ଟିମ୍ ଇଣ୍ଡିଆର ବ୍ୟାକବୋନ୍ ବିରାଟ କୋହଲି, ସେ ଏକାକୀ ଭାରତକୁ ଅନେକ ମ୍ୟାଚ୍ ଜିତାଇଛନ୍ତି -ସାହିନ ଆଫ୍ରିଦି
4/09/2023 at 2:51 PM

ମୁମ୍ବାଇ ୦୪।୦୯ : କିଙ୍ଗ କୋହଲିଙ୍କ ପ୍ରଶଂସାରେ ପାକିସ୍ତାନୀ ଖେଳାଳି। ବିରାଟ ଜଣେ ବିଶ୍ୱସ୍ତରୀୟ ବ୍ୟାଟର । ତାଙ୍କ ପାଇଁ କୌଣସି ବି ପରିସ୍ଥିତି ଅସମ୍ଭବ । ପଡିଆରେ ତାଙ୍କ ଉପସ୍ଥିତି ବିରୋଧୀଙ୍କ ଚିନ୍ତାରେ ପକାଇଥାଏ ବୋଲି କହିଛନ୍ତି ପାକିସ୍ତାନୀ ଦ୍ରୁତ ବୋଲର ସାହିନ ଆଫ୍ରିଦି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ଟିମ୍ ବିରୋଧରେ ବିରାଟ ସର୍ବଦା ବିଶାଳ ବିଶାଲ ରନ୍ କରିଆସିଛନ୍ତି । ଅନେକ ମ୍ୟାଚ୍ ସେ ନିଜ ଦମ୍ରେ ବି ଜିତାଇଛନ୍ତି । ସର୍ବଦା ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ଆମ ଦଳ ବିରାଟଙ୍କ ଲାଗି ସ୍ପେଶାଲ ପ୍ଲାନ୍ କରିଥାଏ । କିନ୍ତୁ ଅଧିକାଂଶ ସମୟରେ ଆମେ ଫେଲ୍ ମାରୁଥାଉ । ଯାହାଫଳରେ ବିରାଟ ଏକାକୀ ମ୍ୟାଚ୍ ଜିତାଇଥାନ୍ତି । ସେ ଜଣେ ମ୍ୟାଚ ଓ୍ୱିନର । କହିବାକୁ ଗଲେ, ଭାରତୀୟ ବ୍ୟାଟିଂ ଲାଇନ୍ଅପ୍ର ସେ ମେରୁଦଣ୍ଡ ।ଯଦି ବିରାଟ ଫେଲ୍ ମାରିବେ, ତେବେ ଭାରତୀୟ ବ୍ୟାଟିଂ ଲାଇନଅପ୍ ଭୁଶୁଡିବାର ଆଶଙ୍କା ରହିଛି । କିନ୍ତୁ ଗତ ମ୍ୟାଚ୍ରେ ଆମେ ବିରାଟଙ୍କୁ ଶୀଘ୍ର ଆଉଟ୍ କରିବାରେ ସଫଳ ହୋଇଥିଲୁ । କିନ୍ତୁ ଇଷାନ୍ ଏବଂ ହାର୍ଦ୍ଦିକ ଦଳକୁ ଏକ ଭଲ ସ୍କୋର ଅଭିମୁଖେ ନେଇଯାଇଥିଲେ । ଆମେ ଟାର୍ଗେଟ ରଖିଥିବା ରନ୍ ଠାରୁ ଅଧିକ ସ୍କୋର କରିଥିଲେ ଟିମ୍ ଇଣ୍ଡିଆ ବ୍ୟାଟର ।
ସୂଚନାଯୋଗ୍ୟ ଯେ, ବିରାଟ ବର୍ତ୍ତମାନ ୧୧୧ଟି ଟେଷ୍ଟ ମ୍ୟାଚ୍ ଖେଳି ୮୬୭୬ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୨୯ଟି ଶତକ ରହିଥିବା ବେଳେ ୨୯ଟି ଅର୍ଦ୍ଧଶତକ ରହିଛି । ୨୫୪ ତାଙ୍କର ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ରହିଛି । ସେହିପରି ୨୭୫ଟି ଦିନିକିଆ ମ୍ୟାଚ୍ ଖେଳି ୧୨୮୯୮ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୪୬ଟି ଶତକ ହାସଲ କରିଥିବା ବେଳେ ୬୫ଟି ଅର୍ଦ୍ଧଶତକ ରହିଛି । ୧୮୩ ତାଙ୍କର ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ରହିଛି । ଏହାବାଦ୍ ୧୧୫ଟି ଟି-୨୦ ମ୍ୟାଚ୍ ଖେଳି୪୦୦୮ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଏବଂ ୩୭ଟି ଅର୍ଦ୍ଧଶତକ ରହିଛି । ତାଙ୍କର ବ୍ୟକ୍ତିଗତ ଭାବେ ୧୨୨ ସର୍ବାଧିକ ସ୍କୋର ରହିଛି ।