ସାହିନବାଗରୁ ଆନ୍ଦୋଳନକାରୀଙ୍କୁ ହଟାଇବାକୁ ପ୍ରକ୍ରିୟା ଆରମ୍ଭ, ଘଟଣାସ୍ଥଳରେ ପୋଲିସ ଓ ସେନା ମୁତୟନ

Published By : Prameya-News7 Bureau | March 24, 2020 IST

ନୂଆଦିଲ୍ଲୀ ୨୪।୦୩: ସାରାଦେଶରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାର ଲାଗିଛି । ଏଭଳି ସ୍ଥିତିରେ କେତେକ ରାଜ୍ୟ ଲକ୍‌ଡାଉନ୍‌ ଘୋଷଣା କରିଥିବା ବେଳେ କିଛି ରାଜ୍ୟ କଫ୍ୟୁ ଜାରି କରିସାରିଲେଣି । ଏଭଳି ସ୍ଥିତିରେ ଆଇନଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବାକୁ ପ୍ରଧାନମନ୍ତ୍ରୀ  ଅପିଲ କରୁଛନ୍ତି । ତେବେ ଦିଲ୍ଲୀର ସାହିନବାଗରେ ନାଗରିକତା ସଂଶୋଧନ ଆଇନ ଓ ଜାତୀୟ ନାଗରିକତା ରେଜିଷ୍ଟାର ଆଇନ ବିରେଧରେ ଆନ୍ଦୋଳନ ଜାରି ରହିଛି । ଗତ ୧୦୦ଦିନ ଧରି ସାହିନବାଗରେ ଧାରଣା ଚାଲୁ ରହିଛି । ତେବେ କିଛିଦିନ ତଳେ କରୋନାରେ ଜଣେ ସନ୍ଦିଗ୍ଧ ମେଡିକାଲରେ ଭର୍ତ୍ତି ହେବା ପରେ ଧାରଣାସ୍ଥଳରୁ କିଛି ଲୋକ ଘରକୁ ଫେରିଯାଇଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ମହିଳା ଧାରଣାସ୍ଥଳରେ ବସି ଆନ୍ଦୋଳନ କରୁଥିବାର ଦେଖିବାକୁ ମିଳିଛି । ତେବେ ସୋମବାର ଦିନ ଦିଲ୍ଲୀର ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ତେବେ ଏଭଳି ସ୍ଥିତିରେ ସାହିନବାଗରେ ଆନ୍ଦୋଳନ କରୁଥିବା ମହିଳାମାନଙ୍କୁ ହଟାଇବା ପାଇଁ ଘଟଣାସ୍ଥଳରେ ଉଦ୍ୟମ ଆରମ୍ଭ ହୋଇଛି ।

ଦିଲ୍ଲୀର ସାହିନବାଗରୁ ଆନ୍ଦୋଳନ କରୁଥିବା ମହିଳାଙ୍କୁ ହଟାଇବା ପାଇଁ ଦିଲ୍ଲୀ ପୋଲିସର ଯବାନ ଓ ସେନାବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଭୟ ସେନା ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟେଣ୍ଟ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏବଂ ଧାରଣାସ୍ଥଳରେ ବସିଥିବା ଲୋକମାନଙ୍କୁ ଅନୁରୋଧ କରାଯାଉଛି କି, ସେମାନେ ତୁରନ୍ତ ଜାଗା ଖାଲି କରିଦିଅନ୍ତୁ , ନଚେତ୍ ଆମେ ବାଧ୍ୟ ହୋଇ ଆଇନଗତ ପଦକ୍ଷେପ ନେବାକୁ ବାଧ୍ୟ ହେବୁ ବୋଲି କୁହାଯାଉଛି । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଧିକାରୀଙ୍କ ଅନୁଯାୟୀ, ଆମକୁ ଧାରଣାସ୍ଥଳରୁ ତୁରନ୍ତ ଲୋକଙ୍କୁ ଖାଲି କରିବାକୁ ପଡିବ । ଯେମିତି ଏହି ରାସ୍ତାରେ ଜରୁରୀ ସେବା ଓ ଆମ୍ବୁଲାନ୍ସ ଯିବାଆସିବା କରିପାରିବ । ଯାହାଫଳରେ ଲୋକ ଜୀବନ ସୁରକ୍ଷିତ ହେବ । ଧାରଣସ୍ଥଳରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଞ୍ଚଜଣ ମହିଳା ଧାରଣା ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.