କୃଷକ ଆନ୍ଦୋଳନ ହକ୍‌ରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସନ୍ଥ ବାବା ରାମ ସିଂହ, ସୁଇସାଇଡ୍ ନୋଟ୍‌ରେ ଲେଖିଲେ...

Published By : Prameya-News7 Bureau | December 16, 2020 IST

ନୂଆଦିଲ୍ଲୀ ୧୬।୧୨: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍ ବିରୋଧରେ ଜାରି ଆନ୍ଦୋଳନ ସମୟରେ ବୁଧବାର ସନ୍ଥ  ବାବା ରାମ ସିଂହ ଆତ୍ମହତ୍ୟା କରିଛନ୍ତି। ନିଜକୁ ସେ ଗୁଳି କରିବାରୁ ତାଙ୍କର ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା କରନାଲ ବର୍ଡର ନିକଟରେ ଘଟିଛି। ଏଥିସହ ବାବା ରାମ ସିଂହଙ୍କ ନିକଟରୁ ଏକ ସୁଇସାଇଡ୍‌ ନୋଟ୍ ମଧ୍ୟ ମିଳିଛି।

ସେ କୃଷକଙ୍କ ଉପରେ ସରକାରଙ୍କ ଆଭିମୁଖ୍ୟ ନେଇ ମର୍ମାହତ ଥିଲେ। ଗତ କିଛି ଦିନ ହେବ ସେ ଦିଲ୍ଲୀ ବର୍ଡରରେ ଚାଲିଥିବା ଆନ୍ଦୋଳନରେ ସାମିଲ ଥିଲେ। ସେ ସେଠାରେ ଏକ ଶିବିରର ମଧ୍ୟ ବ୍ୟବସ୍ଥା କରିଥିଲେ ଏବଂ ଚାଷୀଙ୍କୁ କମ୍ବଳ ମଧ୍ୟ ବାଣ୍ଟିଥିଲେ।

{"id":378278,"sizeSlug":"large","linkDestination":"none"}

ରାମ ସିଂହଙ୍କ ସୁଇସାଇଡ୍ ନୋଟ୍‌ରେ ଲେଖା ହୋଇଛି ଯେ, ସେ କୃଷକଙ୍କ ଏମିତି ଅବସ୍ଥା ଦେଖିବାକୁ ଚାହୁଁନଥିଲେ। ସରକାର କୃଷକଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉ ନାହାନ୍ତି। ଏଥିପାଇଁ ସେ କୃଷକ, ତାଙ୍କ ପିଲା ଓ ମହିଳାଙ୍କୁ ନେଇ ଚିନ୍ତିତ ଥିଲେ। ନିଜର ହକ୍ ପାଇଁ ସଡକରେ କୃଷକଙ୍କୁ ଏମିତି ଅବସ୍ଥା ଦେଖି ସେ ଦୁଃଖିତ ଥିଲେ। ସରକାର ସେମାନଙ୍କୁ ନ୍ୟାୟ ଦେଉ ନାହାନ୍ତି। ଏହା ଜୁଲମ ଅଟେ। ଜୁଲମ କରିବା ପାପ ଏବଂ ଏହାକୁ ସହିବା ମଧ୍ୟ ପାପ ବୋଲି ସେ ନିଜର ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି।

ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକ ସଂଗଠନ ନୂତନ କୃଷି ଆଇନ୍ ରଦ୍ଦ ଦାବିକୁ ନେଇ ଆନ୍ଦୋଳନ ଜାରି ରଖିଛନ୍ତି। ଏଥିରୁ ଅଧିକାଂଶ କୃଷକ ପଞ୍ଜାବ ଓ ହରିୟାଣାର। ପ୍ରଦର୍ଶନକାରୀ କୃଷକ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ନୂତନ ବ୍ୟବସ୍ଥାରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ  ବା ଏମଏସପି ଏବଂ ମଣ୍ଡି ବ୍ୟବସ୍ଥା ସମାପ୍ତ ହୋଇଯିବ। ସେମାନେ ବଡ ବଡ କର୍ପୋରେଟର ଉପରେ ନିର୍ଭରଶୀଳ ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.