍ଟିରୁ ତନୁଶ୍ରୀଙ୍କ ଜାମିନ୍କୁ ଖାରଜ କରିବାକୁ ସେ ନିବେଦନ କରିଥିଲେ । ଜାମିନ ଖାରଜ ଉପରେ ପ୍ରତିକ୍ରିୟା ରଖି ତନୁଶ୍ରୀ ପକ୍ଷଭୁକ୍ତ ଓକିଲ ଶ୍ରୀ ନାୟକ କହିଛନ୍ତି, ଆମେ ପୁଣି ଥରେ ଜାମିନ ଆବେଦନ କରିବୁ ।
ସୂଚନା ଥାଉ କି, ଜୁନ୍ ୩ ତାରିଖରେ ରାଜୀବ ନଗରସ୍ଥିତ ଏଚ୍ଆଇଜି ୩୦ରେ ରହୁଥିବା ସମୀର ପାତ୍ରଙ୍କ ସାନ ପୁଅ ସାଇଶ୍ରୀଙ୍କ ହତ୍ୟା ହୋଇଥିଲା । ଘଟଣାଦିନ ଖେଳିବା ବାହାନାରେ ସାଇଶ୍ରୀଙ୍କୁ ଘରୁ ଡାକି ନେଇଥିଲେ ତନୁଶ୍ରୀ । ଘଣ୍ଟାଏ ପରେ ତନୁଶ୍ରୀଙ୍କ ଘରୁ ସାଇଶ୍ରୀ ଓ ତନୁଶ୍ରୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରା ଯାଇଥିଲା । ହସ୍ପିଟାଲରେ ସାଇଶ୍ରୀକୁ ମୃତ ଘୋଷଣା କରା ଯାଇଥିଲା । ଶ୍ୱାସରୁଦ୍ଧ ଯୋଗୁଁ ତା’ର ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣା ପଡ଼ିଥିଲା । ଖଣ୍ଡଗିରି ଥାନା ପୁଲିସ କେସ୍ ନମ୍ବର ୩୦୫/୨୦ରେ ଏକ ମାମଲା ରୁଜୁ କରି ତନୁଶ୍ରୀଙ୍କୁ ୨୫ ତାରିଖରେ କୋର୍ଟଚାଲାଣ କରିଥିଲା। ତାଙ୍କ ବିରୋଧରେ ଆଇପିସି ଦଫା ୩୦୫(ହତ୍ୟା ନିମନ୍ତେ ଦଣ୍ଡ) ଲଗା ଯାଇଛି । ମାମଲାରେ ରାଜୀବନଗରରେ ରହୁଥିବା କିଛି ପଡ଼ୋଶୀ, ସାଇଶ୍ରୀଙ୍କ ମା’ ଓ ବଡ଼ ଭାଇ ଓମ୍ଶ୍ରୀ ଓ ତନୁଶ୍ରୀଙ୍କ ଝିଅ ପୁନମ୍ର ବୟାନ ରେକର୍ଡ କରାଯାଇଛି । ଅଦାଲତରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ ହୋଇସାରିଛି ।