ସ୍ପୋର୍ଟ୍ସ ସାମଗ୍ରୀ ତିଆରି କରୁଥିବା କମ୍ପାନୀ ବିରୋଧରେ ମାମଲା ରୁଜ୍ଜୁ କଲେ ସଚିନ : ଦାବି କଲେ ୧୪ କୋଟି
14/06/2019 at 5:41 PM

ମୁମ୍ବାଇ ୧୪/୬ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏକ ସ୍ପୋର୍ଟ୍ସ ସାମଗ୍ରୀ ତିଆରି କରୁଥିବା କମ୍ପାନୀ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି । ସିଡନୀର ସ୍ପାର୍ଟନ ସ୍ପୋର୍ଟ୍ସ ଇନ୍ଟରନ୍ୟାଶନାଲ କମ୍ପାନୀ ତାଙ୍କୁ ରୟାଲ୍ଟି ଦେଇନାହିଁ, କିନ୍ତୁ ସ୍ପୋର୍ଟ୍ସ ସାମଗ୍ରୀରେ ସଚିନଙ୍କ ନାଁ ବ୍ୟବହାର କରୁଛି । କମ୍ପାନୀ ନିଜର ପ୍ରମୋସନ ପାଇଁ ସଚିନଙ୍କ ଫଟୋ ଏବଂ ନାଁ ବିଭିନ୍ନ ସାମଗ୍ରୀରେ ବ୍ୟବହାର କରୁଛି ବୋଲି ସଚିନ ଅଭିଯୋଗ କରିଛନ୍ତି । ସଚିନ ଏବେ ଇଂଲଣ୍ଡରେ ଆଇସିସି ୱାର୍ଲଡ କପି-୨୦୧୯ରେ କମେଣ୍ଟ୍ରି କରୁଛନ୍ତି ।

୨୦୧୬ ମସିହାରେ ସିଡନୀର ସ୍ପାର୍ଟନ ସ୍ପୋର୍ଟ୍ସ ଇନ୍ଟରନ୍ୟାଶନାଲ କମ୍ପାନୀ ସଚିନଙ୍କୁ ବର୍ଷକୁ ୧ ମିଲିୟନ ଡଲାର ଦେବାପାଇଁ ସହମତି ଦେଇଥିଲା । ଏହା ବଦଳରେ କମ୍ପାନୀ ନିଜର ସ୍ପୋର୍ଟ୍ସ ସାମଗ୍ରୀରେ ସଚିନଙ୍କ ନା, ଫଟୋ, ଲୋଗୋ ଏବଂ ପ୍ରମୋସନାଲ ସର୍ଭିସ ବ୍ୟବହାର କରି ‘Sachin by Spartan’ ନାଁରେ ସ୍ପୋର୍ଟ୍ସ ସାମଗ୍ରୀ ବିକ୍ରି କରିବାରଥିଲା । କିନ୍ତୁ ୨୦୧୮ ସେପ୍ଟେମ୍ବର ମାସ ଯାଏଁ କମ୍ପାନୀ ତାଙ୍କୁ ଟଙ୍କାଟିଏ ହେଲେ ଦେଇନାହିଁ ବୋଲି ସଚିନ ଅଭିଯୋଗ କରିଛନ୍ତି । ସଚିନ ପେମେଂଟ ପାଇଁ କହିବାରୁ କମ୍ପାନୀ କୌଣସି ଜବାବ ମଧ୍ୟ ଦେଇନଥିଲା । ଏହାପରେ ସଚିନ ତାଙ୍କ ନାଁ ବ୍ୟବହାର ନକରିବାକୁ କମ୍ପାନୀକୁ କହିଥିଲେ । କିନ୍ତୁ ତଥାପି କମ୍ପାନୀ ତାଙ୍କ ନା,ଫଟୋ ବ୍ୟବହାର କରିଛି । ସେଥିପାଇଁ ସଚିନ କଣ୍ଟ୍ରାକଟ ଅନୁଯାୟୀ କମ୍ପାନୀକୁ ୧୪ କୋଟି ଟଙ୍କା ଦାବି କରିଛନ୍ତି ।