ସାହାରା ଗ୍ରୁପର ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ, ମୁମ୍ବାଇରେ ଶେଷ ନିଃଶ୍ଵାସ ତ୍ୟାଗ

Published By : Prameya-News7 Bureau | November 14, 2023 IST

ନୂଆଦିଲ୍ଲୀ: ସାହାରା ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ। ମୁମ୍ବାଇରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସାହାରର ପ୍ରତିଷ୍ଠାତା ସୁବ୍ରତ ରାୟ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ତାଙ୍କର ମର ଶରୀରକୁ ବୁଧବାର  ଲକ୍ଷ୍ନୌର ସାହାରା ସହର ଅଣାଯିବ। ଏଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ।

wp:html /wp:html

ତାଙ୍କ ନିଧନରେ ସମାଜବାଦୀ ପାର୍ଟି ଶୋକ ପ୍ରକାଶ କରିଛି। ସାହାରାଶ୍ରୀ ସୁବ୍ରତ ରାୟଙ୍କ ନିଧନରେ ଅତ୍ୟନ୍ତ ଦୁଃଖଦ। ଈଶ୍ଵର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ଶୋକାକୁଳ ପରିଜନଙ୍କୁ ଅସୀମ ଦୁଃଖ ସହିବାକୁ ଧୈର୍ଯ୍ୟ ଦିଅନ୍ତୁ।

୧୯୪୮  ମସିହା ଜୁନ ୧୦ ତାରିଖରେ ବିହାରର ଅରରିଆରେ ସୁବ୍ରତ ରାୟ ଜନ୍ମଗ୍ରହଣ କରିଥିଲେ। ସେ ଭାରତ ପ୍ରମୁଖ କାରବାର ସାହାରା ଇଣ୍ଡିଆ ପରିବାରର ସଂସ୍ଥାପକ ଥିଲେ। ସେ ସମଗ୍ର ଦେଶରେ ସାହାରାଶ୍ରୀ ନାମରେ ବେଶ ପରିଚିତ ଥିଲେ। ସୁବ୍ରତ ଗୋରଖପୁରର ସରକାରୀ ଟେକ୍ନିକାଲ ଇନଷ୍ଟିଚ୍ୟୁଟ୍‌ରୁ ମେକାନିକାଲ ଇଞ୍ଜିନିୟରିଂରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ସେ ନିଜର ବ୍ୟବସାୟ ଗୋରଖପୁରରୁ ଆରମ୍ଭ କରିଥିଲେ।

ଜାମିନରେ ବାହାରେ ଥିଲେ ସୁବ୍ରତ

ପାଟନା ହାଇକୋର୍ଟରେ ସାହାରା ଇଣ୍ଡିଆ ବିରୋଧରେ ଲୋକଙ୍କ ଜମା ରାଶି ଦୀର୍ଘ ବର୍ଷ ଧରି ପୈଠ କରି ନଥିବା ମାମଲା ବିଚାରଧୀନ ରହିଛି। ଲୋକେ ନିଜର ଅର୍ଥ କମ୍ପାନୀର ଅନେକ ସ୍କିମରେ ନିବେଶ କରିଥିଲେ। ଦୀର୍ଘ ସମୟ ଧରି କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା। ପରବର୍ତ୍ତୀ ସମୟରେ ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା। ସାହାରାଶ୍ରୀଙ୍କୁ ଏହି ମାମଲାରେ ସୁପ୍ରିମକୋର୍ଟରୁ ବଡ଼ ଆଶ୍ଵସ୍ତି ମିଳିଥିଲା। ଗତ ବର୍ଷ ସର୍ବୋଚ୍ଚ ନ୍ୟାୟାଳୟ ପାଟନା ହାଇକୋର୍ଟଙ୍କ ଗିରଫଦାରୀ ଆଦେଶ ଉପରେ ତତ୍କାଳ ଶୁଣାଣି କରି ରୋକ୍ ଲଗାଇଥିଲେ। ଏହା ସହିତ ସୁବ୍ରତଙ୍କ ବିରୋଧରେ ଆଗକୁ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଆଦେଶ ଦେଇଥିଲେ।

ଜମାକାରୀଙ୍କ ଜମା ପୁଞ୍ଜି ଫେରସ୍ତ ନ କରିବାର ଆଉ ଏକ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି। ଏହି ମାମଲାରେ ସେ ଜାମିନରେ ବାହାରେ ଥିଲେ। ଅନ୍ୟପଟେ ନିବେଶକଙ୍କ ଅର୍ଥ ଫେରାଇବା ନେଇ ସାହାରା ଇଣ୍ଡିଆର କହିବା କଥା ତାଙ୍କ କମ୍ପାନୀ ସମସ୍ତ ବକୈୟା ଅର୍ଥ ସେବି ନିକଟରେ ଜମା କରି ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.