ନୂଆଦିଲ୍ଲୀ: ଇଂଲଣ୍ଡର ତାରକା ଦ୍ରୁତ ବୋଲର ଜୋ ରୁଟ ସଂପ୍ରତି ଦମଦାର ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟରୁ ଟେଷ୍ଟ କ୍ରିକେଟ୍ରେ ରନ ବର୍ଷା ହେବାରେ ଲାଗିଛି। ଏହା ଦେଖିଲେ ଲାଗୁଛି ରୁଟ୍ ଖୁବ୍ ଶୀଘ୍ର ସଚିନ ତେନ୍ଦୁଲକରଙ୍କ ଟେଷ୍ଟ କ୍ରିକେଟ୍ରେ ସର୍ବାଧିକ ରନ କରିବାର ରେକର୍ଡର ନିକଟତର ହୋଇଯିବେ। ଲର୍ଡ୍ସ ଟେଷ୍ଟରେ ଦୁଇ ଇନିଂସରେ ଦୁଇ ଶତକ ମାରିବା ପରେ ରୁଟ୍ ସର୍ବାଧିକ ରନହାସଲକାରୀ ତାଲିକାରେ ୧୨ ହଜାର ୩୭୭ ରନ ସହ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ତାଲିକାରେ ଶୀର୍ଷରେ ଥିବା ସଚିନ ତେନ୍ଦୁଲକର(୧୫,୯୨୧) ଓ ରୁଟ୍ଙ୍କ ମଧ୍ୟରେ ୩,୫୪୪ ରନର ବ୍ୟବଧାନ ରହିଛି। ଯେଉଁ ଶୈଳୀରେ ରୁଟ୍ ଗତ କିଛି ସମୟରୁ ବ୍ୟାଟିଂ କରି ଚାଲିଛନ୍ତି, ଏହାକୁ ଦେଖିଲେ ଲାଗୁଛି ସେ ଆଗାମୀ ୩ ରୁ ୪ ବର୍ଷରେ ତେନ୍ଦୁଲକରଙ୍କ ନିକଟତର ହୋଇଯିବେ।
ଯେବେ ରୁଟ୍ଙ୍କୁ ପ୍ରଶ୍ନ କରାଗଲା ଯେ, ତାଙ୍କ ନଜର କଣ ସଚିନଙ୍କ ବିଶ୍ଵ ରେକର୍ଡ ଉପରେ ରହିଛି। ଏହାର ଉତ୍ତରରେ ରୁଟ୍ କହିଛନ୍ତି, ସେ କେବଳ ଖେଳିବାକୁ ଚାହାନ୍ତି ଏବଂ ଦଳ ବିଜୟରେ ଅଧିକରୁ ଅଦିକ ଯୋଗଦାନ ଦେବାକୁ ଚାହାନ୍ତି।
1️⃣ Sachin Tendulkar - 15921 runs
— England Cricket (@englandcricket) August 31, 2024
⬆️ Joe Root - 12377 runs
Half an eye on Sachin's record, Joe? 👀
ଇଂଲଣ୍ଡ କ୍ରିକେଟ୍ ଦ୍ଵାରା ଏକ୍ସରେ ପୋଷ୍ଟ ହୋଇଥିବା ଭିଡିଓରେ ଜୋ ରୁଟ୍ ଏହା କହୁଥିବା ଦେଖିବାକୁ ମିଳିଛି। ସେ ଏହା ମଧ୍ୟ କହିଛନ୍ତି, ଟେଷ୍ଟରେ ଶତକ ଅର୍ଜନ କରିବାର ସ୍ଵତନ୍ତ୍ର ଅନୁଭୂତି ରହିଛି। ଏଥିରୁ ବଡ଼ କିଛି ଆଉ ହୋଇ ନ ପାରେ। ଟେଷ୍ଟ ବିଜୟର ଏକ ବିଶେଷ ଆନନ୍ଦ ରହିଛି। ଏଥିପାଇଁ ସବୁଠୁ ବଡ଼ କଥା ହେଉଛି ଆପଣ ଦଳ ବିଜୟରେ ଯେତେ ଯୋଗଦାନ ଦେଇ ପାରିବେ ସେତେ ଭଲ। ଏହା ଉପରେ ହିଁ ମୁଁ ଅଧିକ ଧ୍ୟାନ ଦେଇ ଆସିଛି। ଆଶା କରୁଛି ଏହି ମାନସିକତା ସହ ଆଗକୁ ଖେଳ ଜାରି ରଖିବି।
ସୂଚନାଯୋଗ୍ୟ, ରୁଟ୍ ଶ୍ରୀଲଙ୍କା ବିପକ୍ଷ ଲର୍ଡ୍ସ ଟେଷ୍ଟର ପ୍ରଥମ ଇନିଂସରେ ୧୪୩ ରନ ଏବଂ ଦ୍ଵିତୀୟ ଇନିଂସରେ ୧୦୩ ରନର ଚମତ୍କାର ଇନିଂସ ଖେଳିଛନ୍ତି। ସେ କ୍ରିକେଟ୍ର ମକ୍କା କୁହାଯାଉଥିବା ଏହି ମଇଦାନରେ ଗୋଟିଏ ଟେଷ୍ଟର ଦୁଇ ଇନିଂସରେ ଶତକ ଅର୍ଜନ କରିବାରେ ଚତୁର୍ଥ ବ୍ୟାଟର।