ସଚିନ୍ ପାଇଲଟ୍ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
30/11/2020 at 12:25 PM

ଜୟପୁର ୩୦/୧୧ : ରାଜସ୍ଥାନ ପ୍ରଦେଶ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ଦିଲ୍ଲୀରେ ଅଛନ୍ତି। ସେ ନିଜର ଦିଲ୍ଲୀ ସ୍ଥିତ ବାସଭବନରେ ଆରାମ କରୁଛନ୍ତି। ସଚିନ ପାଇଲଟଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବା ଜଣାପଡିଛି। ସେ ଦିଲ୍ଲୀ ଏମ୍ସ ଡାକ୍ତରଙ୍କୁ ପରାମର୍ଶ କରିଛନ୍ତି। ସେ ଏଥିପାଇଁ କିଛି ଟେଷ୍ଟ ମଧ୍ୟ କରାଇଛନ୍ତି। ସୋମବାର ଦିନ ତାଙ୍କର ଟେଷ୍ଟ ରିପୋର୍ଟ ଆସିବାର ଅଛି। ତାଙ୍କ ନିକଟତର ଲୋକଙ୍କ କହିବାନୁଯାୟୀ ପାଇଲଟଙ୍କ ସ୍ୱାସ୍ଥ୍ୟ ଭଲ ଅଛି। ଆଗାମୀ ସପ୍ତାହେ ଯାଏଁ ସେ ଘରେ ଆରାମ କରିବେ।
ନଭେମ୍ବର ୧୨ ତାରିଖରେ ସଚିନ୍ ପାଇଲଟଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। କରୋନା ସଂକ୍ରମିତ ହେବାପରେ ସେ ନିଜର ଜୟପୁର ସ୍ଥିତ ବାସଭବନରେ ନିଜକୁ କ୍ଵାରେଣ୍ଟାଇନ୍ କରିଥିଲେ। ଚିକିତ୍ସା ପରେ ପାଇଲଟଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା। ରିପୋର୍ଟ ନେଗେଟିଭ ଆସିବା ପରେ ସେ ଦିଲ୍ଲୀ ଯାଇ ଏମ୍ସ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ଡାକ୍ତରଙ୍କ ସହ ପରାମର୍ଶ ପରେ ପାଇଲଟଙ୍କ ଫୁସଫୁସରେ ସଂକ୍ରମଣ ଥିବା ଜଣାପଡିଥିଲା। ଏହାପରେ ସେ ଦିଲ୍ଲୀ ଏମ୍ସରେ କିଛି ଟେଷ୍ଟ କରାଇଥିଲେ।
ସଚିନ ପାଇଲଟଙ୍କ ସ୍ୱାସ୍ଥ୍ୟକୁ ନେଇ ରାଜ୍ୟପାଳ କଲରାଜ ମିଶ୍ର ରବିବାର ଦିନ ତାଙ୍କ ସହ ଫୋନରେ କଥାବାର୍ତ୍ତା କରି ପଚାରି ବୁଝିଥିଲେ। ସେ ପାଇଲଟଙ୍କ ସୁସ୍ଥ କାମନା କରିଛନ୍ତି। ପ୍ରଦେଶ କଂଗ୍ରେସର ଅନ୍ୟ ନେତା ଓ ସମର୍ଥକ ମଧ୍ୟ ପାଇଲଟଙ୍କ ସୁସ୍ଥ କାମନା କରିଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ଅନେକ ନେତା କରୋନା ସଂକ୍ରମଣର ଶିକାର ହୋଇଛନ୍ତି।