ଗୃହମନ୍ତ୍ରୀଙ୍କ ସହ ହୋଇପାରିଲାନି ଶାହିନବାଗ ବିକ୍ଷୋଭକାରୀଙ୍କ ସାକ୍ଷାତ, ପୋଲିସ ସହ କଥା ହୋଇ ଅଧବାଟରୁ ଫେରିଗଲେ
16/02/2020 at 5:18 PM

ନୂଆଦିଲ୍ଲୀ ୧୬।୨: ଶାହିନବାଗ ବିକ୍ଷୋଭକାରୀଙ୍କ ସହ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର ସାକ୍ଷାତ ଆଲୋଚନା ହୋଇପାରି ନାହିଁ। ବିକ୍ଷୋଭକାରୀ ଏକ ଶୋଭାଯାତ୍ରାରେ ଗୃହମନ୍ତ୍ରୀଙ୍କ ଆବାସ ଆଡକୁ ବାହାରିଥିଲେ। ତେବେ ରାସ୍ତାରେ ସେମାନଙ୍କୁ ପୋଲିସ ଅଟକାଇ ଦେଇଥିଲା। ଉଚ୍ଚ ପୋଲିସ ଅଧିକାରୀଙ୍କ ସହ ଆଲୋଚନା ପରେ ବିକ୍ଷୋଭକାରୀ ପୁଣି ଥରେ ସେମାନଙ୍କ ବିକ୍ଷୋଭସ୍ଥଳକୁ ଫେରିଯାଇଛନ୍ତି।

ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଶାହିନବାଗ ମହିଳାଙ୍କୁ ସିଏଏ ଆଲୋଚନା ଲାଗି ଆମନ୍ତ୍ରଣ କରିଥିଲେ। ଗୃହମନ୍ତ୍ରୀଙ୍କ ଆମନ୍ତ୍ରଣକୁ ପ୍ରଦର୍ଶନକାରୀ ମହିଳାମାନେ ମଧ୍ୟ ସ୍ୱାଗତ କରିଥିଲେ। ତେବେ ଏଥିଲାଗି ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆପଏଣ୍ଟମେଣ୍ଟ ଦିଆଯାଇନଥିବାରୁ ରବିବାର ଆଲୋଚନା ହୋଇ ପାରିନାହିଁ। ଶାହିନବାଗ ମହିଳାମାନେ ଗୃହମନ୍ତ୍ରୀଙ୍କୁ ଭେଟିବାକୁ ନିବେଦନ କରିନଥିଲେ। ତେବେ ଗୃହମନ୍ତ୍ରୀଙ୍କ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଥିବା ବେଳେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବାରୁ ବିକ୍ଷୋଭକାରୀ ଅଧବାଟରୁ ଫେରିବାକୁ ବାଧ୍ୟ ହୋଇଥିଲେ।

ତେବେ ଗୃହମନ୍ତ୍ରୀଙ୍କ ସହ ଆଲୋଚନା ଲାଗି ଯିବା ବେଳେ ଶାହିନବାଗ ବିକ୍ଷୋଭକାରୀ ଏକ ଶୋଭାଯାତ୍ରାରେ ଯିବେ ବୋଲି ପୋଲିସକୁ ଅନୁମତି ମାଗିଥିଲେ। ହେଲେ ଆଲୋଚନା ଲାଗି ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମୟ ନିର୍ଦ୍ଧାରିତ କରିନଥିବାରୁ ପୋଲିସ ଅନୁମତି ଦେଇ ପାରିନଥିଲା। ଏଣୁ ରବିବାର ଅପରାହ୍ଣରେ ହେବାକୁ ଥିବା ଆଲୋଚନା ହୋଇପାରିନାହିଁ।