ମୁମ୍ବାଇ: ସିସିଟିଭିରେ କଏଦ ହେଲା ସୈଫ୍ ଅଲ୍ଲୀ ଖାନ୍ଙ୍କୁ ଛୁରାମାଡ଼ କରିଥିବା ସନ୍ଦିଗ୍ଧ ଆକ୍ରମଣକାରୀ। ଆକ୍ରମଣର ଗୋଟିଏ ଦିନ ପରେ ଶୁକ୍ରବାର(୧୭ ଜାନୁଆରୀ ୨୦୨୫) ବାନ୍ଦ୍ରା ରେଳ ଷ୍ଟେସନ ନିକଟରେ ସନ୍ଦିଗ୍ଧର ଫଟୋ ସିସିଟିଭିରେ କଏଦ୍ ହୋଇଛି। ଯାହା ସୈଫ୍ ଅଲ୍ଲୀ ଖାନ୍ଙ୍କ ଘର ଠାରୁ ବେଶି ଦୂର ନୁହେଁ। ଫଟୋରେ ସନ୍ଦିଗ୍ଦ ଜଣଙ୍କ ବ୍ଲୁ ଶାର୍ଟି ପିନ୍ଧିଥିବା ବେଳେ ପିଠିରେ ଏକ ବ୍ୟାଗ୍ ପକାଇଛି।
ଏହି ଫଟୋ ସକାଳ ୮ଟା ବେଳର ବୋଲି କୁହାଯାଉଛି। ଘଟଣା ଘଟିବାର ପାଖାପାଖି ୨୦ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ବି ପୁଲିସ ଅପରାଧୀଙ୍କୁ ଏପର୍ଯ୍ୟନ୍ତ ଧରିପାରି ନାହିଁ। ଗୁରୁବାର ରାତିରେ ଚୋର ଘରେ ପଶି ଟଙ୍କା ପାଇଁ ସୈଫ୍ଙ୍କ ଘରୋଇ ସହାୟିକାଙ୍କ ଧମକ ଚମକ ଦେଇଥିଲା।
ପରିବାରକୁ ରକ୍ଷା କରିବାକୁ ଯାଇ ସୈଫ୍ ଯେତେବେଳେ ଚୋର ସହିତ ମୁହାଁମୁହିଁ ହୋଇଥିଲେ, ସେତେବେଳେ ଚୋର ସୈଫ୍ ଅଲ୍ଲୀ ଖାନ୍ଙ୍କୁ ଛୁରା ମାଡ଼ କରିଥିଲା। ଏଥିରେ ଅଭିନେତାଙ୍କର ୬ଟି ସ୍ଥାନରେ ଛୁରା ବାଜିଥିଲା। ତାଙ୍କ ବେକରେ, ପେଟରେ ଏବଂ ପିଠିରେ ଛୁରା ମାଡ଼ ହୋଇଥିବା କୁହାଯାଉଛି।
ଛୁରାମାଡ଼ କରି ସାରିବା ପରେ ଆକ୍ରମଣକାରୀ ସୈଫ୍ଙ୍କ ଘରୁ ଶିଡ଼ିରେ ତଳକୁ ଆସୁଥିବା ବେଳେ ସିସିଟିଭିରେ ଭିଡିଓ କ୍ୟାପଚର ହୋଇଥିଲା। ଏଥିରେ ସେ ଏକ ବ୍ଲାକ୍ ଟି ସାଟ୍ ପିନ୍ଧିଥିବା ବେଳେ କାନ୍ଧରେ ବ୍ୟାଗ ପକାଇଥିଲା। ଘଟଣା ପର ଠାରୁ ଅପରାଧୀ ଫେରାର ରହିଛି। ମୁମ୍ବାଇ ପୁଲିସ ଅପରାଧୀକୁ ଧରିବାକୁ ୩୫ ଜଣିଆ ଟିମ୍ ଗଠନ କରିଛି।
ପୁଲିସର ସୂଚନା ଅନୁସାରେ ସୈଫଙ୍କୁ ଆକ୍ରମଣ କରିବା ପାଇଁ ଦୁର୍ବୃତ୍ତ ଏମାର୍ଜେନ୍ସି ଶିଢ଼ି ଦେଇ ଘର ଭିତରେ ପ୍ରବେଶ କରିଥିଲେ। ଏହାପରେ ଘର ଭିତରେ ଅନେକ ସମୟ ପର୍ଯ୍ୟନ୍ତ ଲୁଚି ରହିଥିଲେ। କାରଣ ପୁଲିସ ସୈଫ୍ ଅଲ୍ଲୀ ଖାନ୍ଙ୍କ ଘର ବାହାରର ଭିଡିଓ ଚେକ୍ କରିଥିଲା। ଏଥିରେ ୨ ଘଣ୍ଟା ପୂର୍ବରୁ କେହି ତାଙ୍କ ଘରେ ପ୍ରବେଶ କରିନଥିବା ଦେଖା ଯାଉଛି। ଅର୍ଥାତ୍ ଦୁର୍ବୃତ୍ତ ତା ପୂର୍ବରୁ ଘର ଭିତରେ ପ୍ରବେଶ କରି ସାରିଥିଲା। ଆକ୍ରମଣ ବେଳେ ଅଭଯୁକ୍ତ ଟୋପି ପିନ୍ଧିଥିବା ବେଳେ ଘର ବାହାରିଲା ବେଳକୁ ଟୋପି ହଟାଇ ଦେଇଥିଲା ବୋଲି ପୁଲିସ କହିଛି।
ଘଟଣାରେ ପୁଲିସ ଏକାଧିକ ଲୋକଙ୍କୁ ପଚରା ଉଚରା କରୁଛି। ହେଲେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ। ସେପଟେ ସୈଫ୍ ଅଲ୍ଲୀ ଖାନଙ୍କର ସର୍ଜରୀ ଓ ପ୍ଲାଷ୍ଟିକ ସର୍ଜରୀ ହୋଇଛି। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛି ବୋଲି ତାଙ୍କୁ ଚିକିତ୍ସା କରିଥିବା ଲୀଳାପତୀ ହସ୍ପିଟାଲ୍ର ଡାକ୍ତର କହିଛନ୍ତି।