ଶୈଳେନ୍ଦ୍ର ଜେନା ହତ୍ୟାକାଣ୍ଡ ମାମଲା, ଥାନାରେ ଆତ୍ମସମର୍ପଣ କଲେ ମୁଖ୍ୟ ଅଭିଯୁକ୍ତ ବାପା ଓ ପୁଅ

Published By : Prameya-News7 Bureau | December 22, 2022 IST

ନୟାଗଡ ୨୨/୧୨: କଟକର ଶୈଳେନ୍ଦ୍ର ଜେନା ହତ୍ୟାକାଣ୍ଡର ମୂଖ୍ୟ ଅଭିଯୁକ୍ତ ଦିପୁ ସାହୁ ଏବଂ ତାର ବାପା ଶ୍ୟାମଘନ ସାହୁଙ୍କ ବାହାଡାଝୋଲା ଫାଣ୍ଡିରେ ଆତ୍ମସମର୍ପଣ । ଘଟଣାରେ ସମ୍ପୃକ୍ତ ଦିପୁର ସ୍ତ୍ରୀ ଏବଂ ସାଙ୍ଗ ସୁରେଶକୁ ପୋଲିସ ୧୨ତାରିଖରେ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଦିପୁ ଏବଂ ତାର ବାପା ଫେରାର୍ ଥିଲେ । ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ସେମାନଙ୍କୁ ଗିରଫ କରିବାରେ ବିଫଳ ହୋଇଥିଲା । ଆଜି ଭୋରରୁ ଉଭୟ ବାହାଡାଝୋଲା ଫାଣ୍ଡିରେ ଆତ୍ମସମର୍ପଣ କରିଥିବା ଜଣାପଡିଛି ।

ନୂଆଗାଁ ଥାନା ପାଟୁଳିସାହି ଗାଁର ଦିପୁ ଏବଂ ତାର ସ୍ତ୍ରୀ କଟକରେ ରହି ଦହିବରା ବେପାର କରୁଥିଲେ । ସେହି ସମୟରେ ଶୈଳେନ୍ଦ୍ରଙ୍କର ଦିପୁଙ୍କ ସ୍ତ୍ରୀ ସୁନିତା ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦିପୁ ଏ ସମ୍ପର୍କରେ ଜାଣିବା ପରେ ସୁନିତାଙ୍କୁ ବାରଣ କରିଥିଲେ ମଧ୍ୟ ସେ ନଶୁଣିବାରୁ କିଛିଦିନ ହେଲା ପରିବାର ସହ ଗାଁରେ ଆସି ରହୁଥିଲେ । ଗତ ୩ ତାରିଖ ଦିନ ଶୈଳେନ୍ଦ୍ର ସୁନିତାଙ୍କୁ ଦେଖା କରିବାକୁ ଆସିଥିବା ସମୟରେ ଦିପୁ ତାକୁ ଧରି ଏକ ଲୁହାରଡରେ ଆକ୍ରମଣ କରି ହତ୍ୟା କରିଦେଇଥିଲେ ।

ପରେ ସହଯୋଗୀଙ୍କ ସହ ମିଶି ଶୈଳେନ୍ଦ୍ରକୁ ଘରଠାରୁ ପ୍ରାୟ ୨କିମି ଦୂର ଏକ ନିଛାଟିଆ ସ୍ଥାନରେ ପାଳଗଦାରେ ପୋଡିବା ପରେ ହାଡ଼ଗୁଡିକ ଏକ ବସ୍ତାରେ ପୁରାଇ ନିକଟରେ ଥିବା ପୋଖରୀରେ ପକାଇଦେଇଥିଲେ । ଆତ୍ମସମର୍ପଣ ପରେ ଉଭୟ ବାପପୁଅଙ୍କୁ ଓଡଗାଁ ଥାନାକୁ ଅଣାଯାଇ ରଖାଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.