ରାମମନ୍ଦିର ଟ୍ରଷ୍ଟ ବିରୋଧରେ ମୋର୍ଚ୍ଚା ଖୋଲିଲେ ସନ୍ଥ! କହିଲେ ଦାନର ହେଉଛି ମାଙ୍କଡ ବାଣ୍ଟ
3/12/2020 at 9:18 PM

ଅଯୋଧ୍ୟା ୩।୧୨: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ନେଇ ପ୍ରଥମ ଥର ସନ୍ଦେହ ଉପୁଜିଛି। ସନ୍ଥମାନେ ଏହି ସନ୍ଦେହ ବ୍ୟକ୍ତ କରିଥିବା ବେଳେ ମନ୍ଦିର ନିର୍ମାଣ ଲାଗି ସଂଗୃହୀତ ଅର୍ଥର ମାଙ୍କଡ ଭାଗବାଣ୍ଟ ହେଉଥିବାର ଅଭିଯୋଗ ଆଣିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନିର୍ବାଣୀ ଅଣି ଆଖଡା ମହନ୍ତ ଧର୍ମ ଦାସ ଏପରି ଅଭିଯୋଗ ଆଣିଛନ୍ତି। ମହନ୍ତ ମନ୍ଦିର-ମସଜିଦ୍ ମାମଲାର ପକ୍ଷ ମଧ୍ୟ ଥିଲେ।
ଅତୀତରେ ବିଜେପିର ପୂର୍ବତନ ସାଂସଦ ତଥା ସନ୍ଥ ଡ.ରାମବିଲାଶ ଦାସ ବେଦାନ୍ତି ମଧ୍ୟ ଟ୍ରଷ୍ଟକୁ ନେଇ ତାଙ୍କର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିରେ ମହନ୍ତ ଧର୍ମ ଦାସ ତୀର୍ଥକ୍ଷେତ୍ର ଟ୍ରଷ୍ଟ ‘ବନ୍ଦର ବାଣ୍ଟ’ ବୋଲି କହିବା ଚର୍ଚ୍ଚାର ବିଷୟ ପାଲଟିଛି। ଏ ନେଇ ଧର୍ମ ଦାସ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କୁ ମଧ୍ୟ ବେଶ ଭଲକରି ଶୁଣେଇଛନ୍ତି। ଉଭୟ ସନ୍ଥ ବାବା ଅଭିରାମ ଦାସଙ୍କ ୩୯ତମ ଶ୍ରାଦ୍ଧବାର୍ଷିକ ଅବସରରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଚମ୍ପତ ରାୟ ହିଁ ରାମମନ୍ଦିର ନିର୍ମାଣରେ ସବୁଠୁ ବଡ ବାଧକ ବୋଲି କହିଛନ୍ତି।
ସେମାନେ କହିଛନ୍ତି ଯେ ସାରା ସମ୍ପତ୍ତି ଓ ମିଳୁଥିବା ଦାନ ରାମ ଲାଲାଙ୍କୁ ମିଳୁଛି। ହେଲେ ଏହାର ଦାୟିତ୍ୱରେ ଥିବା ଲୋକେ ବନ୍ଦର ବାଣ୍ଟ କରିବା ଉଚିତ ନୁହେଁ। ସମସ୍ତ ଟ୍ରଷ୍ଟି ଓ ଟ୍ରଷ୍ଟରେ ସାମିଲ ସନ୍ଥ-ମହନ୍ତ ରାମଲାଲାଙ୍କ ସେବକ, କେହି ମାଲିକ ନୁହେଁ। ଏଣୁ ରାମମନ୍ଦିର ନିର୍ମାଣ କରିବାକୁ ହେଲେ ଚମ୍ପତ ରାୟ ଏଣ୍ଡ କୋଙ୍କୁ ଅଯୋଧ୍ୟାରୁ ତଡିବାକୁ ହେବ। ସୂଚନା ଯୋଗ୍ୟଯେ ସନ୍ଥ ଧର୍ମ ଦାସ ଓ ବେଦାନ୍ତୀଙ୍କୁ ଟ୍ରଷ୍ଟରେ ସାମିଲ କରାଯାଇ ନାହିଁ। ଏଣୁ ସେମାନେ ପ୍ରଥମରୁ ଟ୍ରଷ୍ଟକୁ ନେଇ ଅସନ୍ତୁଷ୍ଟ ଅଛନ୍ତି।
ଶ୍ରୀରାମ ଜନ୍ମଭୂମି ନ୍ୟାସର ସଦସ୍ୟ ତଥା ପୂର୍ବତନ ସାଂସଦ ମହନ୍ତ ରମବିଳାଶ ଦାସ ବେଦାନ୍ତୀ ରାମ ଜନ୍ମଭୂମି ଆନ୍ଦୋଳନରେ ନିର୍ବାଣୀ ଅଣି ଆଖଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲାବୋଲି କହିଛନ୍ତି। ଏଣୁ ଟ୍ରଷ୍ଟରେ ନିର୍ବାଣୀ ଆଖଡା ରହିବା କଥା। ଅତୀତରେ ଅଶୋକ ସିଂଘଲ କହିବାରେ ମୋତେ ଶ୍ରୀରାମ ଜନ୍ମଭୂମି ନ୍ୟାସରେ ସାମିଲ କରାଯାଇଥିଲା। କେବଳ ନିର୍ବାଣୀ ଅଥବା ବେଦାନ୍ତୀ ନୁହନ୍ତି ହନୁମାନଗଡିକୁ ମଧ୍ୟ ଟ୍ରଷ୍ଟରେ ସ୍ଥାନମିଳିନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।