ପଥରରେ ଛେଚି ଯୁବକଙ୍କୁ କରିଥିଲେ ବିଭତ୍ସ ହତ୍ୟା; ଗିରଫ ପରେ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୁଲିସ
25/05/2023 at 8:50 PM

ଟିଟିଲାଗଡ଼ ୨୫/୦୫: ମଦ ନିଶାରେ ନିଜ ଗାଁର ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ ଦୁଇ ଯୁବକ। ଏବେ ଦୋଷ ସ୍ୱୀକାର କରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ୍। ଏ ନେଇ ଟିଟିଲାଗଡ଼ ଏସଡିପିଓ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଗତ ଏପ୍ରିଲ ୨୧ ତାରିଖରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ୍ ଟିକ୍ରାପଡ଼ା ଫାଣ୍ଡି ଦେଓଗାଁ ଗୋଷ୍ଠୀ କେନ୍ଦ୍ର ନିକଟରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୃତକ ଜଣଙ୍କ ଦେଓଗାଁ ଗ୍ରାମର ବୁଦ୍ଧଦେବ ନାଗ (୨୯) ବୋଲି ଜଣାପଡ଼ିଥିଲା। ଏହି ଘଟଣା ପରେ ସଇଁତଳା ପୁଲିସ ତୁରନ୍ତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ଟିଟିଲାଗଡ଼ ଏସଡିପିଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଥିଲା।
ଏହି ହତ୍ୟାକାଣ୍ଡରେ ଉକ୍ତ ଗାଁର ଦୁଇ ଯୁବକ ଦେବାଶିଷ ବେଟକା ଓ ନକୁଲ ନାଗ ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରିଥିଲା। ସେମାନଙ୍କୁ ସଇଁନ୍ତଳା ଥାନାରେ ଅଟକ ରଖି ପଚରାଉଚରା କରାଯାଇଥିଲା। ପଚରାଉଚରା ପରେ ଦୁଇ ଅଭିଯୁକ୍ତ ସେମାନଙ୍କ ଦୋଷୀ ସ୍ୱୀକାର କରିଥିଲେ। ଆଜି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଟିଟିଲାଗଡ଼ ଏସଡିପିଓ ସୂଚନା ଦେଇଛନ୍ତି।